ଆରମ୍ଭ ହେବାକୁ ଯାଉଛି ବିଧାନସଭା ଅଧିବେଶନ: ହେଲେ, ଏଥର ବି ପ୍ରେସ ଗ୍ୟାଲେରୀକୁ ଯାଇପାରିବେନି ସାମ୍ବାଦିକ

85

କନକ ବ୍ୟୁରୋ: ଜୁଲାଇ ୨ରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ଆଉ ଏଥର ଗୃହ ଦେଖିବ ନୂଆ ବାଚସ୍ପତି ଓ ଡଜନେରୁ ଅଧିକ ନୂଆ ମନ୍ତ୍ରୀ । ଏହାସହ ଅନେକ ବିଧାୟକଙ୍କ ଆସନ ବି ବଦଳିବ । ଏପରିକି ବିରୋଧୀ ଦଳ ନେତା ପରିବର୍ତନ ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

ବିଧାନସଭା ଅଧିବେଶନକୁ ସୁରୁଖୁରରେ ଚଳାଇବା ପାଇଁ ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ କରିଛନ୍ତି ସର୍ବଦଳୀୟ ବୈଠକ । ବୈଠକରେ ସବୁଦଳର ନେତା ସାମିଲ ହୋଇଥିଲେ । ବୈଠକରେ କିନ୍ତୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଏକ ପ୍ରସ୍ତାବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । କରୋନା ଯୋଗୁଁ ବିଧାନସଭା ଅଧିବେଶନକୁ ମୁଖ୍ୟମନ୍ତ୍ରୀ ଆସୁନାହାନ୍ତି । ନବୀନ ନିବାସରୁ ଭର୍ଚୁଆଲରେ ସେ ଅଧିବେଶନରେ ସାମିଲ ହେଉଚନ୍ତି । ତେଣୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବାଚସ୍ପତିଙ୍କ ଜରିଆରେ ଏକ ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଗୃହର ନେତା । ସେ ବିଦେଶ ଯାଉଛନ୍ତି । ବାଚସ୍ପତି ନିର୍ବାଚନ ବେଳେ ଗୃହକୁ ଆସିଥିଲେ । ଏଥର ବିଧାନସଭା ଅଧିବେଶନକୁ ବି ଆସନ୍ତୁ ବୋଲି ନରସିଂହ ପ୍ରସ୍ତାବ ଦେଇଛନ୍ତି ।

କରୋନା ଯୋଗୁଁ ସାମ୍ବାଦିକଙ୍କୁ ପ୍ରେସ ଗ୍ୟାଲେରୀଙ୍କୁ ଅଢେଇ ବର୍ଷ ହେଲା ଛଡାଯାଉନାହିଁ । ଏବେ କରୋନା ପ୍ରକୋପ କମିଥିବାରୁ ଏହି କଟକଣାକୁ ହଟାଇବା ପାଇଁ ଦାବି ଜୋର ଧରିଲାଣି । ଏଭଳି ସମୟରେ ପ୍ରେସ ଗ୍ୟାଲେରୀକୁ ସାମ୍ବାଦିକଙ୍କୁ ଛାଡିବା ପାଇଁ ବିରୋଧୀ ସର୍ବଦଳୀୟ ବୈଠକରେ ଦାବି କରିଛନ୍ତିା କେତେଦିନ ଯାଏଁ କରୋନାକୁ ବାହାନା କରୁଥିବେ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । ଯଦି ୧୩ ଲକ୍ଷ ଲୋକଙ୍କ ସମାଗମରେ ପୁରୀ ରଥଯାତ୍ରା ହେଉଛି ତେବେ ବିଧାନସଭା ପ୍ରେସ ଗ୍ୟାଲେରୀକୁ ସାମ୍ବାଦିକ ଯିବାକୁ ବାଚସ୍ପତି କାହିଁକି ବାରଣ କରୁଛନ୍ତି । ଅନ୍ୟ ରାଜ୍ୟ ବିଧାନସଭା ଓ ସଂସଦ ଭବନରେ ସାମ୍ବାଦିକଙ୍କୁ ସୁଯୋଗ ମିଳୁଛି । ହେଲେ ଏଠାରେ କାହିଁକି ମନା ନା ସରକାର ଜାଣିଶୁଣି ଏଭଳି କରୋନା ବାହାନା କରୁଛନ୍ତି ବୋଲି ପ୍ରଶ୍ନ ଉଠିଛି । ତେବେ ବାଚସ୍ପତି କହିଛନ୍ତି, କରୋନା ସଂକ୍ରମଣ ବଢିବା ନେଇ କେନ୍ଦ୍ର ସରକାର ରାଜ୍ୟକୁ ଅବଗତ କରିଛନ୍ତି । ତେଣୁ କୋଭିଡ କଟକଣାରେ ବିଧାସଭା ଚାଲିବ ।

ଏଥର ବିଧାନସଭାର ଅଧିବେଶନ ୨ଟି ପର୍ଯ୍ୟାୟରେ ଚାଲିବ । ଦିନ ୧୦.୩୦ରୁ ସାଢେ ଗୋଟାଏ ଯାଏଁ ଏବଂ ଅପରାହ୍ନ ୪ଟାରୁ ୭ଟା ଯାଏଁ ଚାଲିବ ଗୃହ । ପ୍ରଥମ ଦିନରେ ଗୃହରେ ୨୦୨୨-୨୩ ପାଇଁ ପୂଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହେବ ।