ଦେଶରେ ଡର ବଢାଉଛି କରୋନା ଭୂତାଣୁ । ଗତ ୨୪ ଘଂଟାରେ ଦେଶରେ ସଂକ୍ରମଣ ଟପିଲା ୨୪ ହଜାର । ମହାରାଷ୍ଟ୍ରର ୮ ଜିଲ୍ଲାରେ ଲକଡାଉନ୍ ।

210

କନକ ବ୍ୟୁରୋ: ଗୋଟିଏ ବର୍ଷ ପରେ ଦେଶରେ ପୁଣି ଉପର ମୁହାଁ ହୋଇଛି କରୋନା ମିଟର । ଗତ ୨୪ ଘଂଟାରେ ଚଳିତବର୍ଷର ସର୍ବାଧିକ କରୋନା ସଂକ୍ରମଣ ରେକର୍ଡ କରାଯାଇଛି । ସାରା ଦେଶରେ ଗୋଟିଏ ଦିନରେ ୨୪ ହଜାର ୮୮୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ସଂକ୍ରମଣ ବଢୁଥିବାରୁ ମହାରାଷ୍ଟ୍ରର ୮ ଜିଲ୍ଲାରେ ଲାଗୁ ହୋଇଛି ଲକଡାଉନ୍ ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ରିପୋର୍ଟ କହୁଛି ଗତ ୮୩ ଦିନରେ ଏହି ସଂକ୍ରମଣ ସଂଖ୍ୟା ହେଉଛି ଦେଶରେ ସର୍ବାଧିକ । ଗତ ୬ ଦିନର କରୋନା ସଂକ୍ରମଣ ସଂଖ୍ୟା ଦେଶରେ ୧ ଲକ୍ଷ ୨୦ ହଜାର ଅତିକ୍ରମ କରିଛି । ଏଥିସହ ସାରା ଦେଶରେ ବର୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିଛି । ମୋଟ୍ ୨ ଲକ୍ଷ ୨ ହଜାର ୨୨ଟି ସକ୍ରିୟ ମାମଲା ସାରାଦେଶରେ ରହିଛି । ଦେଶରେ ୮ ରାଜ୍ୟରେ ସଂକ୍ରମଣ ଅଧିକ ରହିଛି ।

– ମାର୍ଚ ମାସରେ ଚିନ୍ତା ବଢାଇଲାଣି ୮ ରାଜ୍ୟର କରୋନା ସଂକ୍ରମଣ
– ମହାରାଷ୍ଟ୍ର, ତାମିଲନାଡୁ, ପଞ୍ଜାବ, ମଧ୍ୟପ୍ରଦେଶ, ଦିଲ୍ଲୀ, ଗୁଜରାଟ, କର୍ଣ୍ଣାଟକ ଓ ହରିୟାଣା
– ଦେଶର ୫ ରାଜ୍ୟରେ ଅଛନ୍ତି ମୋଟ୍ ସଂକ୍ରମଣର ୮୯ ପ୍ରତିଶତରୁ ଅଧିକ
– କେବଳ ମହାରାଷ୍ଟ୍ର ଓ କେରଳରେ ୭୧ ପ୍ରତିଶତ ସଂକ୍ରମିତ

ମହାରାଷ୍ଟ୍ରରେ ସଂକ୍ରମଣ ବଢୁଥିବାରୁ ଉଦ୍ଧବ ସରକାର ବିରୋଧରେ ବଡ ଅଭିଯୋଗ ଆଣିଛି ବିଜେପି । କରୋନା ମୁକାବିଲା କେବଳ ଘୋଷଣାରେ ବୋଲି କହିଛି ବିଜେପି । ମହାରାଷ୍ଟ୍ରରେ ବଢୁଥିବା ସଂକ୍ରମଣ ମଧ୍ୟରେ ନାଗପୁରରେ ଲାଗୁ ହୋଇଛି ସାପ୍ତାହିକ ଲକଡାଉନ୍ । କେବଳ ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦିଆଯାଇଛି । ଏହି ଲକଡାଉନରେ କେବଳ ଔଷଧ, ପନିପରିବା, ଫଳ ଓ କ୍ଷୀର ଦୋକାନ ଖୋଲା ରହିଛି । ତେବେ ନାଗପୁରର କଟନ ମାର୍କେଟ ମଣ୍ଡିରେ କିନ୍ତୁ ଲୋକମାନେ ଫୁ କରି ସାମାଜିକ ଦୂରତା ନିୟମ ଉଡାଇ ଦେଇଥିବା ଦେଖିବାକୁ ମିଳୁଛି ।

ସଂକ୍ରମଣ ଉପରମୁହାଁ ପରେ ମହାରାଷ୍ଟ୍ରର ୮ ଜିଲ୍ଲାରେ ଲକ୍ ଡାଉନ ଲାଗୁ ହୋଇଛି । ସେହିପରି ବଢୁଥିବା କରୋନା ସଂକ୍ରମଣକୁ ଦେଖି ପଞ୍ଜାବର ଆଉ ୪ ଟି ଜିଲ୍ଲାରେ ଜାରି ହୋଇଛି ରାତି କର୍ଫ୍ୟୁ । ଫଳରେ ରାଜ୍ୟର ମୋଟ୍ ୮ଟି ଜିଲ୍ଲାରେ ହୋଇଛି ଲକଡାଉନ୍ । ଲୁଧିଆନା, ପଟିଆଲା, ମୋହାଲି, ଫତେଗଡ ସାହିବ, ଜଳନ୍ଧର, ନୱନ ସହର, କପୁରତାଲା ଓ ହୋସିଆରପୁରରେ ରାତି ୧୧ରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ଜାରି କରାଯାଇଛି ।