ଅଫେରା ରାଇଜରେ ଲକ୍ଷେ ରାଜାର ମଉଡମଣି ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର

173

କନକ ବ୍ୟୁରୋ : ପରଲୋକରେ ପ୍ରଖ୍ୟାତ ସଙ୍ଗୀତଜ୍ଞ ପ୍ରଫୁଲ କର । ୮୩ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି । ଦୀର୍ଘ ୬ ଦଶନ୍ଧୀ ଧରି ଓଡ଼ିଆ ସଙ୍ଗୀତ ଦୁନିଆକୁ ଆଚ୍ଛାଦିତ କରି ରଖିଥିବା ଏହି ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ଦେହାନ୍ତ ପରେ ସବୁ ମହଲରେ ଶୋକର ଛାୟା ଖେଳିଯାଇଛି । ଗତକାଲି ରାତି ୧୦ ଟା ୨୦ ମିନିଟ୍ ସମୟରେ ତାଙ୍କର ପରଲୋକ ହୋଇଯାଇଛି । ରାତି ୯ ଟା ପରେ ସେ ରାତ୍ରିଭୋଜନ କରିବା ପରେ ବିଶ୍ରାମ ନେଉଥିବା ବେଳେ ସେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ତାଙ୍କ ଅକ୍ସିଜେନ ସ୍ତର ହଠାତ୍ କମି ଯାଇଥିଲା ।

ଆଉ ଏହାର କିଛି ସମୟ ମଧ୍ୟରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ମୃତ୍ୟୁ ଶଯ୍ୟାରେ ତାଙ୍କ ପତ୍ନୀ ମନୋରମା କର, ଦୁଇ ପୁଅ ମହାଦୀପ ଓ ମହାପ୍ରସାଦଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ଆଜି ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ତାଙ୍କ ପରିବାର ସୂତ୍ରରୁ ସୂଚନା ମିଳିଛି । ତାଙ୍କ ପରଲୋକର ଖବର ପାଇଁ ବନ୍ଧୁ, ଶୁଭେଚ୍ଛୁମାନେ ତାଙ୍କ ସତ୍ୟନଗରସ୍ଥିତ ବାସଭବନରେ ପହଂଚି ଶେଷ ଦର୍ଶନ କରୁଛନ୍ତି । ତାଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି ।

ନିଜର ଲକ୍ଷ ଲକ୍ଷ ପ୍ରସଂଶକଙ୍କୁ ପର କରି ଅଫେରା ରାଇଜକୁ ଚାଲି ଯାଇଛନ୍ତି ଲକ୍ଷେ ରାଜାର ମଉଡମଣି ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର ।

– ୧୯୩୯ ଫେବ୍ରୁଆରୀ ୧୬ରେ ପୁରୀରେ ଜନ୍ମଗ୍ରହଣ କରିଥିଲେ
– ପିଲାବେଳୁ ସେ ତାଙ୍କ ପିତାଙ୍କୁ ହରାଇ ମାମୁଘରେ ବଢିଥିଲେ
– ମାତ୍ର ୨୧ ବର୍ଷରେ ଆକାଶବାଣୀରେ ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀର ମାନ୍ୟତା ପାଇଥିଲେ
– ‘ଶ୍ରୀ ପତିତପାବନ’ ଚଳଚ୍ଚିତ୍ରରେ କଣ୍ଠଶିଳ୍ପୀ ଭାବେ ଚଳଚ୍ଚିତ୍ର ଜଗତରେ ପାଦ ରଖିଥିଲେ
– ‘ମମତା’ ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନାରେ ପାଦ ଥାପିଥିଲେ
– ପ୍ରଥମ ଚଳଚ୍ଚିତ୍ରର ୮ଟି ଯାକ ଗୀତ ସୁପରହିଟ୍ ହୋଇଥିଲା
– ପ୍ରାୟ ୭୦ରୁ ଅଧିକ ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି
– ଚାରିଟି ବଙ୍ଗଳା ଚଳଚ୍ଚିତ୍ରରେ ମଧ୍ୟ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି
– ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଭାବେ ୬ ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର
– ୨୦୦୪ରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ‘ଜୟଦେବ ପୁରସ୍କାର’ ପାଇଥିଲେ
– ୨୦୧୫ ମସିହାରେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ କେନ୍ଦ୍ର ସରକାର
– ୧୯୯୫ ମସିହାରେ ରାଜନୀତିରେ ପାଦ ଥାପିଥିଲେ
– କଂଗ୍ରେସ ଟିକେଟରୁ ପୁରୀ ବିଧାନସଭା ଆସନରୁ ଲଢି ହାରିଯାଇଥିଲେ