ଲୋକାୟୁକ୍ତ ଗଠନ ପାଇଁ ସିଲେକ୍ସନ୍ କମିଟିର ଦ୍ୱିତୀୟ ବୈଠକ ! ମାସକରେ ୬ ଜଣିଆ ଲୋକାୟୁକ୍ତ ପାଇଁ ନାଁ ସୁପାରିସ୍ କରିବ ସର୍ଚ୍ଚ କମିଟି 

98

କନକ ବ୍ୟୁରୋ : ଓଡ଼ିଶାରେ ଲୋକାୟୁକ୍ତ ଗଠନ ନେଇ ପ୍ରକ୍ରିୟା ଆଉ ପାଦେ ଆଗେଇଛି । ୭-ଜଣିଆ ସର୍ଚ୍ଚ କମିଟି ନାମକୁ ଆଜି ଅନୁମୋଦନ ଦେଇଛି ସର୍ବୋଚ୍ଚ କ୍ଷମତା ସଂପନ୍ନ “ସିଲେକ୍ସନ କମିଟି” । ସର୍ଚ୍ଚ କମିଟି ମାସକ ମଧ୍ୟରେ ଲୋକାୟୁକ୍ତ ଅଧ୍ୟକ୍ଷ ଓ ଅନ୍ୟ ୫ଜଣ ସଦସ୍ୟଙ୍କ ନାମ ସୁପାରିଶ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସର୍ଚ୍ଚ କମିଟିର ଅଧ୍ୟକ୍ଷ ଭାବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅମିତାଭ ରାୟ ମନୋନୀତ ହୋଇଛନ୍ତି । ସେହିଭଳି ସଦସ୍ୟ ଭାବେ ପ୍ରଫେସର ଭେଙ୍କଟ ରାଓ ରାମଭାଟିଆ, ସଂଜୀବ ହୋତା, ଡ. ରବିନାରାୟଣ ବହିଦାର, ଗୋପାଳ ଚନ୍ଦ୍ର ନନ୍ଦ, ଡ. ବିଧୂଭୂଷଣ ସାମଲ ଓ ପ୍ରଫେସର ସ୍ନିଗ୍ଧା ପଟ୍ଟନାୟକ ସ୍ଥାନ ପାଇଛନ୍ତି ।

ଲୋକପାଳ ଗଠନ ନେଇ ସୋମବାର ସନ୍ଧ୍ୟାରେ ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୫-ଜଣିଆ ସିଲେକ୍ସନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ହାଇକୋର୍ଟର ମୁଖ୍ୟ ବିଚାରପତି କେ. ଏସ୍. ଜାଭେରୀ, ବିଧାନସଭାର ବାଚସ୍ପତି ପ୍ରଦୀପ ଅମାତ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ଅନ୍ୟତମ ସଦସ୍ୟ ରୂପେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ । ରାଜ୍ୟ ସରକାର ଖୁବ୍ ଶୀଘ୍ର ଲୋକାୟୁକ୍ତ ଗଠନ କାର୍ଯ୍ୟ ଶେଷ କରିବାକୁ ନିକଟରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।