ଗୋଟିଏ ଜମି, ମାଲିକାନା ଜାହିର କରୁଛନ୍ତି ଅନେକ । ୫ ଜଣଙ୍କୁ ବିକ୍ରି କରାଯାଇଛି ଗୋଟିଏ ଜମି ।

598

କନକ ବ୍ୟୁରୋ : ଆପଣ ଭୁବନେଶ୍ୱରରେ ଜମି କିଣିବାକୁ ଚାହୁଁଛନ୍ତି କି ? ଜମି କିଣିବା ପୂର୍ବରୁ ସତର୍କ ହୋଇଯାଆନ୍ତୁ ନହେଲେ ଆପଣ ହୋଇପାରନ୍ତି ଠକାମୀର ଶିକାର । କାହିଁକି ନା ମାଳ ମାଳ ଦଲାଲ ଏବେ ଗୋଟିଏ ଜମିକୁ ବାରମ୍ବାର ବିକୁଥିବାର ଚିତ୍ର ସାମ୍ନାକୁ ଆସିଛି ।

ଜମି ଗୋଟିଏ, ହେଲେ ମାଲିକ ଅନେକ । ଗୋଟିଏ ଜାଗାକୁ କିଣିଥିବା ଦାବି କରୁଛନ୍ତି ଏକାଧିକ ବ୍ୟକ୍ତି । ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଭୁବନେଶ୍ୱର ସାଁପୁରରେ ଦେଖିବାକୁ ମିଳିଛି ଏଭଳି ବିଚିତ୍ର ଦୃଶ୍ୟ । ଏନେଇ ମାମଲା ଥାନାରେ ପହଁଚିଛି ।

ଆମେ କହୁଛୁ ଭୁବନେଶ୍ୱର ସାଁପୁର ଅଞ୍ଚଳର ସେହି ଘର, ଯେଉଁ ଘରର ମାଲିକାନା ନେଇ ଆରମ୍ଭ ହୋଇଛି ବିବାଦ । ଏ ଘରର ମାଲିକ ବୋଲି ଦୁଇ ଜଣ ଦାବି କରୁଥିବା ବେଳେ ଏହାର ଏନକମବ୍ରାନଂସ ସାର୍ଟିଫିକେଟ ବା ଇସି କହୁଛି ଏ ଜାଗାଟି ଚାରି ଚାରି ଜଣଙ୍କୁ ବିକ୍ରି କରାଯାଇଛି । ଇ.ସି.ର ତଥ୍ୟ ଅନୁଯାୟୀ ୧୬ ଅକ୍ଟୋବର ୨୦୦୭ରେ ମିହିର ରଞ୍ଜନ ରଥ, ରଞ୍ଜନା ଦାସ ନାମକ ଜଣେ ମହିଳାଙ୍କ ଠାରୁ ଏହି ଜମି କିଣିଥିଲେ ।

ସେହିପରି ୩୦ ନଭେମ୍ବର ୨୦୧୨ରେ ରଞ୍ଜନା ଏହି ଜମିଟିକୁ ଭଗତ ମଣ୍ଡଳକୁ ପୁଣି ଥରେ ବିକ୍ରି କରିଛନ୍ତିି । ଏପରିକି ରଞ୍ଜନା ୩୧ ଅଗଷ୍ଟ ୨୦୧୬ରେ ଅର୍ଥାତ ଗୋଟିଏ ଦିନରେ ସମାନ ଜମିକୁ ସତ୍ୟବ୍ରତ ଜେନା ଏବଂ ହରିବନ୍ଧୁ ସାମନ୍ତରାୟ ନାମକ ଦୁଇ ଜଣ ବ୍ୟକ୍ତିଙ୍କୁ ବିକ୍ରି କରିଥିବା ଅଭିଯୋଗ ହୋଇଛି ।

ରବିବାର ଜଣେ ଶିକ୍ଷୟତ୍ରୀ ଦିପ୍ତୀମୟୀ ହରିଚନ୍ଦନ, ଏହି ଜାଗାର ପ୍ରକୃତ ମାଲିକ ବୋଲି ଗଣମାଧ୍ୟମ ଆଗରେ କହିଥିଲେ । ଆଉ କହିଥିଲେ ୨୦୧୬ ମସିହାରୁ ଏହି ଜମିକୁ କିଣି ଏଠାରେ ସେ ଘର କରିଛନ୍ତି । ଏବେ ଅଭିଯୋଗ କରି କହିଛନ୍ତି ତାଙ୍କର ଏହି ଘରକୁ ଜବରଦଖଲ କରାଯାଇଛି । ଏହାର ପ୍ରତିକ୍ରିୟା ରଖି ମିହିର ରଞ୍ଜନ କହିଛନ୍ତି, ଏହି ଜମିକୁ ସେ ୨୦୦୭ ମସିହାରେ ରଞ୍ଜନା ଦାସଙ୍କ ଠାରୁ କିଣିଥିଲେ । ରଞ୍ଜନା ଦାସ ଏଭଳି ୫ ଜଣଙ୍କୁ ସେହି ଗୋଟିଏ ପ୍ଲଟକୁ ବିକ୍ରି କରିଥିବା ସେ ଅଭିଯୋଗ କରିଛନ୍ତି । ଏନେଇ କୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ରଞ୍ଜନାଙ୍କ ନାଁରେ ଭରତପୁର ଥାନାରେ ମାମଲା ରୁଜୁ କରିଛନ୍ତି ।

ଗୋଟିଏ ଜମି କିନ୍ତୁ ମାଲିକ ଅନେକ । କିଏ କାହାକୁ ବିକିଲା ଶୁଣିଲେ, ଯେକେହି ଦ୍ୱନ୍ଦରେ ପଡିଯିବେ । ରାଜଧାନୀରେ ଏଭଳି କାରବାର ବିନା ବାଧାରେ ଚାଲିଛି । ଏବଂ ଯିଏ ଘର ପାଇଁ ଜୀବନ ସାରାର ପୁଞ୍ଜି ଲଗାଇ ଦେଇଛି ସେ ଏବେ କୋର୍ଟ ଏବଂ ଥାନାରେ ଚକର କାଟୁଛି ।