ପାହାଡି ରାଜ୍ୟରେ ପ୍ରଳୟ । ହିମାଚଳ ପ୍ରଦେଶରେ ଭୂସ୍ଖଳନ ଯୋଗୁଁ ବ୍ୟାପକ ଭିତିଭୂମି କ୍ଷୟକ୍ଷତି । ପାହାଡ ଶିଖରରୁ ମୃତ୍ୟୁ ପରି ମାଡି ଆସୁଛି ମାଟି ଅତଡା

128

କନକ ବ୍ୟୁରୋ: ଉତ୍ତର ଭାରତରେ ପ୍ରକୃତିର ତାଣ୍ଡବ । ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା, ବନ୍ୟା ଓ ଭୂସ୍ଖଳନରେ ଅସ୍ତବ୍ୟସ୍ତ ଜନ ଜୀବନ । ଏପଟେ ଉତର-ପୂର୍ବ ଭାରତରେ ବି ଦେଖିବାକୁ ମିଳିଛି ସମାନ ସ୍ଥିତି । ପଶ୍ଚିମବଙ୍ଗ କାଲିମପୋଙ୍ଗରେ ଭୂସ୍ଖଳନ ହୋଇ ୩ ମୃତ, ୩ ନିଖୋଜ ।

ବିପଦ ସଂକୁଳ ଅବସ୍ଥାରେ ଲୋକଙ୍କୁ ନଦୀ ପାର କରାଉଛନ୍ତି ଏନଡିଆରଏଫ କର୍ମଚାରୀ । ପ୍ରକୃତିର ତାଣ୍ଡବ ଆଗରେ ଜୀବନ ସହ ବାଜି ଲଗାଇ ଲୋକଙ୍କୁ ଉଦ୍ଧାର କରୁଛନ୍ତି ଏନଡିଆରଏଫ ଟିମ୍ । ଏ ଦୃଶ୍ୟ ହେଉଛି ହିମାଚଳ ପ୍ରଦେଶ ଲାହୁଲ ସ୍ପିତି ଅଂଚଳରେ । ବାଦଲ ଫଟା ବର୍ଷାରେ ହୋଇଥିବା ଭୂସ୍ଖଳନରେ ଫସି ଯାଇଥିବା ଲୋକଙ୍କୁ ଉଦ୍ଧାର କରି ଏପରି ଅବସ୍ଥାରେ ନଦୀ ପାର କରାଉଥନ୍ତି ଉଦ୍ଧାରକାରୀ ଦଳ । ବାଦଲଫଟା ବର୍ଷା ଏବଂ ତା ସହ ଭୂସ୍ଖଳନରେ ଅନେକ ଲୋକ ପ୍ରଭାବିତ ହୋଇଛନ୍ତି । ସେପଟେ ଭୂସ୍ଖଳନ ପାଇଁ ସିରମପୁର ସ୍ଥିତ ୭୦୭ ଜାତୀୟ ରାଜପଥ ଅବରୋଧ ହୋଇ ଯାଇଛି ।

ସେପଟେ ସିକ୍କିମ୍ ନାମଚିରେ ଭୂସ୍ଖଳନ ହୋଇ ପାହାଡ ଖସି ପଡିଛି । ଆଉ ରାସ୍ତାକୁ କରିଛି ଅବରୋଧ । ପାହାଡରୁ ଅତଡା ଖସି ତଳେ ଥିବା ଏକ ସୁଡଙ୍ଗକୁ ଅବରୋଧ କରିଛି । ଫଳରେ ଏହି ସୁଡଙ୍ଗ ଭିତରେ ଲୋକ ଫସି ରହିଛନ୍ତି । ସ୍ଥାନୀୟ ପ୍ରଶାସନ ଦ୍ୱାରା ଲୋକଙ୍କୁ ଉଦ୍ଧାର ପାଇଁ ଜେସିବି ସାହାଯ୍ୟରେ ଅତଡା ସଫା କରାଯାଉଛି ।

ପଶ୍ଚିମବଙ୍ଗ କାଲିମପୋଙ୍ଗ ଠାରେ ଭୂସ୍ଖଳନ ହେବା ଫଳରେ ସିକ୍କିମ ସହ ଲାଗିଥିବା ଜାତୀୟ ରାଜପଥ ଅବରୋଧ ହୋଇଛି । ଭୂସ୍ଖଳନରେ ୬ ଜଣ ନିଖୋଜ ହୋଇଥିବାବେଳେ ଉଦ୍ଧାର କାର୍ଯ୍ୟବେଳେ ୩ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଉଦ୍ଧାରକାରୀ ଦଳ ପୋଲିସ କୁକୁର ସାହାଯ୍ୟର ନିଖୋଜ ଲୋକଙ୍କ ସନ୍ଧାନ କରୁଛି ।

ବର୍ଷାର ତାଣ୍ଡବ ଉତର ଭାରତରେ ପ୍ରଳୟ କରିବାରେ ଲାଗିଛି । ହିମାଚଳ ପ୍ରଦେଶ ପରେ ଏପଟେ ପଶ୍ଚିମବଙ୍ଗରେ ବି ସ୍ଥିତି ବିଗିଡିଥିବା ଦେଖିବାକୁ ମିଳିଛି ।