କିଏ ବଞ୍ଚୁଛନ୍ତି ଅଧିକ ଦିନ? ସର୍ଭେ ରିପୋର୍ଟରେ ଆସିଲା ସାଂଘାତିକ ତଥ୍ୟ ।

316

କନକ ବ୍ୟୁରୋ : ଭାରତର ଉଚ୍ଚବର୍ଗଙ୍କ ଅପେକ୍ଷା ନିମ୍ନବର୍ଗରେ ଲୋକେ କମ ଦିନ ବଞ୍ଚୁଛନ୍ତି । ଏକ ସର୍ଭେ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ଆୟୁଷରେ ଏହି ତାରତମ୍ୟ ପାଇଁ ସାମାଜିକ ଓ ଆର୍ଥିକ ଅସମାନତାକୁ ଦାୟୀ କରିଛନ୍ତି ବିଶେଷଜ୍ଞ । ଶିକ୍ଷା ଓ ସ୍ୱାସ୍ଥ୍ୟ ସଚେତନତାରେ ନିମ୍ନ ବର୍ଗ ପଛରେ ଥିବାରୁ ଏହାର ପ୍ରଭାବ ସେମାନଙ୍କ ହାରହାରି ଆୟୁଷ ଉପରେ ପଡୁଥିବା କୁହାଯାଉଛି ।

ଭାରତୀୟଙ୍କ ହାରହାରି ଆୟୁଷ ନିର୍ଭର କରିଥାଏ ସାମାଜିକ ବ୍ୟବସ୍ଥା ଉପରେ । ସର୍ଭେରୁ ଏପରି ତଥ୍ୟ ସାମ୍ନାକୁ ଆସିଛି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣର ତଥ୍ୟକୁ ଅନୁଧ୍ୟାନ ଓ ବିଶ୍ଲେଷଣ କରି ଏକ ରିପୋର୍ଟ ପ୍ରକାଶ କରିଛି, ପପୁଲେସନ ଆଣ୍ଡ ଡେଭଲପମେଣ୍ଟ ରିଭିୟୁ ଜର୍ଣ୍ଣାଲ । ରିପୋର୍ଟ ଅନୁସାରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଠାରୁ ୪ରୁ ୬ ବର୍ଷ ଅଧିକ ବଂଚିଥାନ୍ତି ଉଚ୍ଚଜାତିର ଲୋକ । ସେହିପରି ଉଚ୍ଚବର୍ଗର ହିନ୍ଦୁଙ୍କ ଠାରୁ ମୁସଲମାନମାନେ ମଧ୍ୟ ଅଢେଇ ବର୍ଷ କମ ବଂଚନ୍ତି । ପଛୁଆ ବର୍ଗର ବ୍ୟକ୍ତିଙ୍କ ଠାରୁ ଉଚ୍ଚବର୍ଗର ଆୟୁଷ ୨.୫ ବର୍ଷରୁ ୩ ବର୍ଷ ଅଧିକ । ଆଉ ଏହାର କାରଣ ସାମାଜିକ ଓ ଆର୍ଥିକ ଅସମାନତା ବୋଲି କୁହାଯାଉଛି ।

ଉଦବେଗର କଥା ହେଉଛି, ଉଚ୍ଚବର୍ଗ ଓ ନିମ୍ନବର୍ଗ ମଧ୍ୟରେ ଆୟୁଷର ତାରତମ୍ୟ ବଢିବାରେ ଲାଗିଛି । ୧୯୯୭ରୁ ୨୦୦୦ ଓ ୨୦୧୩ରୁ ୨୦୧୬ରେ ହୋଇଥିବା ନ୍ୟାସନାଲ ଫ୍ୟାମଲି ହେଲଥ ସର୍ଭେରୁ ଏହା ଜଣାପଡିଛି । ଉଚ୍ଚଜାତିର ପୁରୁଷଙ୍କ ତୁଳନାରେ ଅନସୂଚିତ ଜନଜାତିର ପୁରୁଷଙ୍କ ଆୟୁଷ ହାରିହାରି ୮ ବର୍ଷ କମ୍ । ସେହିପରି ଜନଜାତିର ମହିଳାଙ୍କଠାରୁ ଉଚ୍ଚବର୍ଗର ମହିଳା ୪ ବର୍ଷ ଅଧିକ ବଞ୍ଚନ୍ତି ବୋଲି ରିପୋର୍ଟରୁ ଜଣାପଡିଛି । ଆଉ ଏହାର କାରଣ ହେଉଛି
ଉଚ୍ଚବର୍ଗଙ୍କ ପାରିପାଶ୍ୱର୍ିକ ସ୍ଥିତି ଏସସି, ଏସଟିଙ୍କ ଠାରୁ ଭଲ
ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନୁସୂଚିତ ଜାତି ଓ ଜନଜାତି ପଛରେ ପଡ଼ିଛନ୍ତି
ଆଧୁନିକ ଚିକିତ୍ସା ପ୍ରତି ଅଧିକ ସଚେତନ ଓ ନିର୍ଭରଶୀଳ ଉଚ୍ଚବର୍ଗର ବ୍ୟକ୍ତି
ଅନୁସୂଚିତ ଜାତି ଓ ଜନଜାତି, ପାରମ୍ପରିକ ଚିକିତ୍ସା ଓ ଗୁଣିଗାରେଡ଼ି ଉପରେ ବିଶ୍ୱାସ କରିଥାନ୍ତି

ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ପୁରିଥିଲେ ବି ଅନୁସୂଚିତ ଜାତି ଓ ଜନଜାତିଙ୍କ ବିଶେଷ ଉନ୍ନତି ହୋଇପାରିନାହିଁ । ସାମାଜିକ ଭେଦଭାବ ଛଡା ଶିକ୍ଷା ଓ ସ୍ୱାସ୍ଥ୍ୟ ସଚେତନତାରେ ସେମାନେ ପଛରେ ପଡିଛନ୍ତି । ଏହାଛଡା ଜୀବନଶୈଳୀ ପରିବର୍ତନ ନ ଆସିବା ଅନୁସୂଚିତ ଜାତି ଓ ଜନଜାତିଙ୍କ ଆୟୁଷ ଉପରେ ପ୍ରଭାବ ପକାଉଛି ।