ବିଦାୟୀ ବର୍ଷର ଶେଷ ଚିଠି ! ପ୍ରାପ୍ତେଷୁ ୨୦୧୯, ପ୍ରେରକ ୨୦୧୮

506

କନକ ବ୍ୟୁରୋ : ନଇଁଗଲା ସୂରଜ, ଉଇଁବ ନୂଆ ସକାଳ ନେଇ । ବଦଳିଯିବ କ୍ୟାଲେଣ୍ଡରର ପୃଷ୍ଠା । ଆସିବ ନୂଆ ସମ୍ଭାବନା ନେଇ  । ମେଳାଣି ନେଉଛି ୨୦୧୮, ଆସୁଛି ବର୍ଷ ୨୦୧୯ । ବିଦାୟ ଓ ଆଗମନ ମଧ୍ୟରେ ବ୍ୟବଧାନ ମାତ୍ର ଆଉ କିଛି ଘଣ୍ଟା । ରାତି ପାହିଲେ ନୂଆବର୍ଷ । ସ୍ମୃତି ଛାଡିଯିବ ୨୦୧୮, ଆଉ ନୂଆ ଆଶା ଓ ସମ୍ଭାବନା ନେଇ ଆସିବ ୨୦୧୯ । ୨୦୧୮ ଶେଷ ହେବାକୁ ଆଉ ମାତ୍ର କେଇ ଘଣ୍ଟା ବାକି ଥିବା ବେଳେ ଏବେ ମଧ୍ୟ ଆଖି ସାମ୍ନାରେ ନାଚି ଉଠୁଛି ବର୍ଷ ତମାମର ପୂରା ଘଟଣା । ଯାହା ଆଉ କିଛି ସମୟ ପରେ ପୁରୁଣା ବର୍ଷର ସ୍ମୃତି ଆଲବମରେ ସାଇତି ହୋଇ ରହିଯିବ ।

ଦିନ ଯାଏ ଚିହ୍ନ ରହେ, ଚିହ୍ନ କଥା ମନେ ରହେ । ୨୦୧୮ରେ ଓଡିଶାରେ ବି ଘଟିଯାଇଥିଲା ଏମିତି କିଛି ଘଟଣା, ଯାହା ସବୁଦିନ ପାଇଁ ରାଜ୍ୟବାସୀଙ୍କ ମନେରହିବ । ରାଜନୀତି, ଅପରାଧ, କ୍ରୀଡା, ସଂଘର୍ଷ, ସଫଳତା ଓ ବିଫଳତାର ମୂକସାକ୍ଷୀ ପାଲଟିଛି ବର୍ଷ ୨୦୧୮ । ଆଉ ଏହିସବୁ ଘଟଣା ମଧ୍ୟରୁ  କିଛି କଥା ଆଗକୁ ନୂଆ ଦିଶା ଦେଖାଇବ ତ ଆଉ କିଛି କଥା ଅତୀତର ଅନୁଭୂତି ହୋଇ ଶିକ୍ଷା ଦେବ । ସେହିଭଳି କିଛି ପ୍ରମୁଖ ଘଟଣାକୁ ଆସୁଥିବା ବର୍ଷ ୨୦୧୯ ପାଇଁ ଚିଠି ମାଧ୍ୟମରେ ବଖାଣିଛି ବିଦାୟୀ ବର୍ଷ ୨୦୧୮ ।

୨୦୧୮ । ମୁଁ ଏମିତି ଏକ ବର୍ଷ ଯାହାକୁ ପ୍ରତ୍ୟେକ ଓଡିଶାବାସୀ ମନେ ରଖିବାକୁ ଚାହିଁବେ । କାରଣ ଏହି ୩୬୪ ଦିନ ମଧ୍ୟରେ ମୁଁ ଅନେକ କିଛି ଘଟଣା ଦେଖିଛି ଯାହା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ୩୬୪ ଦିନ ମଧ୍ୟରେ ମୁଁ ସଂଘର୍ଷ ଦେଖିଛି ସଫଳତାର ସ୍ୱାଦ ମଧ୍ୟ ଚାଖିଛି । ଏହି ସମୟ ମଧ୍ୟରେ କିଏ ଦୁର୍ଦ୍ଦଶାରେ ପଡିଛି ତ କିଏ ସଫଳତାର ଶୀର୍ଷରେ ପହଞ୍ଚିଛି । ଖାସକରି ରାଜ୍ୟ ରାଜନୀତିରେ ୩୬୪ ଦିନ ବେଶ ଗୁରୁତ୍ୱ ବହନ କରିଛି । କିଛି ରାଜନେତାଙ୍କ ପାଇଁ ମୁଁ ଖୁସିଖବର ଆଣିଥିବା ବେଳେ କିଛି ରାଜନେତାଙ୍କୁ ପଲଟିକାଲ ବେକାରୀ ସଜାଇ ଦେଇଛି । ବର୍ଷ ଆରମ୍ଭର ମାସକ ମଧ୍ୟରେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିଲା ହଇଚଇ ।

କେତେବେଳେ ଦଳ ବିରୋଧୀ କାର୍ଯ୍ୟ ପାଇଁ ବୈଜୟନ୍ତଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଛି ତ ପୁଣି କେତେବେଳେ ତୁଣ୍ଡ ପାଇଁ ଦାମଙ୍କୁ ଦଳରୁ ବିଦା କରିଛି ବିଜେଡି । ଦୁଇ ଅନୁଭବୀ ନେତାଙ୍କ ହାତ ଦଳ ଛାଡିନି ବରଂ ଏହାର ଭରଣା ପାଇଁ ରାଜ୍ୟର ଦୁଇ ପ୍ରତିଷ୍ଠିତ ତଥା ଅଭିଜ୍ଞ ବ୍ୟକ୍ତି ଅଚ୍ୟୁତ୍ ସାମନ୍ତ ଓ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଦଳରେ ସାମିଲ କରି ରାଜ୍ୟସଭା ପଠାଇବା ସହ ଆପଣାଇ ନେଇଛି ବିଜେଡି । ସେହିଭଳି ବର୍ଷ ଆରମ୍ଭରୁ ବିଜେପୁରର ହାଇଭୋଲଟେଜ ଉପନିର୍ବାଚନ ମଧ୍ୟ ମୁଁ ଦେଖିଛି । ଯେଉଁଥିରେ ବିଜେଡି ବିଜୟ ହେବା ସହ କଂଗ୍ରେସ ଗଡ ଭାଙ୍ଗିବାରେ ସକ୍ଷମ ହୋଇଛି ଓ ବିଜେପିକୁ କଡା ଜବାବ ଦେଇଛି । କେବଳ ଏତିକି ନୁହେଁ ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ସଭା ମଞ୍ଚ ଉପରକୁ ମହିଳାଙ୍କ ଅଣ୍ଡା ମାଡ ହେଉ ଅବା ବିଜେପୁରରେ ପ୍ରଚାର ସମୟରେ ମଞ୍ଚ ଉପରକୁ ଯୁବକଙ୍କ ଜୋତା ଫିଙ୍ଗିବା ଘଟଣା ଏବେ ମଧ୍ୟ ମୋ ମନରେ ତାଜା ହୋଇ ରହିଛି ।

ଏହାଛଡା  କଂଗ୍ରେସ ରାଜନୀତିରେ ମଧ୍ୟ ମୁଁ ଦେଖିଛି ବଡ ପରିବର୍ତ୍ତନ । ମୋ ସମୟରେ ବଦଳିଛନ୍ତି ରାଜ୍ୟ କଂଗ୍ରେସ ମଙ୍ଗୁଆଳ । ଏକଜୁଟ ହୋଇଛନ୍ତି କଂଗ୍ରେସ କର୍ମୀ ଓ ନେତା । କେବଳ ରାଜ୍ୟରେ ନୁହେଁ ଜାତୀୟ ସ୍ତରରେ ମଧ୍ୟ ମୋ ସମୟରେ କଂଗ୍ରେସ କରିଛି କମାଲ । ୩ଟି ରାଜ୍ୟରେ କଂଗ୍ରେସ କ୍ଷମତାକୁ ଫେରିବା ସହ ବିଜେପି ପାଇଁ ସର୍ତକ ଘଣ୍ଟି ବଜାଇଛି ।

ରାଜନୀତିର ଉଷ୍ମ ବାତାବରଣ ମଧ୍ୟରେ ଫେବ୍ରୁଆରୀ ମାସ ୨୩ ତାରିଖରେ ଯେତେବେଳେ ପାଟଣାଗଡରେ ପାର୍ସଲ ବୋମା ବିସ୍ଫୋରଣ ହୋଇଥିଲା ସେତେବେଳେ ପୂରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । କାରଣ ଉପହାର ରୂପି ପାର୍ସଲରେ ଆସିଥିଲା ମୃତ୍ୟୁର ଦୂତ । ଏହି ହାଇପ୍ରୋଫାଇଲ ପାର୍ସଲ ବୋମା ବିସ୍ଫୋରଣରେ ପାଦରୁ ଅଳତା ଲିଭିବା ଆଗରୁ ଲିଭିଯାଇଥିଲା ନବବିବାହିତ ସୌମ୍ୟଶେଖରଙ୍କ ଜୀବନଦୀପ । ଆଉ ଏହାସହ ନବବଧୂ ରିମାଙ୍କର ନୂଆ କରି ଗଢି ଉଠିଥିବା ସଂସାର ପାର୍ସଲ ବୋମା ବିସ୍ଫୋରଣରେ ଜାଳିପୋଡି ପାଉଁଶ ହୋଇଯାଇଥିଲା ।

ପାଟଣାଗଡ ପାର୍ସଲ ବୋର୍ମା ବିସ୍ଫୋରଣ ସସପେନ୍ସ ଉପରୁ ପରଦା ଉଠୁଥିବା ବେଳେ ଶ୍ରୀମନ୍ଦିର ମଧ୍ୟରୁ ଆସିଥିଲା ସାଂଘାତିକ ସତ । ଯାହା ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଶକ୍ତ ଆଘାତ ଦେଇଥିଲା । କାରଣ ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଚାବି ହଜି ଯାଇଥିବା କଥା ସାମ୍ନାକୁ ଆସିଥିଲା । ଯାହାକୁ ନେଇ ପୂରା ରାଜ୍ୟରେ ଚହଳ ପଡିଯାଇଥିଲା । ରତ୍ନଭଣ୍ଡାର ଚାବି କିଏ ନେଲା ତାହାକୁ ନେଇ ସାରା ରାଜ୍ୟରେ ତୁମ୍ବିତୋଫାନ ଚାଲିଥିବା ବେଳେ  ବନ୍ଦ ଲଫାପାରୁ ମିଳିଥିଲା ଡୁପ୍ଲିକେଟ ରତ୍ନଭଣ୍ଡାରର ଚାବି । ଯାହା ଏହି ଘଟଣାକୁ ଆହୁରି ସନ୍ଦେହ ଘେରକୁ ଟାଣି ଆଣିଥିଲା । କେବଳ ରତ୍ନଭଣ୍ଡାର ଚାବି ହଜିନଥିଲା ବରଂ ସେବାୟତ ଓ ପ୍ରଶାସନ ମଧ୍ୟରେ ବିବାଦ ପାଇଁ ମହାପ୍ରଭୁଙ୍କ ଅମୁଣିଆ ମହାପ୍ରସାଦ ପୋତା ହୋଇଥିଲା । ବର୍ଷ ଶେଷ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗକୁ ନେଇ ଶ୍ରୀମନ୍ଦିର ଖବର ଶିରୋନାମାରେ ରହିଆସିଛି ।

ଏତିକିରେ ଅଟକିନି ୨୦୧୮  । ବହୁ ବାଦ ବିବାଦ, ବାଧା ବିଘ୍ନ ପରେ ବର୍ଷ ଶେଷ ହେବାକୁ ଆଉ ମାତ୍ର କିଛି ମାସ ଥିବା ବେଳେ ଓଡିଶାକୁ ମାଡି ଆସିଥିଲା ତିତଲି ରୂପି ଆଉ ଏକ ବିପଦ । ଆଉ ଏହି ତିତିଲି ବାତ୍ୟା ୧୯୯୯ର ସ୍ମୃତିକୁ ତାଜା କରିଦେଇଥିଲା । ରାଜ୍ୟ ସରକାର ଜିରୋ କାଜୁଆଲଟି ନାରା ଦେଇଥିଲେ ମଧ୍ୟ ତିତଲି ବାତ୍ୟା ରାଜ୍ୟ ସରକାରଙ୍କ ସୁଶାସନ ଅଧ୍ୟାୟରେ ଏକ କଳାଫର୍ଦ୍ଦ ହୋଇ ଯୋଡି ହୋଇଯାଇଥିଲା । ଅନ୍ୟପଟେ ମୋ ସମୟରେ ବିଚ୍ଛିନ୍ନାଞ୍ଚଳ ବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ମଧ୍ୟ ପୂରଣ ହୋଇଛି । କାରଣ ବିଚ୍ଛିନ୍ନାଞ୍ଚଳକୁ ଗୁରୁପ୍ରିୟା ସେତୁ ଦେଇ ଗଡିଛି ବିକାଶର ଗାଡି ।

ମୋ ସମୟରେ ଅନେକ ଦୁର୍ଘଟଣା ହୋଇଛି । ଖାସକରି ଭଦ୍ରକ ଓ ମହାନଦୀ ବ୍ରିଜ ଦୁର୍ଘଟଣା ମୋ ମନକୁ ବେଶ ବ୍ୟଥିତ କରିଥିଲା । ଭଦ୍ରକରେ ନୀରିହ ସ୍କୁଲ ପିଲାଙ୍କ ଉପରେ ଟ୍ରକ ମାଡି ଯାଇଥିବା ବେଳେ ମହାନଦୀ ବ୍ରିଜ ତଳକୁ ଖସିପଡିଥିଲା ଯାତ୍ରୀବାହୀ ବସ୍ । ଆହୁରି ଏଭଳି ଅନେକ ଦୁର୍ଘଟଣା ଘଟିଛି ଯାହା ଅନେକ ପରିବାରର ଖୁସି ଛଡାଇନେଇଛି ।

ଆଉ ଏହି ଦୁଃଖ କାହାଣୀ ମଧ୍ୟରେ ଖୁସି ଆଣିଛି ମେକ୍ ଇନ୍ ଓଡିଶା ଓ ହକି ବିଶ୍ୱକପ । ମେକ୍ ଇନ୍ ଓଡିଶା ପୁଞ୍ଜିନିବେଶ କ୍ଷେତ୍ରରେ ରାଜ୍ୟ ପାଇଁ ଟଙ୍କାର ବର୍ଷା କରିଛି । ଅନ୍ୟପଟେ ହକି ବିଶ୍ୱକପର ସଫଳ ଆୟୋଜନ କରି ପୂରା ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଓଡିଶା । ମୋ ସମୟରେ ଏତେବଡ ଇଭେଣ୍ଟ ହୋଇଥିବାରୁ ମୁଁ ମଧ୍ୟ ବେଶ ଖୁସି ।

ଆଉ ଏସବୁ ଭିତରେ ବର୍ଷ ଶେଷ ଆଡକୁ ଦେଖିବାକୁ ମିଳିଛି ରାଜନୀତିର ତାତି । ଖାସକରି ବିଜେପିକୁ ଦୁଇ ହେଭିୱେଟ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ବାଏ ବାଏ କରିଥିବା ବେଳେ ପଦ୍ମ ପୋଖରୀକୁ ଏଣ୍ଟ୍ରି ମାରିଛନ୍ତି ପ୍ରଶାସିକାରୁ ପଲଟିସିଆନ ପାଲଟିଥିବା ଅପରାଜିତା ଷଡଙ୍ଗୀ । ଏହାଛଡା ବର୍ଷ ଶେଷ ହେବାକୁ ଆଉ ମାତ୍ର ୭ ଦିନ ବାକି ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡିଶା ଗସ୍ତ ରାଜ୍ୟ ରାଜନୀତିକୁ ଆହୁରି ଉଷ୍ମ କରିଥିଲା । ତେବେ ବର୍ଷ ଶେଷ ଆଡକୁ ପିପିଲି ଗଣଦୁଷ୍କର୍ମ ନେଇ ଦୀର୍ଘ ୬ ବର୍ଷ ପରେ ଯେଉଁ ରାୟ ଆସିଥିଲା

ଶେଷରେ ବର୍ଷ ୨୦୧୯ ପାଇଁ ଏତିକି କହିବି । ମୋ ଭଳି ତୁମ ପାଇଁ ମଧ୍ୟ ଅନେକ ଚ୍ୟାଲେଞ୍ଜ ରହିଛି । କାରଣ ଆସନ୍ତାବର୍ଷ ହେବାକୁ ଯାଉଛି ସାଧାରଣ ନିର୍ବାଚନ । ଜନତା କାହା ହାତରେ ଶାସନର ଡୋରି ଦେବେ ତାହାର ମୁକସାକ୍ଷୀ ତୁମେ ରହିବ । କିନ୍ତୁ ଏତିକି ପ୍ରାର୍ଥନା କରିବି ମହାନଦୀ ବ୍ରିଜ ଦୁର୍ଘଟଣା, ଭଦ୍ରକ ଟ୍ରକ ଦୁର୍ଘଟଣା ଓ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଭଳି ଘଟଣା ତୁମ ସମୟରେ ଯେପରି ଆଉ ନହେଉ ।

                                                                                                                                               (ଇତି)

                                                                                                                                            ତୁମର ୨୦୧୮