ଆଜି ବିଜେପି ଭୀଷ୍ମ ପିତାମହଙ୍କ ଜନ୍ମଦିନ । ୯୨ବର୍ଷ ବୟସରେ ପାଦ ଥାପିଲେ ଲାଲକୃଷ୍ଣ ଆଡଭାନୀ, ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା ।

1,028

କନକ ବ୍ୟୁରୋ : ଅଯୋଧ୍ୟା ଆନ୍ଦୋଳନର ସୁତ୍ରପାତ କରିଥିବା ଭାରତବର୍ଷର ରାଜନୀତିକୁ ନୂଆ ଧାରା ଦେଇଥିବା ବିଜେପିର ଭୀଷ୍ମ ପିତାମହ ଲାଲକୃଷ୍ଣ ଆଡଭାନୀ ଆଜି ୯୨ରେ ପଦାର୍ପଣ କରିଛନ୍ତି । ଲାଲକୃଷ୍ଣ ଆଡଭାନୀ ୧୯୯୨ରେ ଅଯୋଧ୍ୟାର ନାୟକ ଥିଲେ ।

ଲାଲକୃଷ୍ଣ ଆଡଭାନୀଙ୍କ ଜନ୍ମ ଅବିଭାଜିତ ଭାରତର ସିନ୍ଧ ପ୍ରାନ୍ତରରେ ୮ନଭେମ୍ବର ୧୯୨୭ରେ ହୋଇଥିଲା । ପିତାଙ୍କ ନାମ କୃଷ୍ଣଚନ୍ଦ ଡି ଆଡଭାନୀ ଓ ମାତାଙ୍କ ନାମ ଥିଲା ଜ୍ଞାନୀ ଦେବୀ । ଯେବେ ଦେଶ ବିଭାଜିତ ହୋଇଥିଲା , ସେବେ ତାଙ୍କ ପରିବାର ମୁମ୍ବାଇରେ ଥିଲା । ସେଠାରେ ସେ ଆଇନ ଶିକ୍ଷା ଗ୍ରହଣ କରିଥିଲେ ।

ଭାରତରେ ୧୯୫୧ରେ ସେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଦ୍ୱାରା ସ୍ଥାପିତ ଜନସଂଘ ସହିତ ଜଡିତ ହୋଇଥିôଲେ । ୧୯୭୭ରେ ଜନତା ପାର୍ଟି ପରେ ୧୯୮୦ରେ ବିଜେପି ସହ ଯୋଡି ହୋଇଥିଲେ । ବିଜେପି ସହିତ ଆଡଭାନୀ ଭାରତୀୟ ରାଜନୀତିର ଧାରା ବଦଳାଇ ଦେଇଥିଲେ । ସେ ଆଧୁନିକ ଭାରତରେ ହିନ୍ଦୁତ୍ୱକୁ ରାଜନୀତିରେ ପ୍ରୟୋଗ କରିଥିଲେ । ୧୯୮୪ରେ ଦୁଇଟି ଆସନରେ ଆରମ୍ଭ ହୋଇଥିବା ଭାରତୀୟ ଜନତା ପାର୍ଟି ୨୦୧୯ରେ ୩୦୩ ଆସନରେ ପହଂଚିଛି । ବିଜେପି ପାର୍ଟି ପାଇଁ ତାଙ୍କର ଅବଦାନ ଅତୁଳନୀୟ ।

ଆଜି ଆଡଭାନୀ ସାମାଜିକ ଏବଂ ରାଜନୀତିକ ସକ୍ରିୟ ଠାରୁ ଦୂରରେ ଅଛନ୍ତି । ସୋସିଆଲ ମିଡିଆରେ ତାଙ୍କର କୌଣସି ଆକାଉଂଟ ନାହିଁ । ଲୋକଙ୍କ ସହ ଯୋଡି ହେବା ପାଇଁ ତାଙ୍କର ଏକ ବ୍ଲଗ ରହିଛି । ଶତାୟୁ ଆଡକୁ ପ୍ରସ୍ଥାନ କରୁଥିବା ବିଜେପିର ଲୌହ ପୁରୁଷ ଆଡଭାନୀ ପରିଣତ ବୟସରେ ନିଜ ସହଯୋଗୀଙ୍କୁ ହରାଇସାରିଛନ୍ତି । ବାଜପେୟୀ, ଭୈରୋ ସିଂହ ଶେଖାବତ, କୈଳାଶପତି ମିତ୍ର, ମଦନ ଲାଲ ଖୁରାନା, ସୁନ୍ଦର ଲାଲ ପଟୱାଙ୍କ ଭଳି ସାଙ୍ଗମାନେ ତାଙ୍କୁ ଛାଡି ଆରପାରିକୁ ଚାଲିଯାଇଛନ୍ତି ।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଡଭାନୀଙ୍କୁ ଜନ୍ମ ଦିନର ଅଭିନନ୍ଦନ ଜଣାଇଛନ୍ତି । ମୋଦୀ କହିଛନ୍ତି କି, ଭାରତକୁ ସଶକ୍ତ କରିବାରେ ବିଦ୍ୱାନ, ରାଜନେତା ଏବଂ ସମ୍ମାନୀତ ନେତାଙ୍କ ମଧ୍ୟରେ ଲାଲକୃଷ୍ଣ ଆଡଭାନୀଙ୍କ ଅବଦାନ ଅତୁଳନୀୟ । ସେହିପରି ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ସଡକ ଓ ପରିବହନ ମନ୍ତ୍ରୀ ନିତୀନ ଗଡକରୀ ଏବଂ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପୀ ନଡ୍ଡାଙ୍କ ସମେତ କେତେକ ବରିଷ୍ଠ ନେତା ଆଡଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇଛନ୍ତି ।