ଲାଲ କରିଡରରେ ହସ ଫୁଟାଉଛି ଲେମନ ଗ୍ରାସ । ଚାଷ କରି ସ୍ୱାବଲମ୍ବୀ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଲୋକ

ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କର୍ତନପାଲିଠାରେ ଆରମ୍ଭ ହୋଇଛି ଲେମନ ଗ୍ରାସ ତେଲ ଉତ୍ପାଦନ କେନ୍ଦ୍ର

251

କନକ ବ୍ୟୁରୋ: ହସ ଫୁଟାଇଛି ଲେମନ ଗ୍ରାସ୍ । ଦିନେ ଲାଲଗଡରେ ରକ୍ତମୁଖା ମାଓବାଦୀଙ୍କ ନାଲିଆଖିରେ ଅଞ୍ଚଳ ଭୟଭୀତ ହୋଇପଡିଥିଲା । ଏଭଳି ସମୟରେ ବଞ୍ଚିବାର ନୂଆ ଆଶା ଖୋଜୁଥିଲେ ଲାଲକରିଡର ଅଧିବାସୀ । ଏବେ କିନ୍ତୁ ସେହି ବିଚ୍ଛିନ୍ନ ଅଞ୍ଚଳରେ ସୁଗମ ହୋଇଛି ବିକାଶ । ଲୋକଙ୍କୁ ରୋଜଗାର ଦେବା ପାଇଁ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଦୁର୍ଗମ କର୍ତନପାଲିଠାରେ ଆରମ୍ଭ ହୋଇଛି ଲେମନ ଗ୍ରାସ ତେଲ ଉତ୍ପାଦନ କେନ୍ଦ୍ର । ୨୦ ଏକର ଚାଷ ଜମିରେ ଲେମନ ଗ୍ରାସ ଚାଷ କରି ସ୍ୱାବଲମ୍ବୀ ଏବେ ଅଞ୍ଚଳବାସୀ । ପ୍ରଥମ ପର୍ଯ୍ୟାୟରେ ଲୋକଙ୍କୁ ରୋଜଗାର ଦେବା ପାଇଁ ଲେମନ ଗ୍ରାସରୁ ତେଲ ଉତ୍ପାଦନ କରାଯାଉଛି । ଏହାକୁ ଅବିଭକ୍ତ କୋରାପୁଟ ଜିଲ୍ଲାର କୋଣ ଅନୁକୋଣରେ ଲେମନ ଗ୍ରାସ୍ ତେଲ ଯୋଗାଇ ଦିଆଯାଉଛି ।

ପ୍ରଥମେ ବର୍ଷ ବର୍ଷ ଧରି ସରକାରୀ ଜମି ପଡିଆ ରହୁଥିଲା । କୌଣସି ଚାଷ ମଧ୍ୟ ସେଠାରେ ହେଉନଥିଲା । ପରବର୍ତ୍ତୀ ସମୟରେ ସେହି ଜମିରେ ଲେମନ ଗ୍ରାସ୍ ଚାଷ ଆରମ୍ଭ କରିଥିଲା ପ୍ରଶାସନ । ଗ୍ରାମବାସୀଙ୍କ ସହଯୋଗରେ ୨୦ ଏକରର ଚାଷ ଜମିରେ ଏବେ ମହକ ଭରିଛି ଲେମନ ଗ୍ରାସ । ଦୈନିକ ନିଜର ଗୁଜୁରାଣ ମେଣ୍ଟାଇବା ଲାଗି ଶତାଧିକ ଗ୍ରାମବାସୀ ଏହି ୟୁନିଟରେ ନିୟୋଜିତ ହେଉଛନ୍ତି । ଚାଷ ଜମିରୁ ଘାସ କାଟିଆଣି ପ୍ରୋସେସିଙ୍ଗ ୟୁନିଟରେ ପ୍ରକ୍ରିୟା କରଣ କରି ତେଲ ଉତ୍ପାଦନ କରୁଛନ୍ତି ।

ତେବେ ଲେମନ୍ ଗ୍ରାସରୁ ସାଧାରଣତଃ ତେଲ ସହିତ ଫିନାଇଲ , ସାବୁନ , ବାମ୍ ଆଦି କରାଯାଇଥାଏ । ତେବେ ଏହି ଠାରୁ ଉତ୍ପାଦିତ ସାମଗ୍ରୀ ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ଦକ୍ଷିଣ ଓଡିଶାରେ ଯୋଗାଇବା ସହ ଆଦିବାସୀଙ୍କ ମେରୁଦଣ୍ଡକୁ ସୁଦୃଢ କରିବାକୁ ଲକ୍ଷ୍ୟ ରଖିଛି ପ୍ରଶାସନ । ଲେମନ ଗ୍ରାସ ଭରିଛି ମହକ । ଲାଲକରିଡର ଲୋକଙ୍କ ମୁହଁରେ ଫୁଟିଛି ହସ । ଆଦିବାସୀଙ୍କୁ ରୋଜଗାରର ବାଟ ଦେଖାଇ ଆଦର୍ଶ ପାଲଟିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ତେବେ ଆଗାମୀ ଦିନରେ ଲାଲଗଡର ଲେମନ ଗ୍ରାସ ଓଡିଶାର କୋଣ ଅନୁକୋଣରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ପ୍ରଶାସନ ।