ଏଲଏସି ବିବାଦକୁ ନେଇ ଭାରତର କଡା ଆଭିମୁଖ୍ୟ : ତାଜକିସ୍ତାନରେ ଚୀନ ବିଦେଶ ମନ୍ତ୍ରୀଙ୍କୁ ସଫା ସଫା ଶୁଣାଇଲେ ଏସ ଜୟଶଙ୍କର; କହିଲେ ଲଦ୍ଦାଖରେ ଏକତରଫା ପରିବର୍ତ୍ତନକୁ ସହ୍ୟ କରାଯିବ ନାହିଁ

209

କନକ ବ୍ୟୁରୋ : ଭାରତର ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଆଜି ଚୀନର ବିଦେଶ ମନ୍ତ୍ରୀ ଓକ୍ୱାଙ୍ଗ ୱିଙ୍କୁ ସାକ୍ଷାତ କରିଛନ୍ତି । ତାଜକିସ୍ତାନର ରାଜଧାନୀର ଦୁଶାମ୍ବେରେ ଦୁଇ ନେତା ପ୍ରାୟ ଏକ ଘଂଟା ଧରି ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଏହି ଅବସରରେ ଭାରତ-ଚୀନ ସୀମାରେ ଜାରି ଉତ୍ତେଜନାକୁ ନେଇ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି ।

ଟୁଇଟ କରି ଦ୍ୱିପାକ୍ଷିକ ଆଲୋଚନା ସଂପର୍କରେ ସୂଚନା ଦେଇ ଏସ ଜୟଶଙ୍କର ଲେଖିଛନ୍ତି, ଲଦ୍ଦାଖର ପଶ୍ଚିମ ଭାଗରେ ଥିବା ଏଲଏସିର ଜାରି ଅଚଳାବସ୍ଥାକୁ ନେଇ କଡା ଆଭିମୁଖ୍ୟ ଦେଖାଇଛି ଭାରତ । ଲଦ୍ଦାଖ ନିକଟ ଏଲଏସିରେ ଏକତରଫା ପରିବର୍ତ୍ତନକୁ ଭାରତ ବରଦାସ୍ତ କରିବ ନାହିଁ । ବାରମ୍ବାର ଆଲୋଚନାରେ ପ୍ରତିଶ୍ରୁତି ଦେଇ ସୁଦ୍ଧା ଚୀନ ଲଦ୍ଦାଖର କେତେକ ପଏଂଟରୁ ସୈନ୍ୟ ଅପସାରଣ କରିନାହିଁ । ତେଣୁ ଦୁଇ ଦେଶ ମଧ୍ୟରେ ଉତମ ସଂପର୍କ ପାଇଁ ସୀମାରେ ଶାନ୍ତିପୂର୍ଣ୍ଣ ବାତାବରଣ ନିହାତି ଜରୁରୀ ବୋଲି ସଫା ସଫା ଚୀନ ବିଦେଶ ମନ୍ତ୍ରୀଙ୍କୁ ଶୁଣାଇଥିବା ଟୁଇଟ କରି ସୂଚନା ଦେଇଛନ୍ତି ଏସ ଜୟଶଙ୍କର ।

ସେହିପରି ସୀମାରେ ଶାନ୍ତି ଫେରାଇ ଆଣିବା ପାଇଁ ଶୀଘ୍ର ଭାରତ ଓ ଚୀନର ସେନାର କମାଣ୍ଡରସ୍ତରୀୟ ଆଲୋଚନା ପାଇଁ ବୈଠକରେ ସହମତି ହୋଇଛି । ଏହାଛଡା ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ କୌଣସି ପକ୍ଷ ଏକତରଫା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ନାହିଁ ପ୍ରସ୍ତାବରେ ସମ୍ମତି ଦେଇଛି ଚୀନ । ବୈଠକରେ ଚୀନ ବିଦେଶ ମନ୍ତ୍ରୀଙ୍କୁ ଜୟଶଙ୍କର ମନେ ପକାଇ ଦେଇଥିଲେ, ଯେ ଦୁଇ ଦେଶର ସଂପର୍କରେ ସୁଧାର ଆଣିବାକୁ ହେଲେ, ସୀମା ବିବାଦକୁ ଲମ୍ବିତ କରିବା ଠିକ ହେବ ନାହିଁ ।

ଯାହା ଭାରତ ଓ ଚୀନର ଦ୍ୱିପାକ୍ଷିକ ସଂପର୍କରେ ଉପରେ ନକରାତ୍ମକ ପ୍ରଭାବ ପକାଇବ । ସାଂଘାଇ କର୍ପୋରେସନ ଅର୍ଗାନାଇଜେସନର ବିଦେଶ ମନ୍ତ୍ରୀଙ୍କ ବୈଠକ ଅବସରରେ ଏସ ଜୟଶଙ୍କର ଓ ୱାଙ୍ଗ ୱିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ବେଶ୍ ଗୁରୁତ୍ୱ ବହନ କରୁଛି । କାରଣ କିଛି ଦିନ ପୂର୍ବରୁ ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ଜନ୍ମଦିନ ପାଳନକୁ ବିରୋଧ କରି ଡେମଚାକ ପାଖରେ ବିରୋଧ ପ୍ରଦର୍ଶନ କରିଥିଲେ ଚୀନ ସେନା ।