ଭୁବନେଶ୍ୱରରେ ପହଞ୍ଚିଲା ପଦ୍ମଶ୍ରୀ ଡା.ଅଜୟ ପରିଡାଙ୍କ ପାର୍ଥିବ ଶରୀର : ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ଶେଷକୃତ୍ୟ

134

କନକ ବ୍ୟୁରୋ : ଭୁବନେଶ୍ୱରରେ ପହଞ୍ଚିଛି ପଦ୍ମଶ୍ରୀ ଡାକ୍ତର ଅଜୟ ପରିଡାଙ୍କ ମୃତଦେହ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଆଇଏଲ୍ଏସ୍ କ୍ୟାମ୍ପସ ନିଆଯାଇଛି । ରାଷ୍ଟ୍ରୀୟ ସମ୍ମାନର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ । ଗୌହାଟୀରେ ଏକ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଇଥିଲେ ଡାକ୍ତର ଅଜୟ ପରିଡ଼ା । ସେଠାରେ ତାଙ୍କର ପରଲୋକ ହୋଇଛି ।

ଧାନ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ୨୦୧୪ ଏପ୍ରିଲ୍ ୨୪ତାରିଖରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଡ.ପରିଡ଼ାଙ୍କୁ ‘ପଦ୍ମଶ୍ରୀ ସମ୍ମାନ’ରେ ସମ୍ମାନିତ କରିଥିଲେ । ଏହି ସମୟରେ ସେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କୃଷି ଉପଦେଷ୍ଟା ଥିଲେ । ୨୦୧୭ରୁ ଭୁବନେଶ୍ବର ଆଇଏଲ୍ଏସ୍‌ର ନିର୍ଦେଶକ ଭାବେ କାର୍ଯ୍ୟରତ ଥିଲେ । ଇଣ୍ଡିଆନ୍ ସାର୍ସ-କୋଭ-୨ ଜେନୋମିକ୍ସ କନର୍ସଟିୟମ ଆଇଏଲଏସ୍‌କୁ କୋଭିଡ ଭୂତାଣର ଜିନୋମ ସିକ୍ୱେନ୍ସିଂ ଲ୍ୟାବ୍ ଘୋଷଣା କରିବା ପରେ ରାଜ୍ୟ ତଥା ରାଜ୍ୟ ବାହାରରୁ ଅନେକ ନମୁନା ଏଠାରେ ପରୀକ୍ଷା ହୋଇଥିଲା ।

କୋଭିଡ୍ ପରିଚାଳନା ଓ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କ ଚାକିରି କାଳକୁ ଆଉ ୩ବର୍ଷ ବଢ଼ାଇ ଦିଆଯାଇଥିଲା। ତାଙ୍କର ୩ ବିବାହିତା ଭଉଣୀ ଥିବାବେଳେ ସାନଭାଇ ଅମୀୟ କୁମାର ପରିଡ଼ା ଯାଜପୁର ଜିଲ୍ଲା ବିଜେଡିର ସାଧାରଣ ସଂପାଦକ ଅଛନ୍ତି । ଶ୍ରୀ ପରିଡ଼ା ବଡ଼ଚଣା ବ୍ଲକ ଖଡ଼ଅଙ୍ଗ ଗାଁର ବରିଷ୍ଠ ବିଜେଡ଼ି ନେତା ଇନ୍ଦ୍ରମଣି ମହାପାତ୍ରଙ୍କ ଝିଅ ତଥା କିଟ୍ ବିଶ୍ୱବିଦ୍ୟାଳୟ ବାୟୋଟେକ୍ନୋଲୋଜିର ପ୍ରାଧ୍ୟାପିକା ଡ. ରଶ୍ମି ମହାପାତ୍ରଙ୍କୁ ୧୯୯୬ ମସିହାରେ ବିବାହ କରିଥିଲେ । ତାଙ୍କର ଏକମାତ୍ର ପୁଅ ଆଶିଷ ଇ–କମର୍ସ ଶିକ୍ଷା ସମାପ୍ତ କରି ଦିଲ୍ଲୀସ୍ଥିତ ଆଇଟିସି କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ।