କୋର୍ଟରେ ହାଜର ହେଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । କହିଲେ, ନିରପେକ୍ଷ ରହୁନି ଗଣମାଧ୍ୟମ । 

160

କନକ ବ୍ୟୁରୋ: କୋର୍ଟରେ ହାଜର ହୋଇଛନ୍ତି ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ପୋଲିସର କଡା ସୁରକ୍ଷା ଭିତରେ ଅର୍ଚ୍ଚନା ନାଗକୁ ଆଜି କୋର୍ଟରେ ହାଜର କରାଯାଇଛି । ତେବେ ଝାରପଡା ଜେଲରୁ କଡା ସୁରକ୍ଷା ବଳୟ ଭିତରେ ଅର୍ଚ୍ଚନାକୁ ଜେଲକୁ ଅଣାଯିବା ସହିତ କୋର୍ଟରେ ହାଜର କରାଯାଇଛି । ଇଡି ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବାକୁ ପୁଣିଥରେ ଆବେଦନ କରିପାରେ ବୋଲି ଜଣାପଡିଛି । ଅର୍ଚ୍ଚନା ନାଗ ଫାଶର ଗୁମର ଖୋଲିବାକୁ ଇଡି ଅର୍ଚ୍ଚନାଙ୍କୁ ପୁଣିଥରେ ରିମାଣ୍ଡ ନେବାକୁ ଯୋଜନା କରିଥିବା ସୂଚନା ରହିଛି ।

ତେବେ କୋର୍ଟରେ ହାଜର ହେବା ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଏହି ଲେଡି ବ୍ଲାକମେଲର । ଗଣମାଧ୍ୟମ ଉପରେ ବର୍ଷିବା ସହିତ ଆପଣମାନେ ଏକ ୱେଲ୍ ସ୍କ୍ରିପଟେଡ୍ ମୁଭି ଚଲାଇଛନ୍ତି ବୋଲି ଅର୍ଚ୍ଚନା କହିଛନ୍ତି । ଖାଲି ସେତିକି ନୁହେଁ, ଗଣମାଧ୍ୟମ ନିରପେକ୍ଷ ରହୁନି ବୋଲି ମଧ୍ୟ ଅର୍ଚ୍ଚନା ନାଗ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ହନିଟ୍ରାପ ମାମଲାରେ ଅନେକ ବଡ ବଡିଆଙ୍କୁ ଇଡି ଜେରା କରିସାରିଛି । ତେଣୁ ଏବେ ଅର୍ଚ୍ଚନାଙ୍କ ପାଳି ପଡିଛି । ଅର୍ଚ୍ଚନା ନାଗ ଇଡି ଅଫିସରେ ହାଜର ହେବେ ତେଣୁ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଏଥିସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆର୍ଥିକ କାରବାରର ଖିଅ ଖୋଜୁଥିବା ଇଡି ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେଇ ଜେରା କରିବା ସହିତ ଅନେକ କିଛି ଗୁମର ଫିଟାଇବାକୁ ଲକ୍ଷ୍ୟ ରଖିଛି । ଅର୍ଚ୍ଚନା କିଭଳି କୋଟିପତି ହେଲେ, ଦାମୀ କାର ପାଇଁ ନଗଦ କାରବାର ପଛର ରହସ୍ୟ ଆଦିକୁ ନେଇ ଇଡି ଜେରା କରିପାରେ । ସବୁଠାରୁ ବଡ କଥା ହେଲା ଏତେ କମ୍ ସମୟରେ ଅର୍ଚ୍ଚନା କିଭଳି କୋଟିପତି ହେଲେ ଏବଂ ତାଙ୍କ ଆୟର ଉତ୍ସ କଣ ରହିଛି ? ତାର ଖିଅ ଖୋଜିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ତେବେ ଏବେ ସୁଦ୍ଧା ଇଡି ୯ ଜଣଙ୍କୁ ଜେରା କରି ସାରିଛି । ଆଗକୁ ଆହୁରି ୬ ଜଣଙ୍କୁ ଇଡି ଜେରା କରିବ ବୋଲି ସୂଚନା ରହିଛି । ସେପଟେ କମିଶନରେଟ ପୋଲିସ ମଧ୍ୟ ଇ-ମେଲ ଯୋଗେ ଇଡିକୁ କିଛି ତଥ୍ୟ ଦେଇଛି । ପୋଲିସ କଣ ସବୁ ଡକ୍ୟୁମେଣ୍ଟ ଜବତ କରିଛି ତାର ତଥ୍ୟ ଦେଇଥିବା ସୂଚନା ରହିଛି ।