ଚିକେନ କାଉଣ୍ଟରରେ ହେଉଥିଲା ମଦ ବେପାର । ଅତର୍କିତ ଚଢାଉ କରି ଧରିଲା ପୋଲିସ, ଜଣେ ଗିରଫ, ବିପୁଳ ପରିମାଣରେ ମଦ ଜବତ । 

137

କନକ ବ୍ୟୁରୋ : ଚିକେନ କାଉଣ୍ଟରରେ ମିଳୁଥିଲା ମଦ । ମଙ୍ଗଳବାର ଦିନ କଟକ ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାର୍ଡ ଚୋରାମଦ ବିକ୍ରି ମାମଲାରେ ଜଣେ ମଦ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ମଦ ବ୍ୟବସାୟୀ ଜଣକ ହେଲେ ଉତ୍ତରା ଫାଣ୍ଡି ଅଧୀନ ମାଟିଆପଡ଼ା ଗ୍ରାମର ରବୀନ୍ଦ୍ର ମଲ୍ଲିକ । ତେବେ ରବୀନ୍ଦ୍ରଙ୍କ ଜାମିନ ନାମଂଜୁର ହେବାରୁ ନିମାପଡ଼ା ଉପକାରାଗାରକୁ ପଠାଇଦିଆଯାଇଥିବା ଜଣାପଡିଛି । ଏଥିସହିତ ରବୀନ୍ଦ୍ର ନିକଟରୁ ସ୍କ୍ୱାର୍ଡ ବିପୁଳ ପରିମାଣର ବିଦେଶୀ ଓ ଦେଶୀମଦ ଜବତ କରିଛି । ଏହାର ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣେ ଅବକାରୀ ବିଭାଗ ଅଧିକାରୀ କହିଛନ୍ତି ।

ସୂଚନା ଅନୁଯାୟୀ ଉତ୍ତରା ଫାଣ୍ଡି ଅଧିନ ଗୁଡ଼ିଆପୋଖରୀ ଛକରେ ରବୀନ୍ଦ୍ରର ଏକ ଚିକେନ କାଉଣ୍ଟର ରହିଛି । ଚିକେନ କାଉଣ୍ଟର ଆଳରେ ରବୀନ୍ଦ୍ର ଦୀର୍ଘ ବର୍ଷ ଧରି ଚୋରାମଦ କାରବାର ଚଳାଇ ଆସିଥିବା ନେଇ ଅବକାରୀ ବିଭାଗ କଟକ ଫ୍ଲାଇଂ ସ୍କ୍ୱାର୍ଡ ନିକଟରେ ଅଭିଯୋଗ ହୋଇଥିଲା । କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ କମିସନର ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶକ୍ରମେ ସେଠାରେ ଅତର୍କିତ ଚଢ଼ଉ କରିଥିଲା ପୋଲିସ। ଚଢ଼ଉ ବେଳେ ଚିକେନ କାଉଣ୍ଟରରୁ ବିଭିନ୍ନ ବ୍ରାଣ୍ଡର ୧୭ ପେଟି ବିଦେଶୀ ମଦ ୫ ପେଟି ଆସ୍କା-୪୦, ଦେଶୀମଦ ଜବତ କରାଯାଇଥିଲା । ଏହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି କୁହାଯାଇଛି । ପିପିଲି ଉପ ନିର୍ବାଚନ ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ରବୀନ୍ଦ୍ର ଏତେ ପରିମାଣର ମଦ ମହଜୁଦ ରଖିଥିବା କଥା କହିଥିବା ତଦନ୍ତକାରୀ ଅଧିକାରୀ ଜଣାଇଛନ୍ତି ।