କନକ ବ୍ୟୁରୋ: ଜମି ବୋଲି ଗୁଣ୍ଠେ ନାହିଁ । ମୂଲ ଲାଗିଲେ ଚୁଲି ଲାଗେ । ତା ଉପରେ ଦଇବର ଦାଉ । ଆଗରୁ ଭଙ୍ଗା କାନ୍ଥର ଚାଳଘର ଖଣ୍ଡେ ଥିଲା । ୟସ୍ ବାତ୍ୟାରେ ସେତକ ବି ମାଟିରେ ମିଶିଗଲା । ଭାରି କଷ୍ଟରେ ଉଠେଇଛନ୍ତି ଏଇ ଅଧା ମାଟିକାନ୍ଥ । ତାରି ଭିତରେ ଗୋରୁ , ମଣିଷ ସବୁ ଏକାକାର । ଘର ଖେଣ୍ଡେ ପାଇଁ ୱାର୍ଡମେମ୍ବର, ସରପଂଚଙ୍କ ଗୋଡ ହାତ ଧରିଲେ । ବିଡିଓ, ସବକଲେକ୍ଟର, ତହସିଲଦାର ସମସ୍ତଙ୍କୁ ଜଣାଇଲେ ଦୁଃଖ । ୨୦୧୮ରୁ ଏଯାଏଁ ସରକାରୀ ବାବୁଙ୍କ ପାଖକୁ ଦୌଡିଦୌଡି ନୟାନ୍ତ ହେଲେଣି ବେଣୁଧର । ହେଲେ ଫଳ ଶୂନ୍ । ମନର ଏପରି ଅନେକ କ୍ଷୋଭକୁ ପ୍ରକାଶ କରିଛନ୍ତି ନୀଳଗିରି ଔପଦା ବ୍ଲକ ବାଉଁଶବଣିଆ ଗାଁର ବେଣୁଧର ବେହେରା ।

Advertisment

                             ମନ ବୁଝିଲାନି ଯେ ପୁଣି ଥରେ ତହସିଲଦାରଙ୍କ ପାଖକୁ ଗଲେ ବେଣୁଧର । ହେଲେ ବାତ୍ୟା କେବେଠୁ ଗଲାଣି ଏବେ , ତମ ଦେଇଥିବା ଦରଖାସ୍ତ ବି କୁଆଡେ ଗଲାଣି । ଏବେ କିଛି ହେଇପାରିବନି କହି ଘଉଡାଇଦେଲେ ତହସିଲଦାର ।ବର୍ଷା ହେଲେ ଅବସ୍ଥା ଶୋଚନୀୟ ।ପାଣି ସରସର ଘରେ ଜଳୁନି ଚୁଲି । ଜନ୍ତୁଙ୍କ ଭୟରେ ରାତିରେ ନିଦ ହଉନି । ଅନେକ ସମୟରେ ପର ଘରେ ମୁଣ୍ଡ ଗୁଂଜୁଛନ୍ତି ବେଣୁଧରଙ୍କ ପିଲାଏ । ଯଦି ଏପରି ଗରିବଙ୍କ ପାଇଁ ଯୋଜନା ଶୂନ ତେବେ କାହା ସ୍ୱାର୍ଥରେ ସରକାରୀ ଯୋଜନା ବୋଲି ସାଧାରଣରେ ପ୍ରଶ୍ନ ।