ହୁ ହୁ ହୋଇ ବଢିଚାଲିଛି ଅତ୍ୟାବଶ୍ୟକ ସାମଗ୍ରୀର ଦର: ଏଥିରୁ ବାଦ୍ ପଡ଼ିନି ଲେମ୍ବୁ, ଉପକୂଳରୁ ଉପାନ୍ତ, ସବୁଠି ସମାନ ସ୍ଥିତି

201

କନକ ବ୍ୟୁରୋ: ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍ ଅହେତୁକ ଭାବେ ବଢି ଚାଲିଥିବା ବେଳେ ଏଥିରୁ ବାଦ୍ ପଡ଼ିନି ଲେମ୍ବୁ । ସାଧାରଣତଃ ଖରା ଦିନେ ଲୋକଙ୍କ ପଖାଳ କଂସା ପାଖରେ ପ୍ରଥମେ ଲେମ୍ବୁ ଆବଶ୍ୟକତା ପଡ଼ିଥାଏ । ଘରକୁ ବନ୍ଧୁ ବାନ୍ଧାବ ଆସିଲେ ଆତିଥ୍ୟ ସତ୍କାର ପାଇଁ ପ୍ରଥମେ ଲେମ୍ବୁର ଆବଶ୍ୟକତା ହୋଇଥାଏ । ଏବେ ଲେମ୍ବୁ ଦରବୃଦ୍ଧି ଯୋଗୁଁ ଏହାକୁ କିଣିବା ପାଇଁ ଲୋକେ ମୁହାଁ ଫେରାଇ ନେଉଛନ୍ତି ।

ଲେମ୍ବୁ ବଜାରରେ ନିଆଁ । ଦିନକୁ ଦିନ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢି ଚାଲିଥିବା ବେଳେ ଏଥିରୁ ବାଦ୍ ପଡ଼ିନି ଲେମ୍ବୁ । ଲେମ୍ବୁ ଗୋଟା ପିଛା ପାଖାପାଖି ୧୦ ଟଙ୍କାରେ ଲୋକଙ୍କୁ କିଣିବାକୁ ପଡୁଛି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଗ୍ରାହକ ଓ ବ୍ୟବସାୟୀ । ଦରବୃଦ୍ଧି ପାଇଁ ହାଟରେ ଲେମ୍ବୁ ମଧ୍ୟ ଦେଖିବାକୁ ମିଳୁନି । ଲେମ୍ବୁ କିଲୋ ପିଛା ୩୫୦ରୁ ଉର୍ଦ୍ଧ ଟଙ୍କା ଥିବା ବେଳେ ବ୍ୟବସାୟୀ ମାନେ କ୍ଷତି ସହୁଛନ୍ତି । ଆଗରୁ ଗ୍ରାହକ ୧୦ ଟଙ୍କାରେ ୧୦ଟି ଲେମ୍ବୁ କିଣୁଥିବା ବେଳେ ଏବେ ଗୋଟାକୁ ୧୦ ଟଙ୍କା ଦେଇ କିଣୁଛି ।

ବିବାହ ବ୍ରତ ହେଉ କିମ୍ବା ଅନ୍ୟାନ ଉତ୍ସବ । ଖାଇବା ଥାଳିରେ ଲେମ୍ବୁ ଲୁଣ ପରାସାଯାଏ । କିନ୍ତୁ ଲେମ୍ବୁର ମୁଲ୍ୟ ବୃଦ୍ଧି ହେତୁ ପଖାଳ କଂସା କି ଭୋଜନ ଥାଳିରେ ଆଉ ଲେମ୍ବୁ ଦେଖିବାକୁ ମିଳୁନାହିଁ । ଗ୍ରାହକଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀ ପର୍ଯ୍ୟନ୍ତ ସମସ୍ତେ ଅଶାନ୍ତିରେ ଦିନ କାଟୁଛନ୍ତି । ଯେଉଁ ଗ୍ରାହକ ହାଟ ପାଳିକୁ ୧୦ଟି ଲେମ୍ବୁ କିଣୁଥିଲେ ଏବେ ମାତ୍ର ଗୋଟିଏ ଲେମ୍ବୁ କିଣି ନିଜ ପରିବାର ଚାହିଦା ମେଂଟାଉଛନ୍ତି । ଗୋଟାକୁ ୧୦ଟଙ୍କାରେ ବିକ୍ରି କଲେ ବି ତାହା ବିକ୍ରି ହୋଇପାରୁନଥିବା କହିଛନ୍ତି ବ୍ୟବସାୟୀ ।

ଏବେ ଅସହ୍ୟ ଗରମ ଲାଗି ରହିଥିବା ବେଳେ ଲେମ୍ବୁ ସରବତ ପିଇ ତୃଷା ମେଂଟାଇଥାଆନ୍ତି ବାଟୋଇ । ଦର ବୃଦ୍ଧି ଯୋଗୁଁ ସବୁ ପଇସା ଲେମ୍ବୁରେ ଯାଉଥିବା କହିଛନ୍ତି ସରବତ ଦୋକାନୀ । ଗୋଟିଏ ଗ୍ଲାସ ସରବତର ଦାମ ୧୦ ଟଙ୍କାରେ ବିକ୍ରି କଲେ ବି କ୍ଷତି ହେଉଥିବା ସେ କହିଛନ୍ତି । ଖରାଦିନେ ଗରିବଙ୍କ ଠାରୁ ମଧ୍ୟବିତ ସମସ୍ତଙ୍କ ପାଇଁ ଲେମ୍ବୁର ଆବଶ୍ୟକତା ବଢ଼ିଯାଏ, ତେବେ ବର୍ତମାନ ଲେମ୍ବୁ ଦର ଯେପରି ବଢ଼ି ବଢ଼ି ଚାଲିଛି, ତାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି ।