ରାଜ୍ୟବାସୀଙ୍କ ସତର୍କ କରାଇଲେ ଡିଏମଇଟି ସିବେକେ ମହାନ୍ତି । କହିଲେ, କୋଭିଡ୍ ନିୟମ ନମାନିଲେ ଫେରିପାରେ ଲକଡାଉନ୍ ।

166

କନକ ବ୍ୟୁରୋ: କୋଭିଡ୍ ନିୟମ ନମାନିବାର ଅର୍ଥ ହେଉଛି ଲକଡାଉନକୁ ଆମନ୍ତ୍ରଣ କରିବା  । ଅନ୍ୟ ରାଜ୍ୟ ଭଳି ଓଡିଶାରେ ମଧ୍ୟ ଆବଶ୍ୟକ ପଡିଲେ କଟକଣା ଲାଗୁ ହେବ । ରାଜ୍ୟ ସରକାର ଏବେ କୋଭିଡ୍ ସ୍ଥିତି ନେଇ ସମୀକ୍ଷା କରୁଛନ୍ତି । ଆବଶ୍ୟକ ପଡିଲେ ମେଡିକାଲ ବେଡ୍ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ । ଯଦି ଲୋକମାନେ ନିୟମ ନମାନିବେ ତେବେ ଲକଡାଉନ୍ ଫେରିବ । ରାଜ୍ୟବାସୀଙ୍କୁ କୋଭିଡ୍ ନିୟମ ନମାନିବାର ପରିଣାମକୁ କିଛି ଏଭଳି ଢଙ୍ଗରେ ସୂଚାଇ ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି ।

ଦେଶର କିଛି ରାଜ୍ୟରେ ଏବେ କୋଭିଡ୍ ସଂକ୍ରମଣ ବଢିବାରେ ଲାଗିଛି । କିଛି ରାଜ୍ୟରେ ଲକଡାଉନ୍ ଓ ନାଇଟ୍ କର୍ଫ୍ୟୁ ଭଳି ସ୍ଥିତି ମଧ୍ୟ ଉପୁଜିଲାଣି । ଏଭଳି ସ୍ଥିତିରେ ଓଡିଶାରେ ଲୋକମାନେ କୋଭିଡ୍ ନିୟମ ନମାନିଲେ ଓଡିଶାରେ ମଧ୍ୟ ଲକଡାଉନ୍ ଭଳି ସ୍ଥିତି ଉପୁଜିପାରେ ବୋଲି କୁହାଯାଇଛି ।

ଅନ୍ୟପଟେ ରାଜ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧିକୁ ନେଇ ଆଜି ଲୋକସଭା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଏଥିରେ ମୁଖ୍ୟ ଶାସନ ସଚିବଙ୍କ ସହିତ ଏସଆରସି, ଉନ୍ନୟନ କମିଶନର, ସ୍ୱାସ୍ଥ୍ୟ ସଚିବ ଉପସ୍ଥିତ ରହିଛନ୍ତି । ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି । କରୋନା ସଂପର୍କିତ ଗାଇଡଲାଇନକୁ କିଭଳି କଡାକଡି ଭାବେ ପାଳନ କରାଯିବସ ସେନେଇ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରାଯାଉଛି ।