ଚର୍ଚ୍ଚାରେ ଲଳିତ ମୋଦୀ ସୁସ୍ମିତା ସେନ ପ୍ରେମ କାହାଣୀ। ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଲଳିତ। 

205

କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ଆଇପିଏଲର ପୂର୍ବତନ ଚେୟାରମ୍ୟାନ ଲଳିତ ମୋଦୀ ଓ ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ୍ । ଏଥର ନିଜର ପ୍ରେମ ଜନିତ ବ୍ୟାପାରକୁ ନେଇ ଚର୍ଚ୍ଚା ପରିସରକୁ ଆସିଛନ୍ତି ଉଭୟ । ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ୍ ସହ ଏବେ ପ୍ରେମ ସମ୍ପର୍କରେ ଅଛନ୍ତି ଲଳିତ ମୋଦୀ । ଏନେଇ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି ଲଳିତ । ତେବେ ଉଭୟ ବିବାହ କରିଥାଇପାରନ୍ତି ବୋଲି ଚର୍ଚ୍ଚା ପରେ ସେ ସ୍ପଷ୍ଟୀକରଣ ରଖିଛନ୍ତି । ଲଳିତ ଲେଖିଛନ୍ତି ଯେ, ଏଯାଏଁ ଉଭୟ ବିବାହ କରିନାହାନ୍ତି । ଏବେ ଦୁହେଁ ଦୁହିଁଙ୍କୁ ଡେଟ୍ କରୁଛନ୍ତି । ତେବେ ଖୁବଶୀଘ୍ର ବିବାହ କରିବେ ବୋଲି ଲେଖିଛନ୍ତି ଲଳିତ । ମାଳଦ୍ୱୀପରେ ଉଭୟ ଛୁଟିକାଟୁଥିବାର କିଛି ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି ଲଳିତ ମୋଦୀ ।

ଦୀର୍ଘ ବର୍ଷର ସମ୍ପର୍କ ପରେ ଗତବର୍ଷ ଡିସେମ୍ବରରେ ସୁସ୍ମିତା ଓ ତାଙ୍କର ପୂର୍ବତନ ପୁରୁଷ ବନ୍ଧୁ ରୋହମନ ସଲ୍ଙ୍କ ମଧ୍ୟରେ ସମ୍ପର୍କ ଛିନ୍ନ ହୋଇଥିଲା । ସେହିପରି ୪ ବର୍ଷ ତଳେ ଲଳିତଙ୍କ ପତ୍ନୀ ମିନଲଙ୍କର ମୃତ୍ୟୁ ହୋଇଥିଲା । ୧୯୯୧ରେ ଲଳିତ ଓ ମିନଲଙ୍କ ବିବାହ ହୋଇଥିଲା । ଏବେ ସୁସ୍ମିତା ଓ ଲଳିତ ମୋଦୀଙ୍କ ପ୍ରେମ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଛି ।

ସୋସିଆଲ ମିଡିଆରେ ସୁସ୍ମିତାଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ପୋଷ୍ଟ ସେୟାର କରିବା ପୂର୍ବରୁ କିଛି ପୁରୁଣା ଫଟୋ ବି ସେୟାର କରିଥିଲେ ଲଳିତ ମୋଦୀ । ଆଉ ଲେଖିଥିଲେ, ଗ୍ଲୋବାଲ ଟୁର ଶେଷ କରିବା ପରେ ସେ ଲଣ୍ଡନ ଫେରିଆସିଛନ୍ତି । ପରିବାର ସହିତ ସେ ମାଳଦ୍ୱୀପ ଓ ସର୍ଦିନିଆ ଯାଇଥିଲେ । ଏହି ପୋଷ୍ଟରେ ସେ ସୁସ୍ମିତା ସେନଙ୍କୁ ନିଜର ବେଟର ହାଫ ବା ନିଜ ପତ୍ନୀ ବୋଲି ଲେଖିବା ସହ ତାଙ୍କୁ ଟ୍ୟାଗ କରିଥିଲେ । ପରେ ଅବଶ୍ୟ ସେ ଆଉ ଏକ ପୋଷ୍ଟ କରି ବିବାହ ସରିନାହିଁ ଖୁବଶୀଘ୍ର ବିବାହ ହେବ ବୋଲି ଲେଖିଥିଲେ ।  ଏହାପରେ ପରେ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟର ଡିସପ୍ଲେ ପିକଚରକୁ ମଧ୍ୟ ପରିବର୍ତନ କରି ସୁସ୍ମିତା ସେନଙ୍କ ସହ ଏକ ଫଟୋ ସେୟାର କରିଥିଲେ ।

ଡେଟ୍ କରୁଛନ୍ତି ସୁସ୍ମିତା-ଲଳିତ

– ପୂର୍ବତନ ମିସ୍ ୟୁନିଭର୍ସ ସୁସ୍ମିତା ସେନ୍ଙ୍କୁ ଡେଟ୍ କରୁଛନ୍ତି ଲଳିତ ମୋଦୀ

– ସୁସ୍ମିତାଙ୍କ ସହ ନୂଆ ଜୀବନ ଆରମ୍ଭ କରିବା ନେଇ ଲଳିତ ମୋଦୀଙ୍କ ଘୋଷଣା

– ସୁସ୍ମିତାଙ୍କୁ ତାଙ୍କ ପତ୍ନୀ ଭାବେ ସମ୍ବୋଧନ କରିଛନ୍ତି ଲଳିତ

– କେବଳ ଡେଟିଂ କରୁଛନ୍ତି, ବିବାହ କରିନଥିବା ଟ୍ୱିଟ୍ କରି ସ୍ପଷ୍ଟିକରଣ ରଖିଛନ୍ତି

– ଖୁବ୍ ଶ୍ରୀଘ୍ର ସ୍ଥିର ହେବ ଲଳିତ-ସୁସ୍ମିତାଙ୍କ ବିବାହ ତାରିଖ

– ନୂଆ ଜୀବନ ଓ ନୂଆ ଆରମ୍ଭକୁ ନେଇ ବେଶ୍ ଉତ୍ସାହିତ ଲଳିତ ମୋଦୀ

– ଟ୍ୱିଟରରେ ଦୁଇ ଜଣଙ୍କ ପୁରୁଣା ଦିନର କିଛି ଫଟୋ ପୋଷ୍ଟ କରିଛନ୍ତି

 

ଆଇପିଏଲ ଏବେ ବିଶ୍ୱ କ୍ରିକେଟରେ ଏକ ବଡ଼ ବ୍ରାଣ୍ଡ । ହେଲେ ଆଇପିଏଲର ଜନ୍ମଦାତା ଭାବେ ଲଲିତ ମୋଦୀଙ୍କୁ ଅନେକ ଶ୍ରେୟ ଦେଇଥାନ୍ତି । ତେବେ ତାଙ୍କ ବିରୋଧରେ ଅର୍ଥ ତୋଷାରପାତର ଅଭିଯୋଗ ବି ଆସିଥିଲା । ଏହାସହ ତାଙ୍କ ନାମରେ ଆହୁରୀ ମାମଲା ରହିଛି । ତେବେ ଲଳିତ ମୋଦୀ ୧୨ବର୍ଷ ହେଲା ପଳାତକ ସାଜି ଏବେ ବିଦେଶରେ ରହୁଛନ୍ତି ।

ଲଳିତ ମୋଦୀ ଓ ସୁସ୍ମିତା ସେନଙ୍କ ପ୍ରେମ କାହାଣୀ ଅନେକଙ୍କୁ ଚକିତ କରିଛି । କାରଣ ସୁସ୍ମିତା ସୁନ୍ଦରୀ ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ହୋଇଥିବା ବେଳେ ଲଳିତ ମୋଦୀ ଜଣେ ପଳାତକ । ୨୦୧୦ରୁ ଭାରତ ଛାଡି ଲଣ୍ଡନରେ ରହୁଛନ୍ତି ଲଳିତ । ପ୍ରାୟ ୧୨ବର୍ଷ ତଳୁ ତାଙ୍କୁ ପଳାତକ ଘୋଷଣା କରାଯାଇଛି । ଖେଳ ଜଗତକୁ ଆଇପିଏଲ ଭେଟି ଦେଇଥିବା ଲଳିତ ମୋଦୀ ଆଇପିଏଲ ଆରମ୍ଭ ହେବାର ମାତ୍ର ଦୁଇ ବର୍ଷ ପରେ ସେ ଦେଶ ଛାଡି ଚାଲିଯାଇଥିଲେ । ତାଙ୍କ ଉପରେ ମନି ଲଣ୍ଡ୍ରିଂରେ ମାମଲା ହେବା ପରେ ସେ ଦେଶରୁ ଫେରାର ହୋଇଯାଇଥିଲେ ।

ବିଜେପି ନେତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କ ସହ ଲଳିତ ମୋଦୀ ବେଶ ଘନିଷ୍ଠ ସମ୍ପର୍କ ରହିଥିଲା । ବସୁନ୍ଧରା ପ୍ରଥମ ଥର ପାଇଁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଥିବା ବେଳେ ଲଳିତ ମୋଦୀ ‘ସୁପ୍ରିମ ଚିଫ୍ ମିନିଷ୍ଟର’ ବୋଲି କୁହାଯାଉଥିଲା । ଏହି ସମୟରେ ୪ବର୍ଷ ପାଇଁ ରାଜସ୍ଥାନ କ୍ରିକେଟ ବୋର୍ଡର ସଭାପତି ମଧ୍ୟ ଥିଲେ ଲଳିତ ମୋଦୀ ।

ସୁସ୍ମିତା ସେନ ୧୯୯୪ରେ ବ୍ରହ୍ମାଣ୍ଡ ସୁନ୍ଦରୀ ଟାଇଟଲ ଜିତିଥିଲେ । ସ୍ୱାଧୀନ ଭାବେ ଜୀବନ ବଞ୍ଚିବାକୁ ନେଇ ବେଶ ଜଣାଶୁଣା ସୁସ୍ମିତା । ଏପରିକି ୪୬ ବର୍ଷୀୟ ସୁସ୍ମିତା ବିବାହ କରିନଥିଲେ ବି ଦୁଇଟି ଝିଅକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି । ଅପରପକ୍ଷରେ ମନି ଲଣ୍ଡ୍ରିଂ ମାମଲାରେ ଫସି ପଳାତକ ସାଜିଥିବା ଲଳିତ ମୋଦୀଙ୍କ ପତ୍ନୀ ମିନଲଙ୍କ ୪ବର୍ଷ ତଳେ ମୃତ୍ୟୁ ହୋଇଥିଲା । ଲଳିତ ଓ ମୀନଲଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ଏବେ ନଜର ପକାନ୍ତୁ ସୁସ୍ମିତା ସେନ ଓ ଲଳିତ ମୋଦୀଙ୍କ ଜୀବନ ଉପରେ :-

ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା

– ୧୯୯୪ରେ ପ୍ରଥମ ଭାରତୀୟ ଭାବେ ବ୍ରହ୍ମାଣ୍ଡ ସୁନ୍ଦରୀ ଟାଇଟଲ ଜିତିଥିଲେ

– ୧୮ ବର୍ଷ ବୟସରେ ଫେମିନା ମିସ୍ ଇଣ୍ଡିଆ ହୋଇଥିଲେ ସୁସ୍ମିତା

– ପରେ ହିନ୍ଦି ଫିଲ୍ମରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ

– ଦୁଇ ଝିଅଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ସୁସ୍ମିତା ସେନ୍

ଲଳିତ ମୋଦୀ କିଏ?

– ଲଳିତ ମୋଦୀ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଓ କ୍ରିକେଟ୍ ପ୍ରଶାସକ

– ୨୦୦୫-୧୦ ମଧ୍ୟରେ ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡର ଉପାଧ୍ୟକ୍ଷ ଥିଲେ

– ପଞ୍ଜାବ କ୍ରିକେଟ୍ ଆସୋସିଏସନ୍ର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ

– ରାଜସ୍ଥାନ କ୍ରିକେଟ୍ ଆସୋସିଏସନ୍ର ଅଧ୍ୟକ୍ଷ ମଧ୍ୟ ଥିଲେ ଲଳିତ ମୋଦୀ

– ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ପ୍ରଥମ ଅଧ୍ୟକ୍ଷ ଥିଲେ ଲଳିତ ମୋଦୀ

– ତିନି ବର୍ଷ ପର୍ଯ୍ୟନ୍ତ ତାଙ୍କ ନେତୃତ୍ୱରେ ଆଇପିଏଲ୍ ଖେଳାଯାଇଥିଲା

– ୨୦୧୦ରେ ଠକାମୀ ଅଭିଯୋଗରେ ଲଳିତ ମୋଦୀଙ୍କୁ ନିଲମ୍ବିତ କରାଯାଇଥିଲା

– ମନି ଲଣ୍ଡ୍ରିଂ ଅଭିଯୋଗ ପରେ ସେ ଦେଶ ଛାଡି ପଳାଇଥିଲେ