କନକ ବ୍ୟୁରୋ : ଦିଲ୍ଲୀ ସରକାର ସିସୋଦିଆଙ୍କ ଇସ୍ତଫା ପରେ ତାଙ୍କ ପାଖରେ ଥିବା ୧୮ଟି ବିଭାଗକୁ ୨ଜଣ ମନ୍ତ୍ରୀଙ୍କ ମଧ୍ୟରେ ବାଣ୍ଟି ଦେଇଛନ୍ତି । ଏନେଇ କେଜ୍ରିୱାଲ ଦିଲ୍ଲୀ ସରକାରରେ ମନ୍ତ୍ରୀଥିବା କୈଳାଶ ଗେହଲଟ ଓ ରାଜକୁମାର ଆନନ୍ଦଙ୍କ ନାମ ଉପ ରାଜ୍ୟପାଳଙ୍କ ନିକଟକୁ ପଠାଇଥିବା ବେଳେ ଉପରାଜ୍ୟପାଳ ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

Advertisment

ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିସୋଦିଆଙ୍କ ନିକଟରେ ଥିବା ୧୮ଟି ବିିଭାଗ ମଧ୍ୟରୁ କୈଳାଶ ଗେହଲଟଙ୍କୁ ୮ଟି ବିଭାଗ ଓ ରାଜକୁମାର ଆନନ୍ଦଙ୍କୁ ୮ଟି ବିଭାଗ ଦେବାକୁ ନିଷ୍ପତ୍ତି କରିଥିଲେ । ଏନେଇ ସେ ଉପ ରାଜ୍ୟପାଳଙ୍କ ନିକଟକୁ ଏକ ଫାଇଲ ପଠାଇଥିଲେ ।

ସୂଚନା ଥାଉକି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ଥିବା ମନୀଷ ସିସୋଦିଆଙ୍କ ନିକଟରେ ମୋଟ ୧୮ଟି ବିଭାଗ ଥିଲା । କେଜ୍ରିୱାଲ ଉପରାଜ୍ୟପାଳଙ୍କୁ ପଠାଇଥିବା ସୁପାରିଶରେ ଏହି ୧୮ଟି ବିଭାଗକୁ ୨ଜଣ ମନ୍ତ୍ରୀଙ୍କ ମଧ୍ୟରେ ବାଣ୍ଟିଦେବାକୁ ନିଷ୍ପତ୍ତି କରିଥିଲେ । ଏହି କ୍ରମରେ ଏବେ କୈଳାଶ ଗେହଲଟଙ୍କ ପାଖକୁ ଅର୍ଥ, ଯୋଜନା, ଲୋକ ନିର୍ମାଣ ବିଭାଗ, ଶକ୍ତି, ଗୃହ, ୟୁଡି, ଜଳସେଚନ, ବନ୍ୟା ନିୟନ୍ତ୍ରଣ, ପାନୀୟ ଜଳ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଯାଇଛି ।

ସେପଟେ ରାଜକୁମାର ଆନନ୍ଦଙ୍କ ନିକଟକୁ ୧୦ଟି ବିଭାଗ ଯାଇଛି । ତାହା ମଧ୍ୟରେ ଶିକ୍ଷା, ଭୂମି, ଭବନ, ସଚେତନତା, ସେବା, ପର୍ଯ୍ୟଟନ, କଳା ସଂସ୍କୃତି ଓ ଭାଷା, ଶ୍ରମ, ରୋଜଗାର, ସ୍ୱାସ୍ଥ୍ୟ ଓ ଶିଳ୍ପ ସାମିଲ ରହିଛି ।

କହିରଖୁ କି ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଫେବୃଆରୀ ୨୬ ତାରିଖ ଦିନ ସିବିଆଇ ତରଫରୁ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରାଯାଇଥିଲା । ଏହାପୂର୍ବରୁ ଗତବର୍ଷ ଦିଲ୍ଲୀ ସରକାରରେ ଜେଲମନ୍ତ୍ରୀ ଥିବା ସତ୍ୟେନ୍ଦ୍ର ଜୈନଙ୍କୁ ମଧ୍ୟ ଅର୍ଥ ହେରଫେର ମାମଲାରେ ଗିରଫ କରାଯାଇଥିଲା ।