କନକ ବ୍ୟୁରୋ: ନିଖୋଜ ବ୍ୟକ୍ତିଙ୍କ ଦଶାହ ପାଳିଲେ ପରିବାର । ୧୦ ବର୍ଷ ଧରି ନିଖୋଜ ହେବା ପରେ ଘରକୁ ନଫେରିବାରୁ ପରିବାର ଲୋକ ତାଙ୍କୁ ସୁଦ୍ଧି ହୋଇଛନ୍ତି । ସୂଚନା ଅନୁସାରେ ନବରଙ୍ଗପୁର ଝରିଗାଁ ବ୍ଲକ ଧାମନଗୁଡ଼ା ଗାଁର ଅସମନ କଳାର ତାଙ୍କ ଶଳା ସହ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯାଇଥିଲେ । ସେଠାରୁ ତାଙ୍କୁ କାମ ଯୋଗାଇବା ମାଲିକ ଅସି ନେଇଥିଲେ । ସେବେଠାରୁ ଅସମନଙ୍କ ସହ ତାଙ୍କ ଶଳା ମଙ୍ଗରା କଳାରଙ୍କର ଆଉ ଦେଖାସାକ୍ଷାତ ହୋଇନଥିଲା । ପରେ ମଙ୍ଗରା ବାରମ୍ବାର ଅସମନଙ୍କୁ ଖୋଜିବାକୁ ଯିବା ପରେ ବି କୌଣସି ପତା ମିଳିନଥିଲା । ଘଟଣାର ୩ ବର୍ଷ ପରେ ଏନେଇ ଡାବୁଗାଁ ଥାନାରେ ଏକ ନିରୁର୍ଦ୍ଧିଷ୍ଟ ମାମଲା ରୁଜୁ କରିବା ପରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ କରିଥିଲେ ପରିବାର । ଏଭଳି ୧୦ ବର୍ଷ ଗଲା ପରେ ବି ଘରକୁ ଫେରିନଥିଲେ ଅସମନ ।

Advertisment

ପରିବାର ଲୋକ ମଙ୍ଗରାଙ୍କୁ ଅସମନଙ୍କୁ ଖୋଜି ଆଣିବାକୁ ବାରମ୍ବାର କହିବା ପରେ ସେ ଖୋଜି ଆଣିପାରିବେନି ବୋଲି କହୁଥିଲେ । ଏଥିପାଇଁ ତାଙ୍କୁ ଯାହା ଦଣ୍ଡ ଦେବେ ସେ ମାନିବାକୁ ରାଜି ବୋଲି କହିଥିଲେ । ଏପଟେ ଅସମନ୍ଙ୍କ ପରିବାରଙ୍କ ପକ୍ଷରୁ ତାଙ୍କ ସମାଜର ସଭା ବସିଥିଲା । ଏବଂ ସମାଜ ପକ୍ଷରୁ ନିଷ୍ପତି ନିଆଗଲା ଯେ ନିଖୋଜର ୧୦ ବର୍ଷ ବିତି ଯାଇଥିବାରୁ ଅସମନ୍ଙ୍କୁ ମୃତ ଭାବି ତାର ଦଶାହ କାର୍ଯ୍ୟ ପାଇଁ ନିଷ୍ପତି ନିଆଯାଇଥିଲା । ଏହି ଦଶାହ କାର୍ଯ୍ୟ ପାଇଁ ମଙ୍ଗରାଙ୍କୁ ୫୦ ହଜାର ଟଙ୍କା ଦେବାକୁ ପଡ଼ିଛି । ଯଦି ଭବିଷ୍ୟତରେ ଅସମନ ଘରକୁ ଫେରି ଆସନ୍ତି ତାହେଲେ ସେମାନଙ୍କୁ ପୁଣିଥରେ ପୁନଃବିବାହ କରାଯିବ ବୋଲି ସଭାରେ ନିଷ୍ପତି ହୋଇଛି । ଅନ୍ୟ ପକ୍ଷେ ଗ୍ରାମରେ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି ଯେ ମୃତ୍ୟୁର କୌଣସି ପ୍ରମାଣ ନଥାଇ ଦଶାହ କାର୍ଯ୍ୟ କରିବା ଠିକ୍ ନୁହେଁ । ତେବେ ଅସମନ ମୃତ କି ଜୀବିତ ତାହା ନଜାଣି ଦଶାହ କାର୍ଯ୍ୟ କରିବା ଘଟଣା ଏହି ଅଂଚଳରେ ଚର୍ଚାର ବିଷୟ ପାଲଟିଛି ।