ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ମହାରାଷ୍ଟ୍ରରେ କ’ଣ ହେବ ? ସରକାର ଗଠନ ପାଇଁ ରାଜ୍ୟ ବିଜେପିର କସରତ ଆରମ୍ଭ, ଆଜି ବସୁଛି କୋର କମିଟି ବୈଠକ

181

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକରେ ଇସ୍ତଫା ଦେବା ପରେ ମହାରାଷ୍ଟ୍ର ରାଜନୈତିକ ଉଷ୍ମତା ଲାଗି ରହିଛି । ବିଜେପି ଶିବିରରେ ଖୁସିର ଲହରି ଖେଳିଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ୍ ଓ ରାଜ୍ୟ ବିଜେପିର ବରିଷ୍ଠ ନେତମାନେ ପରସ୍ପରକୁ ମିଠା ଖୁଆଇ ଖୁସି ମନାଇଛନ୍ତି । ଉଦ୍ଧବ ଇସ୍ତଫା ଦେବା ପରେ ମହାରାଷ୍ଟ୍ରର ମେଂଟ ସରକାର ଭାଙ୍ଗିଯାଇଛି ।

ରାଜ୍ୟରେ ବିଜେପି ସବୁଠୁ ବଡ଼ ଦଳ ହୋଇଥିବାରୁ ରାଜ୍ୟପାଳ ଭଗତ ସିଂହ କୋସିଆରୀ, ଫଡ଼ନବିସଙ୍କୁ ସରକାର ଗଢିବାକୁ ଡାକି ପାରନ୍ତି । ଆସନ୍ତାକାଲି ଶପଥ ନେଇପାରନ୍ତି ଦେବେନ୍ଦ୍ର ଫଡ଼ନବିସ୍ । ଯଦି ଫଡ଼ନବିସ୍ ସରକାର ଗଢିବେ, ତେବେ ପ୍ରାୟ ୨ ବର୍ଷ ୯ମାସ ପରେ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ । ଏହାକୁ ନେଇ ମହାରାଷ୍ଟ୍ର ରାଜନୀତିରେ ସବୁଠୁ ବଡ଼ ହଲଚଲ ଦେଖିବାକୁ ମିଳିଛି ।

ପ୍ରାୟ ୧ ସପ୍ତାହ ଧରି ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଚରମ ସୀମାରେ ପହଁଚିଛି । ଏକନାଥ ସିନ୍ଦେ, ଶିବସେନାରେ ବିଦ୍ରୋହ କରିବା ପରେ ତାଙ୍କ ସପକ୍ଷରେ ସମର୍ଥନ ବଢିଥିଲା । ୩୯ ଜଣ ଶିବସେନା ବିଧାୟକ ଏକନାଥ ସିନ୍ଦେଙ୍କୁ ସମର୍ଥନ କରିବାରୁ ମହାରାଷ୍ଟ୍ର ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିଲା ।

ସରକାରରେ ବସିବାକୁ ବିଜେପିର ସଜବାଜ

– ଉଦ୍ଧବଙ୍କ ଇସ୍ତଫା ପରେ ସରକାର ଗଢିବାକୁ ବିଜେପିର ପ୍ରସ୍ତୁତି
– ଆଜି ବିଜେପି କୋର କମିଟି ବୈଠକ ପରେ ନିଷ୍ପତି ସମ୍ଭାବନା
– ଦେବେନ୍ଦ୍ର ଫଡନବିସଙ୍କ ବାସଭବନରେ ବସିବ ବୈଠକ
– କାଲି ବିଳମ୍ବିତ ରାତି ଯାଏଁ ବିଧାୟକଙ୍କ ସହ ଆଲୋଚନା କରିଥିଲେ
– ବିଜେପି ଓ କେତେକ ସ୍ୱାଧୀନ ବିଧାୟକଙ୍କ ସହ ଆଲୋଚନା
– ସମସ୍ତ ବିଜେପି ବିଧାୟକ ମୁମ୍ବାଇରେ ଏକାଠି ରହିବାକୁ ନିର୍ଦ୍ଦେଶ
– ଫଡନବିସ ଓ ଏକନାଥ ସିନ୍ଦେ ମିଶି ସ୍ଥିର କରିବେ ଆଗାମୀ ରଣନୀତି
– ଗୌହାଟୀରୁ ଆସି ଗୋଆରେ ପହଂଚିଛନ୍ତି ଏକନାଥ ସିନ୍ଦେ ଗୋଷ୍ଠୀ
– ଗୋଆର ହୋଟେଲ ତାଜରେ ଅଛନ୍ତି ଶିବସେନା ବିଦ୍ରୋହୀ ବିଧାୟକ
– ବିଳମ୍ବିତ ରାତିରେ ତାଙ୍କୁ ସାକ୍ଷାତ କରିଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ
– ଟ୍ୱିଟ କରି ବିଜେପି ଲେଖିଛି- ଏହା ତ କେବଳ ଏକ ଝଲକ ଥିଲା..
– ଆଗକୁ ମୁମ୍ବାଇ ମହାନଗରପାଳିକା ବାକିଥିବା ସୂଚନା ଦେଇଛି ବିଜେପି
– ସରକାର ଗଠନ ନେଇ ରାଜ୍ୟପାଳଙ୍କୁ ଦାବି କରିପାରେ ବିଜେପି

୯୪୩ ଦିନର ମୁଖ୍ୟମନ୍ତ୍ରୀ

– ୨୦୧୯ ନଭେମ୍ବର ୨୮ରେ ଆରମ୍ଭ ହୋଇଥିଲା ଉଦ୍ଧବରାଜ୍
– ୧୦ ଦିନର ହାଇଡ୍ରାମା ପରେ ଗତକାଲି ଇସ୍ତଫା ଦେଇଛନ୍ତି ଉଦ୍ଧବ
– ଉଭୟ ମୁଖ୍ୟମନ୍ତ୍ରୀ ଓ ବିଧାନ ପରିଷଦ ସଦସ୍ୟ ପଦରୁ ଇସ୍ତଫା
– ମୋଟ୍ ୯୪୩ ଦିନ ପାଇଁ ମୁଖ୍ୟମନ୍ତ୍ରୀ ରହିଛନ୍ତି ଉଦ୍ଧବ ଠାକରେ
– ସୁପ୍ରିମକୋର୍ଟରେ ଶୁଣାଣିର ୩୦ ମିନିଟ ପରେ ଉଦ୍ଧବଙ୍କ ଇସ୍ତଫା
– ଫ୍ଲୋର ଟେଷ୍ଟ ଉପରେ ରୋକ୍ ଲଗାଇବାକୁ ମନା କରିଥିଲେ କୋର୍ଟ
– ମାହାରାଷ୍ଟ୍ରରେ କେବଳ ୨ଜଣ ପୂର୍ଣ୍ଣକାଳ ମୁଖ୍ୟମନ୍ତ୍ରୀ ରହିଛନ୍ତି
– ବିଜେପିର ଦେବେନ୍ଦ୍ର ଫଡନବିସ ଓ କଂଗ୍ରେସର ବସନ୍ତରାଓ ନାଇକ
– ୧୯୬୦ରେ ଅଲଗା ରାଜ୍ୟର ମାନ୍ୟତା ପାଇଥିଲା ମହାରାଷ୍ଟ୍ର
– ୧୯୬୩ରୁ ୬୭ ଯାଏଁ ମୁଖ୍ୟମନ୍ତ୍ରୀ ଥିଲେ ବସନ୍ତରାଓ ନାଇକ
– ୧୯୬୭ରେ ସେ ପୁଣି ମୁଖ୍ୟମନ୍ତ୍ରୀ ହୋଇ କାର୍ଯ୍ୟକାଳ ପୂରଣ କଲେ
– ୨୦୧୪ରେ ବିଜେପି- ଶିବସେନା ମେଂଟ କରି ସରକାର ଗଢିଥିଲେ
– ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟକାଳ ପୂର୍ଣ୍ଣ କଲେ ଦେବେନ୍ଦ୍ର ଫଡନବିସ

ଯେସାକୁ ତେସା..

– ୨୦୧୯ରେ ବିଜେପି ସହ ମିଶି ନିର୍ବାଚବନ ଲଢିଥିଲା ଶିବସେନା
– ବିଜେପିକୁ ୧୦୬ ଓ ଶିବସେନାକୁ ୫୫ ଆସନ ମିଳିଥିଲା
– ହେଲେ ବିଜେପି ସହ ମିଶି ସରକାର ଗଢିବାକୁ ରାଜି ହେଲାନି ଶିବସେନା
– ଏନସିପିରକୁ ସାଙ୍ଗରେ ନେଇ ସରକାର ଗଢିବାକୁ ପ୍ରସ୍ତୁତ ହେଲା ବିଜେପି
– ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଗଲେ ଦେବେନ୍ଦ୍ର ଫଡନବିସ
– ହେଲେ ଶେଷ ମୁହୂର୍ତରେ ପଲଟିଗଲେ ଏନସିପିର ଅଜିତ ପାୱାର
– ଶିବସେନା ସହ ମିଶି ସରକାର ଗଢିଲେ ଏନସିପି ଓ କଂଗ୍ରେସ
– ଏକକ ସଂଖ୍ୟା ଗରିଷ୍ଠ ଦଳ ହୋଇ ସୁଦ୍ଧା ବିରୋଧୀ ଆସନରେ ବସିଲା ବିଜେପି
– ତେଣୁ ଶିବସେନାଠାରୁ ପ୍ରତିଶୋଧ ନେବାକୁ ସୁଯୋଗ ଖେଜୁଥିଲେ ଫଡନବିସ
– ଏକନାଥ ଗୋଷ୍ଠୀରୁ ଅସନ୍ତୋଷରୁ ଫାଇଦା ନେବାକୁ ପ୍ରସ୍ତୁତ ହେଲା ରଣନୀତି
– ଏକନାଥ ଗୋଷ୍ଠୀରେ ଦୁଇ ତୃତୀୟାଂଶ ବିଧାୟକ ରହିବା ଜରୁରୀ ଥିଲା
– ଫଳରେ ଆଗକୁ ଆଇନଗତ ସମସ୍ୟା ଆସିଲେ ବି ମୁକାବିଲା କରିହେବ
– ଏବେ ସିନ୍ଦେ ଗୋଷ୍ଠୀକୁ ସାଙ୍ଗରେ ନେଇ ପୁଣି କ୍ଷମତାରେ ବସିବ ବିଜେପି
– ଉଦ୍ଧବ ଇସ୍ତଫା ଦେଇସାରିଥିବା ବେଳେ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ଫଡନବିସ