କଲିକତି କଫସିରପ୍ ନିଶାରେ ଓଡ଼ିଶା : କୋଲକାତାରୁ ବଲାଙ୍ଗୀର ଆଉ ଭାୟା କଟକ ଦେଇ ଲମ୍ବିଛି ନିଶା କାରବାର

613

କନକ ବ୍ୟୁରୋ : ବଲାଙ୍ଗୀରରେ ୪୦ ଲକ୍ଷରୁ ଅଧିକ ଟଙ୍କାର କଫ ସିରପ ଜବତ । କୋଲକାତାରୁ ବଲାଙ୍ଗୀର ଆଉ ଭାୟା କଟକ ଦେଇ ଲମ୍ବିଛି ଏହି କାରବାରର ଚେର । କୋଲକତାର ଏକ କମ୍ପାନୀ ଏହି କଫ ସିରପ ପ୍ରଥମ କଟକ ପଠାଉଥିଲା । ତାପରେ କଟକରୁ ବଲାଙ୍ଗୀର ସହ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ସପ୍ଲାଏ ହେଉଥିଲା ଏହି ସିରପ । ଛୋଟ ଛୋଟ ଡିଲରଙ୍କ ଦ୍ୱାରା ବିଭିନ୍ନ ମାର୍କେଟରେ ପହଞ୍ଚି ଯାଉଥିଲା । ତେବେ ଏହି ନିଶାଖୋରଙ୍କ ବିରୋଧରେ ଏବେ ତେଜିଛି ପୁଲିସ ।

ବଲାଙ୍ଗୀର ଏସପିଙ୍କ ଦ୍ୱାରା ଏକ ଟିମ୍ ଗଠନ କରାଯାଇ ଅନ୍ତରାଜ୍ୟ ରାକେଟକୁ ଠାବ କରିବା ସହ ମୁଖ୍ୟ କିଙ୍ଗପିନକୁ ଗିରଫ କରାଯାଇଛି । ୪୦ଲକ୍ଷରୁ ଅଧିକ ଟଙ୍କାର କଫ ସିରପ ଜବତ କରିଛି ପୋଲିସ । ତାସହିତ ଏହାର ଲିଙ୍କରେ ଥିବା କୋଲକାତା ଡ୍ରଗ୍ସ କମ୍ପାନୀର ଆକାଉଣ୍ଟରେ ଥିବା ୨ କୋଟି ଟଙ୍କା ଫ୍ରିଜ୍ କରାଯାଇଛି । ବଲାଙ୍ଗୀର ସହ କଟକ, ବରଗଡ ଓ ୟୁପି ଝାନ୍ସୀରୁ ୩୭ ଜଣଙ୍କୁ ଗିରଫ କରାଯାଇଛି । ତଦନ୍ତ ଜୋରଦାର କରାଯାଇଥିବା ବେଳେ ଆଗକୁ ଆହୁରି ଗିରଫଦାରୀ ବଢିବ ବୋଲି କୁହାଯାଇଛି ।

ସେପଟେ ପ୍ରାୟ ୫ ଲକ୍ଷ ଟଙ୍କାର ନିଶା ଦ୍ରବ୍ୟ ଜବତ କଲା ବରଗଡ଼ ପଦ୍ମପୁର ପୋଲିସ । କଟକରୁ ବରଗଡ଼ ଏକ ବୁକ୍ ଏଜେନ୍ସିକୁ ନୋଟ୍ ବୁକ୍ ନେବା ବାହାନାରେ ଅବୈଧ ଭାବେ କଫ୍ ସିରଫ୍ ଓ ମେଡିସିନ୍ ନିଆଯାଉଥିବା ବେଳେ ରାସ୍ତାରେ ଧରିଥିଲା ପୋଲିସ । ନୋଟ୍ବୁକ୍ ପଛପଟେ ୨୫ ଶହ ୬୦ଟି କଫସିରଫ୍ ବୋତଲ ଓ ୬ ହଜାର ପେଂଟାଜୋସିନ୍ ମେଡିସନ୍ ନିଆଯାଉଥିଲା । ନିଶା କାରବାର ପାଇଁ ଚାଲାଉ ହେଉଥିବା ଖବର ପାଇ ଚଢାଉ କରିଥିଲା ପୋଲିସ । ଘଟଣାର ମାଷ୍ଟର ମାଇଣ୍ଡ ରାକେଶ ନାୟକ ଓ ଫକିର ଖାନ୍କୁ ଗିରଫ କରାଯାଇଛି ।