ପିପିଲି ପିଡିଏସ ଗୋଦାମ ସ୍ଥାନାନ୍ତର ନେଇ ନିଷ୍ପତ୍ତି ପରେ ଚିନ୍ତାରେ ଶ୍ରମିକ । ଗୋଦାମ ସ୍ଥାନାନ୍ତର ହେଲେ କେମିତି ଚଳିବେ ୩୦ରୁ ଅଧିକ ପରିବାର ।

44

କନକ ବ୍ୟୁରୋ: ଶ୍ରମିକ ପରିବାରର ଜୀବିକା ଚିନ୍ତା । ପିପିଲି ପିଡ଼ିଏସ ଗୋଦାମରେ କାମ କରି ପରିବାର ପୋଷୁଥିବା ଶ୍ରମିକ ମାନେ ଏବେ ତାଙ୍କ ଜୀବନ ଜୀବିକାକୁ ନେଇ ଚିନ୍ତାରେ ପଡ଼ିଛନ୍ତି । କାରଣ ପିପିଲି ଅଂଚଳରେ ଥିବା ପିଡ଼ିଏସ ଗୋଦାମ ଗୃହ ସ୍ଥାନାନ୍ତରିତ ହେବାକୁ ରହିଛି । ଆଉ ସ୍ଥାନାନ୍ତରଣ ପାଇଁ ପ୍ରଶାସନିକ ସ୍ତରରେ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି । କିନ୍ତୁ ଏଥିରେ କାମ କରୁଥିବା ଶ୍ରମିକ ମାନଙ୍କ ପାଇଁ କିଛି ବି ବ୍ୟବସ୍ଥା ହୋଇ ନାହିଁ । ତେବେ ଜୀବନ ଜୀବିକାକୁ ନେଇ ଦୋଛକିରେ ପଡ଼ିଛନ୍ତି ଶ୍ରମିକ ପରିବାର ।

ପିପିଲିର ପିଡ଼ିଏସ ଗୋଦାମ ସ୍ଥାନାନ୍ତରିତ ହେଲେ ପ୍ରଭାବିତ ହେବେ ୩୦ରୁ ଅଧିକ ପରିବାର । ୨୦୦୮ରୁ ଗୋଦାମରେ ଶ୍ରମିକ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିବା ଶ୍ରମିକଙ୍କୁ ଏବେ ଘାରିଛି ପେଟ ପାଟଣାର ଚିନ୍ତା । କାରଣ ସେମାନେ କାମ କରୁଥିବା ପିପିଲି ପିଡ଼ିଏସ ଗୋଦାମକୁ ସ୍ଥାନାନ୍ତ କରିବା ପାଇଁ ନିଷ୍ପତି ନେଇଛନ୍ତି ସରକାର ।

ଏହି ପିଡିଏସ ଗୋଦାମରୁ ପିପିଲି ବ୍ଲକର ୨୫ଟି ପଂଚାୟତ ଏବଂ ଏନଏସିରେ ପିଡ଼ିଏସ ସାମଗ୍ରୀ ପହଂଚାଇଥାନ୍ତି ଶ୍ରମିକ । ଏବେ ଯଦି ଗୋଦାମ ସ୍ଥାନାନ୍ତର ହୁଏ, ତେବେ ଶ୍ରମିକମାନେ ରୋଜଗାର ହରାଇବାର ଆଶଙ୍କା ରହିଛି । ସେପଟେ ଗୋଦାମ ଗୃହ ସ୍ଥାନାନ୍ତରଣ ହେଲେ ଶ୍ରମିକଙ୍କୁ କିପରି ରୋଜଗାର ମିଳିପାରିବ ସେନେଇ ଯୋଗାଣ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ସ୍ଥାନୀୟ ବିଜେପି ନେତା ଆଶ୍ରିତ ପଟ୍ଟନାୟକ । ଜିଲ୍ଲାର ପିପିଲି ସମେତ ସାକ୍ଷୀଗୋପାଳ, ଗୋପ କୁଶୁପୁର, ନିମାପଡ଼ା ଅଣ୍ଡିଆ ସାହିରେ ଥିବା ୫ଶହ ମେଟ୍ରିକ ଟନ କ୍ଷମତା ସମ୍ପନ୍ନ ଗୋଦାମ ଗୃହକୁ ସ୍ଥାନାନ୍ତରିତ କରିବେ ସରକାର । ଆଉ ଏହା ହେଲେ ୩ ଶହରୁ ଅଧିକ ଶ୍ରମିକ ରୋଜଗାର ହରାଇବାର ସମ୍ଭାବନା ରହିଛି ।