ଅଟୋରେ ଯାଉଥିବା ମହିଳାଙ୍କ ବେକରୁ ଚେନ୍ ଝାମ୍ପି ନେଲେ ଲୁଟେରା । ଅଟୋରୁ ଡେଇଁ କାବୁ କଲା ନାବାଳକ ପୁଅ, ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକେ ।

553

କନକ ବ୍ୟୁରୋ : ରାଜଧାନୀରେ ପାଂଚ ପାଂଚଟି ଏନକାଉଣ୍ଟର ପରେ ବି ଲୁଟେରାଙ୍କ ଚେତା ପଶିନି । ଆଜି ଦିନ ଦ୍ୱିପହରେ ପୁଣି ଥରେ ହୋଇଛି ଛିନତାଇ । ମହିଳାଙ୍କ ବେକରୁ ସୁନା ଚେନ୍ ଛିଡାଇନେଇଛନ୍ତି ଲୁଟେରା । ହେଲେ ଲୁଟର ଶିକାର ମହିଳାଙ୍କ ପୁଅ, ଗୋଡାଇ ଗୋଡାଇ ଲୁଟେରାକୁ କାବୁ କରିଥିଲେ । ଆଉ ଧରାପଡିବା ପରେ ନିର୍ଧୁମ ଛେଚା ଖାଇଥିଲେ ଲୁଟେରା । ଲୁଟର ଏହି ପୁରା ଘଟଣା କଏଦ ହୋଇଛି ସିସିଟିଭିରେ । ଆସନ୍ତୁ ଜାଣିବା କେମିତି ଥିଲା ଲାଇଭ ଲୁଟ୍ ।

ସ୍ଥାନ- ରସୁଲଗଡ ଭାଗବତ ସନ୍ଧାନ । ସମୟ- ଦିନ ସାଢେ ୧୧ଟା । ଲାଇଭ ଲୁଟର ଏହି ସିସିଟିଭି ଦୃଶ୍ୟକୁ ଦେଖନ୍ତୁ । ରସୁଲଗଡ ଭାଗବତ ସନ୍ଧାନ ନିକଟ ଏହି ଗଳିରୁ ବାହାରୁଛନ୍ତି ୩ଜଣ ଯୁବକ । ୨ ଜଣ ଯୁବକ ବସିଛନ୍ତି ବାଇକ ଉପରେ । ଯେଉଁ ସମୟରେ ମହିଳା ଜଣକ ଅଟୋରେ ଯାଉଥିଲେ, ସେହି ସମୟରେ ୩ଜଣ ଲୁଟେରା ଏକ ଆପାଚେ ବାଇକରେ ତାଙ୍କୁ ଫଲୋ କରିଥିଲେ । ଠିକ ଭାଗବତ ସନ୍ଧାନ ସମ୍ମୁଖରେ ବାଇକରେ ପଛରେ ବସିଥିବା ଲୁଟେରା ଜଣକ ମହିଳାଙ୍କ ବେକରେ ଥିବା ଚେନକୁ ଝାମ୍ପିବାକୁ ଚେଷ୍ଟା କରିଥିଲା ।

ଲୁଟ୍ କରିବା ପରେ ବାଇକରେ ଖସି ପଳାଇବାକୁ ଚେଷ୍ଟା କରିଥିଲେ ୩ ଲୁଟେରା । ଠିକ ଏହି ସମୟରେ ଲୁଟର ଶିକାର ମହିଳାଙ୍କ ପୁଅ ଅଟୋ ଭିତରୁ ବାହାରି ଲୁଟେରାଙ୍କ ପିଛା କରିଥିଲେ । ଲୁଟେରାଙ୍କ ଭିତରୁ ଜଣକ ଉପରକୁ ଡେଇଁ ପଡିଥିଲେ ପୁଅ ଜଣକ । ନିଜର ଉପସ୍ଥିତ ବୁଦ୍ଧି ଓ ସାହସ ଦେଖାଇ ଲୁଟେରାଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ । ପାଖାପାଖି ୫୦ ମିଟର ଧରି ବାଇକ ସହ ଘୁଷୁଡିବା ପରେ, ଲୁଟେରା ମାନେ ବାଇକରୁ ତଳକୁ ପଡି ଯାଇଥିଲେ । ଜଣେ ଲୁଟେରା ଏହାରି ଭିତରେ ଫେରାର ହୋଇଯାଇଥିବା ବେଳେ, ଅନ୍ୟ ୨ ଅଭିଯୁକ୍ତଙ୍କୁ କାବୁ କରିଥିଲେ ସ୍ଥାନୀୟ ଲୋକେ ।

ସ୍ଥାନୀୟ ଲୋକଙ୍କ ମିଳିତ ଉଦ୍ୟମ ପରେ ଲୋକଙ୍କ ହାତରେ ଧରା ପଡିଲେ ଲୁଟେରା । ପାଖାପାଖି ଅଧଘଂଟା କାଳ ଲୋକମାନେ ଲୁଟେରାଙ୍କୁ ଛେଚିବା ପରେ, ଘଟଣା ସ୍ଥଳରେ ପୁଲିସ ପହଂଚିଥିଲା । ଆଉ ଲୁଟେରାଙ୍କୁ ଧରି ଥାନାକୁ ନେବା ସହ, ଘଟଣା ସ୍ଥଳରୁ ବାଇକ ଜବତ କରିଥିଲା । ମହିଳାଙ୍କ ପୁଅର ଉପସ୍ଥିତ ବୁଦ୍ଧି, ସାହସ ଓ ସ୍ଥାନୀୟ ଲୋକଙ୍କ ସହଯୋଗ ଯୋଗୁଁ, ମହିଳା ତାଙ୍କ ସୁନା ଅଳଙ୍କାର ଫେରି ପାଇଥିଲେ ।

ରସୁଲଗଡ ଆକ୍ରମଣ ଓ ଲୁଟ୍ ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହା ପରେ ଅଧିକ ସକ୍ରୀୟ ହୋଇ ପଡିଥିଲା କମିଶନରେଟ୍ ପୋଲିସ । ୩ ଦିନରେ ୫-୫ଟି ଏନକାଉଁଟର ବି ହୋଇଥିଲା । କିନ୍ତୁ ଗତକାଲି ଓ ଆଜିର ଲୁଟ୍ ଘଟଣା ପରେ ଏବେ ବି ଅପରାଧୀଙ୍କ ଭିତରେ ଭୟ ସୃଷ୍ଟି ହୋଇ ନଥିବା ଅନୁମାନ କରାଯାଉଛି ।