ଆତଙ୍କବାଦୀଙ୍କ ଟାର୍ଗେଟରେ ନେତା, ଜମ୍ମୁ-କାଶ୍ମୀରରେ ‘ଆପନୀ ପାର୍ଟି’ ର ନେତା ଗୁଲାମ ହସନଙ୍କୁ ଗୁଳି କରି ହତ୍ୟା

149

କନକ ବ୍ୟୁରୋ : ଆତଙ୍କବାଦ ଏବେ ସାରା ବିଶ୍ୱ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଗୋଟେପଟେ ତାଲିବାନୀ ଆତଙ୍କବାଦୀଙ୍କ ଦ୍ୱାରା ଆଫଗାନିସ୍ତାନ ଦଖଲ ତ ଅନ୍ୟପଟେ ଜମ୍ମୁ-କାଶ୍ମୀରରେ କିଛିଦିନ ହେବ ଆତଙ୍କବାଦୀଙ୍କ ଟାର୍ଗେଟରେ ନେତା ।

ଜମ୍ମୁ-କାଶ୍ମୀରର କୁଲଗ୍ରାମ ଠାରେ ଗୁରୁବାର ଦିନ ପୁଣି ଜଣେ ନେତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଆତଙ୍କବାଦୀ । ହତ୍ୟାର ଶିକାର ହୋଇଥିବା ନେତା ଜଣଙ୍କ ହେଉଛନ୍ତି ‘ଆପନୀ’ ପାର୍ଟିର ଗୁଲାମ ହସନ ଲୋନ । ଗୁଲାମ ପ୍ରଥମେ ପିଡିପିର ବ୍ଲକ ସଭାପତି ଥିଲେ । ଏବେ ସେ ‘ଆପନୀ ପାର୍ଟି’ରେ ଯୋଗ ଦେଇଥିଲେ ।

କହିରଖୁ କି ଘାଟିର ନେତାମାନଙ୍କୁ ଏବେ ଲଗାତର ଭାବେ ଟାର୍ଗେଟ କରୁଛନ୍ତି ଆତଙ୍କବାଦୀମାନେ । ଏବେ ବିଶେଷ ଭାବେ ଆତଙ୍କବାଦୀଙ୍କ ଟାର୍ଗେଟରେ ବିଜେପି ନେତାମାନେ ରହିଛନ୍ତି । ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏପର୍ଯ୍ୟନ୍ତ ମୋଟ ୨୩ ଜଣ ବିଜେପି ନେତାଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି । ଏହି ସୂଚନା ବିଜେପି ନେତା ଅଲ୍ତାଫ ଠାକୁର ଦେଇଛନ୍ତି । ସେ କହିଛନ୍ତି କି ୨ ବର୍ଷ ମଧ୍ୟରେ ଦଳର ୨୩ ଜଣ କାର୍ଯ୍ୟକର୍ତ୍ତାକୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି ।

୨ ଦିନ ପୂର୍ବରୁ ବିଜେପି ନେତା ଜାବେଦ ଅହମ୍ମଦଙ୍କୁ ବି ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ । ଏହି ଘଟଣା ପରେ କାଶ୍ମୀର ବିଜେପିର ମିଡିଆ ପ୍ରଭାରୀ ମଞ୍ଜୁର ଅହମ୍ମଦ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ ।