ନିର୍ଦ୍ଧାରିତ ସମୟରେ ହେବ ଲୋକସଭା ନିର୍ବାଚନ : ମୁଖ୍ୟ ନିର୍ବାଚନ କମିସନର

179

କନକ ବ୍ୟୁରୋ : ୨୦୧୯ ଲୋକସଭା ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବ । ଏଥିପାଇଁ ଭାରତୀୟ ନିର୍ବାଚନ କମିସନ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ମୁଖ୍ୟ ନିର୍ବାଚନ କମିସନର ସୁନିଲ ଆରୋରା ସ୍ପଷ୍ଟ କରିଛନ୍ତି । ଭାରତ-ପାକିସ୍ତାନ ସୀମାରେ ଦେଖାଦେଇଥିବା ଉତ୍ତେଜନାକୁ ନେଇ ସରଗରମ ସ୍ଥିତି ଲାଗି ରହିଥିବା ବେଳେ ନିର୍ବାଚନ କମିସନଙ୍କ ଏହି ଘୋଷଣା ରାଜନୈତିକ ଉଷ୍ମତାକୁ ବଢ଼ାଇ ଦେଇଛି । ପାକିସ୍ତାନରେ ଆତଙ୍କବାଦୀ ଆଡ଼ା ଧ୍ବଂସ କରିବା ପାଇଁ ଭାରତୀୟ ବାୟୁସେନାର ବିମାନ ଆକ୍ରମଣ ଏବଂ ଏହାର ପରବର୍ତ୍ତୀ ପରିସ୍ଥିତିରେ ସାଧାରଣ ନିର୍ବାଚନ ଘୁଞ୍ଚିବ ବୋଲି ଚର୍ଚ୍ଚା ହେଉଥିଲା । ତେବେ ଏଥିରେ ପୂର୍ଣ୍ଣଛେଦ ପକାଇ ନିର୍ଦ୍ଧାରିତ ସମୟରେ ହିଁ ଲୋକସଭା ନିର୍ବାଚନ ହେବ ବୋଲି ମୁଖ୍ୟ ନିର୍ବାଚନ କମିସନର କହିଛନ୍ତି ।

ନିର୍ବାଚନ କମିସନଙ୍କ ନୂତନ ବିଜ୍ଞପ୍ତି ଅନୁଯାୟୀ ପ୍ରାର୍ଥୀମାନେ ସେମାନଙ୍କର ଦେଶ ଭିତରେ ଥିବା ସଂପତ୍ତି ସହିତ ବିଦେଶ ସମ୍ପତ୍ତି ସଂପର୍କରେ ମଧ୍ୟ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରିବେ। ଆୟକର ବିଭାଗ ଏ ବାବଦ ତଥ୍ୟର ଯାଞ୍ଚ କରିବ ଏବଂ କୌଣସି ଅନିୟମିତତା ମିଳିଲେ ତୁରନ୍ତ ନିର୍ବାଚନ କମିସନଙ୍କ ୱେବସାଇଟରେ ଏହାକୁ ଅପଲୋଡ  କରାଯିବ ଏବଂ ବିହୀତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟ ନିର୍ବାଚନ କମିସନର କହିଛନ୍ତି । ହିଂସା ଏବଂ ଉତ୍ତେଜନା ସୃଷ୍ଟିକାରୀ ଭାଷଣକୁ ବରଦାସ୍ତ କରାଯିବ ନାହିଁ ଏବଂ ରାଜ୍ୟମାନଙ୍କର ଡିଜିପି ଏବଂ ମୁଖ୍ୟ ସଚିବ ଏ ବାବଦରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ସୁନିଶ୍ଚିତ କରିବେ ବୋଲି ସେ କହିଛନ୍ତି ।

ଏଥର ନିର୍ବାଚନରେ ସି ଭିଜିଲ୍ ଆପ୍ ପ୍ରଚଳନ ହେବ। ଏହାକୁ ପ୍ରଥମେ ପାଇଲଟ୍ ପ୍ରକଳ୍ପ ଭାବେ କର୍ଣ୍ଣାଟକରେ ଆରମ୍ଭ କରାଯିବ । ଏହି ପ୍ରକ୍ରିୟାରେ ନିର୍ବାଚନ ସଂପର୍କିତ ଅଭିଯୋଗକୁ ଏହି ଆପ୍ ମାଧ୍ୟମରେ ଜନସାଧାରଣ ଦାଖଲ କରିବେ । ସୋସିଆଲ ମିଡିଆ ଉପରେ ମଧ୍ୟ ନିର୍ବାଚନ କମିସନ ସତର୍କ ନଜର ରଖିବା ପାଇଁ ବ୍ୟବସ୍ଥା କରିଥିବା ମୁଖ୍ୟ ନିର୍ବାଚନ କମିସନର କହିଛନ୍ତି । ଦେଶର ସମସ୍ତ ୧, ୬୩,୩୩୧ ଭୋଟ୍ ଗ୍ରହଣ କେନ୍ଦ୍ରରେ ଭିଭିପିଏଟି ମେସିନ୍ ବ୍ୟବହାର ହେବ ବୋଲି ଆରୋରା ସୂଚନା ଦେଇଛନ୍ତି ।