ବଦଳୁଥିଲା କାଶ୍ମୀରର ଚିତ୍ର, ବଢୁଥିଲା ଆଶା ଆଶଙ୍କା ! ନୂଆ ଇତିହାସ ପାଇଁ ମଧ୍ୟରାତ୍ରରୁ ଘାଟିରେ ଚାଲିଥିଲା ବଡ ଧରଣର ହଲଚଲ୍ ।

308

କନକ ବ୍ୟୁରୋ : କାଶ୍ମୀରକୁ ନେଇ ମୋଦି ସରକାରଙ୍କ ବଡ ନିଷ୍ପତି ପୂର୍ବରୁ ବଡ ଧରଣର ହଲଚଲ ଆରମ୍ଭ ହୋଇଯାଇଥିଲା ଘାଟି ଅଂଚଳରେ । ଲଗାତର ତିନି ଦିନ ହେଲା କାଶ୍ମୀରରେ ବଡ ଧରଣର ପରିବର୍ତନର ସଙ୍କେତ ମିଳୁଥିବା ବେଳେ ରବିବାର ରାତିରୁ ବଦଳୁଥିଲା କାଶ୍ମୀରର ଚିତ୍ର । ନଜର ପକାନ୍ତୁ ଗତକାଲି ମଧ୍ୟରାତ୍ରରୁ ଆଜି ମଧ୍ୟରେ କାଶ୍ମୀରରେ କଣ ସବୁ ଘଟିଗଲା ।

କ’ଣ ଚାଲିଛି କାଶ୍ମୀରରେ, କାହିଁକି ମୁତୟନ ହେଉଛନ୍ତି ଏତେ ସୁରକ୍ଷା କର୍ମୀ, ବଦଳିଯିବ କି ଜାମ୍ମୁକାଶ୍ମୀରର ଭୂଗୋଳ । କ’ଣ ହେବାକୁ ଯାଉଛି ବଡ ନିଷ୍ପତି । ଏହି ପ୍ରଶ୍ନର ଉତ୍ତର ଖୋଜୁ ଖୋଜୁ, ଗତକାଲି ମଧ୍ୟରାତ୍ରରୁ ବଦଳିବାରେ ଲାଗିଥିଲା କାଶ୍ମୀରର ସ୍ଥିତି ।

ଇଂଟରନେଟ ସେବା ବନ୍ଦ, ୧୪୪ ଧାରା ଜାରି : 
ଗତକାଲି ମଧ୍ୟରାତ୍ରରୁ ଜାମ୍ମୁକାଶ୍ମୀରରେ ବ୍ୟାହତ ହେଲା ମୋବାଇଲ ଇଂଟରନେଟ ସେବା । ପୁରା ଜାମ୍ମୁକାଶ୍ମୀରରେ ଲାଗୁ କରାଯାଇଥିଲା ୧୪୪ ଧାରା । ଅର୍ଥାତ ଏକତ୍ର ୪ କିମ୍ବା ତାଠାରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ, ଶୋଭାଯାତ୍ରା, ର‌୍ୟାଲି କିମ୍ବା କୌଣସି ବୈଠକ କରିପାରିବେ ନାହିଁ ।

ଗୃହବନ୍ଦୀ ହେଲେ ନେତା :
ଗୁରୁତ୍ୱପୂର୍ଣ୍ଣ ଘଟଣା ଥିଲା ନେତାଙ୍କ ଗୃହବନ୍ଦୀ । କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ମଧ୍ୟରାତ୍ରରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା, ମେହବୁବା ମୁଫତିଙ୍କୁ କରାଗଲା ଗୃହବନ୍ଦୀ । ପିପୁଲସ କନଫରେନ୍ସ ନେତା ସଜ୍ଜାଦ ଲୋନଙ୍କୁ ମଧ୍ୟ କରାଯାଇଥିଲା ନଜରବନ୍ଦୀ । କାହିଁକି ନା ଏହି ନେତା ମାନେ ମିଳିତ ଭାବେ ବୈଠକ କରୁଥିଲେ ଏବଂ କେନ୍ଦ୍ର ସରକାରଙ୍କ ପ୍ରତିଟି ରଣନୀତି ଉପରେ ନଜର ରଖୁଥିଲେ ।

ସ୍କୁଲ କଲେଜ ବନ୍ଦ, ୪୦ କମ୍ପାନୀ ସିଆରପିଏଫ ମୁତୟନ :
କାଶ୍ମୀର ଘାଟିରେ ସମସ୍ତ ସ୍କୁଲ, କଲେଜ, ଶିକ୍ଷଣ ପ୍ରତିଷ୍ଠାନକୁ ବନ୍ଦ ଘୋଷଣା କରାଯାଇଥିଲା । ଜାମ୍ମୁରେ ମଧ୍ୟ ସ୍କୁଲ, କଲେଜ ବନ୍ଦ ରଖିବାକୁ ଜାରି କରାଯାଇଥିଲା ଆଡଭାଇଜରୀ । କୌଣସି ପ୍ରକାର ବୈଠକ, ରାଲି ଉପରେ ପ୍ରଶାସନ ଲଗାଇଲା କଟକଣା । କାଶ୍ମୀର ୟୁନିଭର୍ସିଟିର ସମସ୍ତ ପରୀକ୍ଷାକୁ ସ୍ଥଗିତ କରାଯାଇଛି । ଜମ୍ମୁରେ ୪୦ କଂପାନୀ ସିଆରପିଏଫ ଯବାନ ମୁତୟନ ହୋଇଛନ୍ତି ।

କେନ୍ଦ୍ର କ୍ୟାବିନେଟର ବୈଠକ, କ୍ୟାବିନେଟ ସୁରକ୍ଷା କମିଟି ବୈଠକ :
ଗୋଟିଏ ପଟେ କାଶ୍ମୀରରେ ଚାଲିଥିଲା ହଲଚଲ । ଆଉ ସେପଟେ ଆଜି ଅଚାନକ ବସିଥିଲା କେନ୍ଦ୍ର କ୍ୟାବିନେଟ ବୈଠକ । ପ୍ରଧାନମନ୍ତ୍ରୀ ଡକାଇଥିବା ଏହି କେନ୍ଦ୍ର କ୍ୟାବିନେଟ ବୈଠକ ଆଜି ସକାଳ ୯ଟା୩୦ରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିଥିଲା । ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ଗୃହମନ୍ତ୍ରୀ ଅମିତ ଶାହ, ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ । କ୍ୟାବିନେଟ ମିଟିଂ ପୂର୍ବରୁ ୧୦ ମିନିଟ୍ ପାଇଁ କ୍ୟାବିନେଟ ସୁରକ୍ଷା କମିଟି ବୈଠକ ବସିଥିଲା । ବୈଠକରେ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯୋଗ ଦେଇ କାଶ୍ମୀର ପ୍ରସଙ୍ଗରେ ବିଚାରବିମର୍ଶ କରିଥିଲେ ।

ଶେଷରେ ହଟିଲା ୩୭୦ ଧାରା, ବିରୋଧୀଙ୍କ ହଙ୍ଗାମା :
ଶେଷରେ ଜାମ୍ମୁ-କାଶ୍ମୀରରେ ସମ୍ବିଧାନର ୩୭୦ ଧାରା ହଟାଇବାକୁ ରାଜ୍ୟସଭାରେ ପ୍ରସ୍ତାବ ଆଣିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ଶାହା ପ୍ରସ୍ତାବ ଆଣିବା ପରେ ରାଜ୍ୟସଭାରେ ବିରୋଧୀ ପ୍ରବଳ ହଙ୍ଗାମା କରିଥିଲେ । ପ୍ରବଳ ବିରୋଧ ସତ୍ୱେ ରାଜ୍ୟସଭାରେ ଧାରା ୩୭୦ ଉଚ୍ଛେଦ ପାଇଁ ପ୍ରସ୍ତାବ ଅଣାଯାଇଥିଲା ।