ଉଠାଉ ଉଠାଉ ଭାଙ୍ଗିଗଲା ମାଷ୍ଟରକ୍ୟାଣ୍ଟିନ ନର୍ତକୀ ମୂର୍ତ୍ତି । ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ବେଳେ ଅଘଟଣ, ତରବରିଆ ଭାବେ ଅଠା ଦେଇ ଯୋଡି ଦିଆଗଲା ମୂର୍ତ୍ତି ।

228

କନକ ବ୍ୟୁରୋ : ମାଷ୍ଟରକ୍ୟାଣ୍ଟିନ ଗୋଲେଇକୁ ନୂଆ ରୂପ ଦେବା ପାଇଁ ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ କାର୍ଯ୍ୟ ଚାଲିଛି । ଘୋଡା ଓ ଯୋଦ୍ଧା ମୂର୍ତିକୁ କିଭଳି ନହଟାଇ କିଭଳି ସ୍ମାର୍ଟ ଜନପଥ ନିର୍ମାଣ କରାଯିବ ସେଥିପାଇଁ ପ୍ରୟାସ ଆରମ୍ଭ ହୋଇଛି । ହେଲେ, ଏହି ସମୟରେ ଘୋଡା ପାଶ୍ୱର୍ରେ ଥିବା ନର୍ତକୀ ମୂର୍ତ୍ତି ଭାଙ୍ଗି ଯାଇଥିଲା । ଯାହାକୁ ବିରୋଧ କରି ଏକାଠି ହୋଇଥିଲେ ବିିଭିନ୍ନ ସାମାଜିକ ସଂଗଠନ ।

ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଐତିହାସିକ ଯୁଦ୍ଧ ଘୋଡା ପାଶ୍ୱର୍ରେ ଥିବା ନର୍ତକୀ ମୂର୍ତ୍ତି ସ୍ଥାନାନ୍ତର ବେଳେ ଘଟିଥିଲା ଏମିତି ଅଘଟଣ । ମେସିନ୍ ସହାୟତାରେ ସ୍ଥାନାନ୍ତର ବେଳେ ଭାଙ୍ଗି ଦୁଇ ଖଣ୍ଡ ହୋଇଯାଇଥିଲା ପାଶ୍ୱର୍ରେ ଥିବା ନର୍ତକୀ ମୂର୍ତ୍ତି ।

ମୂର୍ତ୍ତି ଭାଙ୍ଗିଯିବା ପରେ ତରବରିଆ ଭାବେ ମୂର୍ତ୍ତିକୁ ଅଠା ମାରି ଯୋଡାଯାଇଛି । ଛକକୁ ସଙ୍କୁଚିତ କରାଯିବାକୁ ଥିବାରୁ ପାଶ୍ୱର୍ ନର୍ତକୀମାନଙ୍କୁ ସ୍ଥାନାନ୍ତର କରାଯାଉଛି । ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ବିରୋଧ କରାଯାଇଛି ।

ତେବେ ପଥର ମୂର୍ତ୍ତି ଗୁଡିକ ବହୁତ ପୁରୁଣା ଓ ଏହାର ଯତ୍ନ ସଠିକ୍ ଭାବରେ ନିଆଯାଇନଥିବାରୁ ସ୍ଥାନାନ୍ତରବେଳେ ଭାଙ୍ଗି ଯାଇଛି ବୋଲି କହିଛନ୍ତି, ଭାସ୍କର୍ଯ୍ୟ ଶିଳ୍ପୀ ସୂର୍ଯ୍ୟନାରାୟଣ ସାହୁ । ଘୋଡାକୁ ନହଟାଇ କିଭଳି ଛକର ସୌନ୍ଦର୍ଯ୍ୟକରଣ କରାଯାଇପାରିବ ଓ ଜନପଥ ସମ୍ପ୍ରସାରଣ ହୋଇପାରିବ ସେଥିପାଇଁ ନିଷ୍ପତ୍ତି ନିଆଯାଇଥିଲା । ଆଉ ସେହି ଅନୁସାରେ ଏକ ସ୍ୱତନ୍ତ୍ର ନକ୍ସା ପ୍ରସ୍ତୁତ କରାଯାଇଛି । ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁଙ୍କ ତତ୍ୱାବଧାନରେ ଛକକୁ ନୂଆ ରୂପ ଦେବା ପାଇଁ ଚାଲିଛି କାର୍ଯ୍ୟ ।