ଏଣକିି ଓଡିଶାରେ ବି ହୋଇପାରିବ ଲିଭର ସିରୋସିସର ବାଇପାସ ଅପରେସନ। ଭୁବନେଶ୍ୱରରେ ସମ୍ଭବପର ହେଉଛି ଏଭଳି ଅସ୍ତ୍ରୋପଚାର। ଆଉ ଯିବାକୁ ପଡିବନି ରାଜ୍ୟ ବାହାରକୁ

567

କନକ ବ୍ୟୁରୋ: ଭୁବନେଶ୍ୱରରେ ଏଣକିି ସମ୍ଭବପର ହୋଇପାରିଛି ଲିଭର ସିରୋସିସର ବାଇପାସ ଅପରେସନ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଏଭଳି ଅସ୍ତ୍ରୋପଚାର କରାଯାଇଛି । ପୂର୍ବରୁ ଏଭଳି ଅପରେସନ ପାଇଁ ରାଜ୍ୟ ବାହାରକୁ ଯିବାକୁ ପଡୁଥିବା ବେଳେ ବିଶାଖାପାଟଣାର ଓଡିଆ ଡାକ୍ତର କଳିଙ୍ଗ ହସ୍ପିଟାଲରେ ଏଭଳି ଅପରେସନ ଆରମ୍ଭ କରିଛନ୍ତି ।

କଟକ ସଦରର ବିଷ୍ଣୁ ଚରଣ ପ୍ରଧାନ । ୪୬ ବର୍ଷିୟ ବିଷ୍ଣୁ ଗତ ୧ ବର୍ଷ ଧରି ଲିଭର ସିରୋସିସ ରୋଗରେ ଆକ୍ରାନ୍ତ ଥିଲେ । ବିଭିନ୍ନ ହସ୍ପିଟାଲ ବୁଲିବା ପରେ ମଧ୍ୟ ଲିଭର ବା ଯକୃତରେ ପାଣି ଜମିବା ସମସ୍ୟାରୁ ମୁକୁଳି ପାରୁନଥିଲେ । ହେଲେ ଏତିକି ବେଳେ ଦେବ ଦୂତ ସାଜିଥିଲେ ଡାକ୍ତର ଶିବ ଶଙ୍କର ଦଳେଇ । ବିଶାଖାପାଟଣାରେ କାର୍ଯ୍ୟ କରୁଥିବା ଡାକ୍ତର ଶିବ ଶଙ୍କର, ଓଡିଶା ଆସି କଳିଙ୍ଗ ହସ୍ପିଟାଲରେ ବିଷ୍ଣୁଙ୍କ ଅପରେସନ କରିଛନ୍ତି । ଲିଭର ସିରୋସିସର ଅସ୍ତ୍ରୋପଚାର ପାଇଁ ପୂର୍ବରୁ ରାଜ୍ୟ ବାହାରକୁ ଯିବାକୁ ପଡୁଥିଲା । ହେଲେ ଏବେ ଓଡିଶାରେ ହୋଇପାରୁଛି । ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଏଭଳି ଅପରେସନ କରିଥିବା କହିଛନ୍ତି ଡାକ୍ତର ଶିବ ଶଙ୍କର ଦଳେଇ । ୧୦ଜଣିଆ ଡାକ୍ତରୀ ଟିମ ପ୍ରାୟ ୪ଘଂଟା ଧରି ଏହି ଅସ୍ତ୍ରୋପଚାର କରିଛନ୍ତି । ଯାହା ସଫଳ ହୋଇଛି ।

ଏହି ଅପରେସନ ଜରିଆରେ ରୋଗୀଙ୍କ ଲିଭରକୁ ଆସୁଥିବା ରକ୍ତ ନଳୀ ଗୁଡିକର ଦିଗ ପରିବର୍ତ୍ତନ କରି ହୃତପିଣ୍ଡକୁ ସଂଯୋଗ କରିବାରେ ସଫଳ ହୋଇଛନ୍ତି ଡାକ୍ତରୀ ଟିମ । ଏହାପରେ ଯକୃତ ବା ଲିଭର ଉପରେ ଚାପ କମିବା ସହ ପାଣି ଜମିବା କମିବ । ଲିଭର ସିରୋସିସର ଏହି ଅପରେସନ୍କୁ ଟିପ୍ସ କୁହାଯାଉଥିବା ବେଳେ ଆଗକୁ ଓଡିଶାରେ ଯକୃତ ପ୍ରତିରୋପଣ ସମ୍ଭବପର ହେବ ବୋଲି କହିଛନ୍ତି ଡାକ୍ତର । ଓଡିଶାରେ ଲିଭର ସିରୋସିସ ରୋଗୀଙ୍କ ସଂଖ୍ୟା ଧିରେ ଧୀରେ ବଢୁଥିବା ବେଳେ ଉଚ୍ଚମାନର ଚିକିତ୍ସା ପାଇଁ ଅନେକଙ୍କୁ ରାଜ୍ୟ ବାହାରକୁ ଯିବାକୁ ପଡୁଥିଲା । ଏଣିକି ଏହା ଓଡିଶାରେ ଉପଲବ୍ଧ ହୋଇ ପାରିଛି ଏବଂ ବାହାର ରାଜ୍ୟ ତୁଳନାରେ କମ ଖର୍ଚ୍ଚ ହେଉଛି । ତେବେ ମଦ୍ୟପାନ ଲିଭର ସିରୋସିସର ପ୍ରମୁଖ କାରଣ ହୋଇଥିବାରୁ ନିଶା ସେବନରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର ।