ଶ୍ରୀମନ୍ଦିର ପାଇଁ ସ୍ୱେଚ୍ଛାକୃତ ଭାବେ ସଂଗ୍ରହ ହେଲା ୭୫ % ଘରୋଇ ଜମି । ଶ୍ରୀକ୍ଷେତ୍ରବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ଏଭଳି ତ୍ୟାଗକୁ ଶ୍ରଦ୍ଧାର ସହ ମନେ ରଖିବ ଓଡିଆ ଜାତି ।

271

କନକ ବ୍ୟୁରୋ : ଶ୍ରୀମନ୍ଦିର ନିରାପତ୍ତା ବଳୟ ପାଇଁ ମିଳିଛି ଅଦ୍ଭୁତପୂର୍ବ ସମର୍ଥନ । ସ୍ୱେଚ୍ଛାକୃତ ଭାବେ ସଂଗ୍ରହ ହୋଇଛି ପ୍ରାୟ ୭୫% ଘରୋଇ ଜମି । ଆଉ ଜମି ପ୍ରଦାନକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁ ଓ ତାଙ୍କ ଶ୍ରୀମନ୍ଦିର ଓଡିଆ ଜାତିର ସବୁକିଛି । ସେ ଆମର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ । ଶ୍ରୀମନ୍ଦିର ନିରାପତ୍ତା ପାଇଁ ତାର ୭୫ ମିଟର ପରିସର ମଧ୍ୟରେ ଥିବା ସ୍ଥାବର ସମ୍ପତ୍ତିକୁ ପ୍ରଦାନ କରିବା ପାଇଁ ପବିତ୍ର ଜନ୍ମାଷ୍ଟମୀ ଦିନ ଶ୍ରୀକ୍ଷେତ୍ରବାସୀଙ୍କୁ ନିବେଦନ କରିଥିଲେ ମୁଖ୍ୟମନ୍ତ୍ରୀ । ଆଉ ଅନୁରୋଧକୁ ରକ୍ଷା କରିଥିବାରୁ ଶ୍ରୀକ୍ଷେତ୍ରବାସୀଙ୍କ ନିକଟରେ କୃତଜ୍ଞ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ମହାପ୍ରଭୁଙ୍କ ପାଇଁ ଜମି ପ୍ରଦାନକାରୀଙ୍କ ଏହି ତ୍ୟାଗକୁ ଓଡିଆ ଜାତି ସବୁଦିନ ଶ୍ରଦ୍ଧାର ସହ ମନେ ରଖିବ ।

ତେବେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ୪୦ ଦିନ ମଧ୍ୟରେ ସିଧାସଳଖ ବିକ୍ରୀ-ଖର୍ଦ୍ଦି ପ୍ରକ୍ରିୟାରେ ମୋଟାମୋଟି ୭୫ ପ୍ରତିଶତ ଘରୋଇ ଜମି ସଂଗ୍ରହ ହୋଇପାରିଛି । ତେବେ ମହାପ୍ରଭୁଙ୍କ ଏହି କାର୍ଯ୍ୟରେ ଜିଲ୍ଲା ପ୍ରଶାସନ ଓ ଏହାର ସମସ୍ତ ବିଭାଗର କର୍ମଚାରୀ ଏବଂ ପୋଲିସ କର୍ମଚାରୀମାନେ ରବିବାର ସମେତ ସବୁ ଛୁଟି ଦିନ ମାନଙ୍କରେ ମଧ୍ୟ ସେମାନଙ୍କ କାମ ଜାରି ରଖିଛନ୍ତି । ସେଥିପାଇଁ ସେମାନଙ୍କୁ ମଧ୍ୟ ବିଶେଷ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।