ଲାଲୁଙ୍କୁ ପୁଣି ଝଟକା ! ଗୋଖାଦ୍ୟ ଦୁର୍ନୀତି ନେଇ ତୃତୀୟ ମାମଲାରେ ହେଲେ ଦୋଷୀ ସାବ୍ୟସ୍ତ । ରାଂଚିର ସ୍ୱତନ୍ତ୍ର ସିବିଆଇ କୋର୍ଟଙ୍କ ରାୟ

67

କନକ ବ୍ୟୁରୋ: ଲାଲୁଙ୍କୁ ପୁଣି ଝଟକା ।  ଗୋଖାଦ୍ୟ ଦୁର୍ନୀତିକୁ ନେଇ ଲାଲୁଙ୍କ ନାଁରେ ଥିବା  ତୃତୀୟ ମାମଲାରେ ଆଜି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ରାଂଚି ସ୍ଥିତ ସିବିଆଇ ସ୍ୱତନ୍ତ୍ର କୋର୍ଟ ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।  ଗତ ୧୦ ତାରିଖରେ ଏହି ମାମଲାରେ କୋର୍ଟ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ।

୧୯୯୨-୯୩ ମସିହାରେ ଚାଇବାସା କୋଷାଗାରରେ ନକଲି କାଗଜପତ୍ର ମାଧ୍ୟମରେ ବେଆଇନ ଭାବେ ୩୩.୬୭ କୋଟି ଟଙ୍କା  ହଡପ କରାଯିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ୧୯୯୬ରେ ମାମଲା ରୁଜୁ ହୋଇଥିଲା । ଘଟଣାରେ  ମୋଟ ୫୬ ଜଣ  ଅଭିଯୁକ୍ତ ରହିଥିଲେ । ଏମାନଙ୍କ ମଧ୍ୟରେ ଅଛନ୍ତି ଲାଲୁ ପ୍ରସାଦ ଯାଦବ ଓ ବିହାର ପୂର୍ବ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ର । ମାମଲାର ଶୁଣାଣି ଜାରି ରହିଥିବାବେଳେ ୧୪ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇସାରିଛି । ଏବଂ ୨ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଥିଲେ ।

ଡିସେମ୍ବର ମାସରେ ଦେଓଘର କୋଷାଗାର ଦୁର୍ନୀତି ମାମଲାରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇ ବିର୍ସା ମୁଣ୍ଡା ଜେଲରେ ସଜା କାଟୁଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ଚାରା ଦୁର୍ନୀତି ମାମଲାର ତଦନ୍ତ ଚଳାଇଛି ।