ଅଳ୍ପକେ ବର୍ତ୍ତିଲା ପୋଲିସଙ୍କ ଜୀବନ । ଲ୍ୟାଣ୍ଡମାଇନ ବିସ୍ଫୋରଣ ପୂର୍ବରୁ ମାଓ ଯୋଜନାକୁ ପଣ୍ଡ କଲେ ଯବାନ ।

84

କନକ ବ୍ୟୁରୋ : ଅଳ୍ପକେ ବର୍ତିଲେ ପୋଲିସ । ମାଓ ଯୋଜନା ହେଲା ପଣ୍ଡ । ମାଓବାଦୀ ଦ୍ୱାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ ଉଦ୍ଧାର କଲେ ଯବାନ । ମାଲକାନଗିରି ଛତିଶଗଡ଼ ସୀମାନ୍ତର ସୁକମା ଅନ୍ତର୍ଗତ ନିପ୍ସା ଜଙ୍ଗଲରେ ପୋଲିସକୁ ଟାର୍ଗେଟ କରି ମାଓବାଦୀ ଖଂଜିଥିଲେ ୨ଟି ଲ୍ୟାଣ୍ଡମାଇନ । ମାଓ ଦମନ ପାଇଁ ୨୦୬ ବାଟାଲିଅନର ସିଆରପିଏଫ ଯବାନଙ୍କ ଅପରେସନ ବେଳେ ମେଟାଲ ଡିକେଟର ଯୋଗେ ଲ୍ୟାଣ୍ଡ ମାଇନ ଖଞ୍ଜା ଯାଇଥିବାର ସନ୍ଧାନ ପାଇଥିଲେ । ପରେ ଏହି ଲ୍ୟାଣ୍ଡ ମାଇନ ଡିଫ୍ୟୁଜ କରିଥିଲେ ଯବାନ ।

ତେବେ ଲ୍ୟାଣ୍ଡମାଇନକୁ ଉଦ୍ଧାର କରିବା ପରେ ଏହାକୁ ଘଞ୍ଚ ଜଙ୍ଗଲ ମଧ୍ୟରେ ଡିଫ୍ୟୁଜ୍ କରିଥିଲେ ଯବାନ । ତେବେ ଏହି ସମୟରେ ବିସ୍ପୋରଣ ଏତେ ଭୟଙ୍କର ଥିଲା ପୋଲିସ କିମ୍ବା ଯବାନଙ୍କ ଗାଡ଼ିକୁ ଅତି ସହଜରେ ଉଡାଇ କ୍ଷତି ପହଂଚାଇ ପାରିଥାନ୍ତା । ହେଲେ ସିଆରପିଏଫ ଯବାନ ମାଓବାଦୀ ଯୋଜନାକୁ ସମ୍ପୂର୍ଣ୍ଣ ପଣ୍ଡ କରିଛନ୍ତି । ଆଉ ଏହାପରେ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

ଗତ କିଛିଦିନ ହେବ ମାଓବାଦୀ ମାନେ ଯବାନଙ୍କୁ ଟାର୍ଗେଟ କରିବାକୁ ନିଜର ଷ୍ଟ୍ରାଟେଜି ବଦଳାଉଥିବାର ଦେଖିବାକୁ ମିଳୁଛି । ଲ୍ୟାଣ୍ଡମାଇନ ବଦଳରେ ସ୍ପାଇକ ହୋଲ କିମ୍ବା ଧନୁ ତୀରରେ ପେଟ୍ରୋଲ ବୋମା ବ୍ୟବହାର କରି ଯବାନଙ୍କୁ ଟାର୍ଗେଟ କରୁଛନ୍ତି । ତେବେ ଗାଡି ନେଇ ଯାତାୟତ କରୁଥିବା ଯବାନଙ୍କୁ ଟାର୍ଗେଟ କରିବାକୁ ଏବେ ମଧ୍ୟ ଶକ୍ତିଶାଳୀ ଲ୍ୟାଣ୍ଡମାଇନ ବ୍ୟବହାର କରୁଛନ୍ତି ମାଓବାଦୀ ।