କନକ ବ୍ୟୁରୋ : ସଂସଦ ଅଧିବେଶନର ପ୍ରଥମ ଦିନରେ ମଣିପୁର ହିଂସାକୁ ନେଇ ଉଭୟ ଗୃହରେ ହଙ୍ଗାମା କରିଛନ୍ତି ବିରୋଧୀ । ବିରୋଧୀଦଳମାନେ ମଣିପୁର ଘଟଣା ଉପରେ ସଂସଦରେ ପ୍ରଧାନମନ୍ତ୍ରୀ ବୟାନ ରଖନ୍ତୁ ବୋଲି ଦାବି କରିଥିଲେ । ଏହାକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଏସବୁକୁ ନଜରରେ ରଖି ବାଚସ୍ପତି ପ୍ରଥମେ ଦିନ ୨ଟା ପର୍ଯ୍ୟନ୍ତ ଉଭୟ ଗୃହକୁ ମୁଲତବୀ କରିଥିବା ବେଳେ ୨ଟା ପରେ ସଂସଦରେ ସମାନ ପରିସ୍ଥିତି ଦେଖାଦେବାରୁ ଆସନ୍ତା କାଲି ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି ।

Advertisment

ସଂସଦର ମୌସୁମୀ ଅଧିବେଶନ ଆଜି ଠାରୁ ଆରମ୍ଭ ହୋଇଛି । ରାଜ୍ୟସଭା ଓ ଲୋକସଭାରେ ଦିନ ୧୧ ଟା ବେଳେ ବୈଠକ ଆରମ୍ଭ ହୋଇଥିଲା । ଲୋକସଭାର ବାଚସ୍ପତି ଓମ୍ ବିର୍ଲା ଓ ରାଜ୍ୟସଭାର ସଭାପତି ଜଗଦୀପ ଧନଖଡ ପ୍ରଥମେ ନୂଆ ସଦସ୍ୟମାନଙ୍କୁ ଶପଥ ପାଠ କରାଇଥିଲେ । ଏହାପରେ ଉଭୟ ସଦନରେ ଦିବଗଂତ ସଦସ୍ୟମାନଙ୍କୁ ସମ୍ମାନ ଜଣାଇ ନିରବ ପ୍ରାର୍ଥନା କରିଥିଲେ ସଦସ୍ୟମାନେ ।

ଏହାପରେ ପ୍ରଥମ ଆଲୋଚନା ପରିସରକୁ ଆସିଥିଲା ମଣିପୁରରେ ଘଟିଥିବା ଲଜ୍ଜାଜନକ ଘଟଣା ଉପରେ ଆଲୋଚନା । ବିରୋଧୀଦଳମାନେ ମଣିପୁର ଘଟଣା ଉପରେ ସଂସଦରେ ପ୍ରଧାନମନ୍ତ୍ରୀ ବୟାନ ରଖନ୍ତୁ ବୋଲି ଦାବି କରିଥିଲେ । ଏହାକୁ ନେଇ କେନ୍ଦ୍ରୀୟ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପହ୍ଲାଦ ଜୋଶୀ କହିଥିଲେ କି ମଣିପୁର ଘଟଣାକୁ ନେଇ ସରକାର ସଂସଦରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି । ସେହିଭଳି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ କହିଥିଲେ ଯେ ସରକାରଙ୍କ ତରଫରୁ ସଂସଦରେ ମଣିପୁର ଘଟଣାକୁ ନେଇ କେହି ନା କେହି ବୟାନ ଜବାବ ଦେବେ ।