ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ : ପେଟ୍ରୋଲ ପମ୍ପ ଉପରେ ପ୍ରଭାବ; ଅଧିକାଂଶ ତେଲ ଟାଙ୍କିରେ ନାହିଁ ତେଲ

104

କନକ ବ୍ୟୁରୋ : ଡ୍ରାଇଭର ଷ୍ଟ୍ରିଅରିଂ ଛାଡ଼ ଆନ୍ଦୋଳନର ଅଧିକ ପ୍ରଭାବ ପଡ଼ିଛି ପେଟ୍ରୋଲ ପମ୍ପ ଉପରେ । ଦୁଇଦିନର ଆନ୍ଦୋଳନ ଯୋଗୁଁ ପେଟ୍ରୋଲ ପମ୍ପରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା । ଏମିତିକି ଲୋକେ ଅଧିକ ଅଧିକ ଟଙ୍କାର ତେଲ ପକାଇବାକୁ ପଛାଇ ନଥିଲେ । ଯାହାଦ୍ୱାରା ରାଜ୍ୟର ଅଧିକାଂଶ ସ୍ଥାନରେ ପେଟ୍ରୋଲ ପମ୍ପ ଦିନ ଅଧାରୁ ବନ୍ଦ ହୋଇଯାଇଥିଲା । ଏବେ ରାଜ୍ୟରେ ଯେତିକି ତେଲ ମହଜୁଦ ରହିଛି, ତାହା ଆଜି ସନ୍ଧ୍ୟା ଯାଏଁ ଚଳିଯିବ । କିନ୍ତୁ ଏହା ପରେ ସ୍ଥିତି ଅଣାୟତ ହୋଇପଡ଼ିବ ।

ରିପୋର୍ଟ ଅନୁସାରେ, ଗୋଟିଏ ଦିନରେ ଲୋକେ ଲୋକେ ତିନି ଦିନର ପେଟ୍ରୋଲ ବୋହି ନେଇଛନ୍ତି । ଯେଉଁ କାରଣରୁ ତେଲର ଅଭାବ ଦେଖିବାକୁ ମିଳିଛି । ଏପରି ସ୍ଥିତିରେ ଯଦି ଡ୍ରାଇଭରମାନଙ୍କ ଆନ୍ଦୋଳନ ଆଜି ରୁହେ, ତେବେ ସ୍ଥିତି ଆହୁରି ଖରାପ ହେବାର ସମ୍ଭାବନା ରହିଛି । ଆଗକୁ ପରିସ୍ଥିତି ଜଟିଳ ହେବା ଆଶଙ୍କାରେ ଲୋକେ ଗୁରୁବାର ଦିନ ରାଜଧାନୀରେ ଥିବା ସବୁ ପେଟ୍ରୋଲ ପମ୍ପ ଆଗରେ ଧାଡ଼ି ଲଗାଇଥିବା ଦେଖିବାକୁ ମିଳିଥିଲା । କିଛି ପେଟ୍ରୋଲ ପମ୍ପ ଗ୍ରାହକଙ୍କୁ ଏକ ନିର୍ଦ୍ଦିଷ୍ଟ ପରିମାଣର ତେଲ ଦେଉଥିବା ଦେଖିବାକୁ ମିଳିଥିଲା ।

ସୂଚନାନୁସାରେ, ରାଜଧାନୀକୁ ପ୍ରତିଦିନ ୩ ଲକ୍ଷ ୩୦ ହଜାର ଲିଟର ପେଟ୍ରୋଲ ଓ ୨ଲକ୍ଷ ୩୫ହଜାର ଲିଟର ଡିଜେଲ୍‌ର ଆବଶ୍ୟକତା ରହିଛ। ଚାଳକଙ୍କ ଆନ୍ଦୋଳନ ଏମିତି ଜାରି ରହିଲେ, ୨/୩ ଦିନରେ ଅବସ୍ଥା ବିଗିଡ଼ିବାର ସମ୍ଭାବନା ରହିଛି। ଯାହା ପେଟ୍ରୋଲ, ଡିଜେଲ୍‌ ଗଚ୍ଛିତ ଅଛି, ତାହା ସରିଯିବାର ଆଶଙ୍କା ରହିଛି ।  କିନ୍ତୁ ଉତ୍କଳ ପେଟ୍ରୋଲିୟମ ଡିଲର ମହାସଂଘର ସାଧାରଣ ସଂପାଦକ ଲୋକଙ୍କୁ ବ୍ୟତିବ୍ୟସ୍ତ ନ ହେବାକୁ ଅପିଲ କରିଛନ୍ତି । କାରଣ ଟାସ୍କପୋର୍ସ ଗଠନ ହେବା ପରେ ଆଜି ତେଲ ଟ୍ୟାଙ୍କର ଆସିବ । ତେଣୁ ପୂର୍ବଭଳି ସ୍ଥିତି ଉପୁଜିବ ନାହିଁ ବୋଲି ସେ କହିଛନ୍ତି ।