ଟିଏମସିରେ ସାମିଲ ହେଲେ ଟେନିସ୍ ଖେଳାଳୀ ଲିଆଣ୍ଡର ପେସ୍, ମମତା କହିଲେ ମୋ ସାନଭାଇ

120

କନକ ବ୍ୟୁରୋ : ଭାରତୀୟ ଟେନିସ ଖେଳାଳୀ ଲିଆଣ୍ଡର ପେସ ଆଜି ବିଧିବଦ୍ଧ ଭାବେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । ଏନେଇ ଖୁଦ୍ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୂଚନା ଦେଇଛନ୍ତି । ଏନେଇ ମମତା କହିଛନ୍ତି କି, “ମୋତେ ଏହା ଖୁସି ଦେଇଛି କି, ଲିଆଣ୍ଡର ପେସ୍ ଭଳି ଜଣେ ଲୋକପ୍ରିୟ ଟେନିସ ଖେଳାଳୀ ଆଜି ଟିଏମସିରେ ଯୋଗ ଦେଇଛନ୍ତି, ମୁଁ ତାଙ୍କୁ ଅନେକ ବର୍ଷ ଆଗରୁ ଜାଣିଛି,ସେ ମୋର ଛୋଟ ଭାଇଭଳି ”

କହିରଖୁ କି ଗୋଆରେ ଟିଏମସି ଏବେ ବଳ ଗୋଟାଇବାରେ ଲାଗିଛି । ମମତାଙ୍କ ଗୋଆ ଗସ୍ତ ବେଳେ ପ୍ରଥମେ ଅଭିନେତ୍ରୀ ତଥା ପୂର୍ବ କଂଗ୍ରେସ ନେତ୍ରୀ ନଫିସା ଅଲ୍ଲୀ ଟିଏମସିରେ ଯୋଗ ଦେଇଥିବା ବେଳେ ଆଜି ପାନାଜୀ ଠାରେ ଏକ ଆୟୋଜିତ କାର୍ଯ୍ୟକ୍ରମରେ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଲିଆଣ୍ଡର ପେସ୍ ଟିଏମସିରେ ଯୋଗ ଦେଇଛନ୍ତି ।

ସୂଚନା ଥାଉକି ମମତା ବାନାର୍ଜୀ ୩ ଦିନିଆ ଗୋଆ ଗସ୍ତରେ ଅଛନ୍ତି । ଆସନ୍ତା ବର୍ଷ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ମମତା ବାନାର୍ଜୀ ଗୋଆରେ ନିଜ ଦଳର ସଂଗଠନକୁ ମଜବୁତ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ସେଠାରେ ଏବେ ବିଜେପିର ସରକାର ଥିବାରୁ ମମତା ବିଜେପିକୁ ବାହାର ରାସ୍ତା ଦେଖାଇବାକୁ ଅଣ୍ଟା ଭିଡିଛନ୍ତି । ଏହି କ୍ରମରେ ଗୋଆର ବରିଷ୍ଠ ନେତାମାନଙ୍କୁ ନିଜ ଦଳରେ ସାମିଲ କରିବାରେ ଲାଗିଛନ୍ତି ମମତା ।