ତାଗିଦ୍ କରିବାରୁ ଜୀବନ ଗଲା ! କାମ ଠିକ୍ ରୂପେ କରିବା ପାଇଁ ଶ୍ରମିକଙ୍କୁ ତାଗିଦ୍ କଲେ ଅଧିକାରୀ , ରାଗରେ ଆସି ଅଧିକାରୀଙ୍କୁ ପିଟି ପିଟି ମାରିଦେଲେ ଶ୍ରମିକ ।

662

ଗତକାଲି ଅପରାହ୍ନ ପ୍ରାୟ ସାଢ଼େ ୩ ଟାରେ ରାଉରକେଲା ଇସ୍ପାତ କାରଖାନା (ଆରଏସପି) ପରିସରରେ ଏକ ହତ୍ୟାକାଣ୍ଡ ଘଟିଛି। ଫେରୋ ସ୍କ୍ରାପ ନିଗମ ଲିମିଟେଡ୍ ମେଣ୍ଟେନାନ୍ସ ବିଭାଗର ନିର୍ବାହୀ ଅଧିକାରୀଙ୍କୁ କାର‌୍ୟ୍ୟରତ ଜଣେ ଠିକା ଶ୍ରମିକ ଲୁହା ରଡ୍ (ଟାଲି ରଡ୍) ପିଟି ପିଟି ହତ୍ୟା କରିଛି।

ମୃତ ଅଧିକାରୀ ଜଣକ ହେଲେ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ଜି. ଗଣେଶ କୁମାର (୩୨)। ନିକଟରେ ଜି. ଗଣେଶ କୁମାର ଆରଏସପି ଫେରୋସ୍କ୍ରାପ ନିଗମ ଲିମିଟେଡ୍ ମେଣ୍ଟେନାନ୍ସ ବିଭାଗର ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ପାଇଥିଲେ। ଏହି ବିଭାଗରେ ଅନିଲ ଲୋହାର ଠିକା ଶ୍ରମିକ ଭାବେ କାମ କରୁଥିଲେ। ରବିବାର ଛୁଟି ଥିଲେ ମଧ୍ୟ ସେ ‘ବି’ସିଫ୍ଟରେ ମରାମତି କାମ ପାଇଁ ବିଭାଗରେ ପହଞ୍ଚିଥିଲେ। ମରାମତି କାମ ଠିକ୍ ଭାବେ ହେଉଛି କି ନାହିଁ ଯାଞ୍ଚ କରିବାକୁ ଜି. ଗଣେଶ କୁମାର ଅପରାହ୍ନ ପ୍ରାୟ ୩ ଟାରେ ବିଭାଗରେ ପହଞ୍ଚିଥିଲେ ଏବଂ ଠିକ୍ ଭାବେ କାମ କରିବାକୁ ଠିକା କର୍ମଚାରୀଙ୍କୁ ତାଗିଦ୍ କରିଥିଲେ। ଏହି କଥାକୁ ନେଇ ଠିକା ଶ୍ରମିକ ଅନିଲ ସହିତ ଜି. ଗଣେଶ କୁମାରଙ୍କ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଅନିଲ ସେଠାରେ ପଡିଥିବା ଏକ ଟାଲି ରଡ୍ ଆଣି ଜି. ଗଣେଶ କୁମାରଙ୍କ ମୁଣ୍ଡ ପଛ ପାର୍ଶ୍ବକୁ ଆକ୍ରମଣ କରିଥିଲେ। ଫଳରେ ଜି.ଗଣେଶ କୁମାର ତଳେ ପଡ଼ି ରକ୍ତବାନ୍ତି କରିଥିଲେ। ଗୁରୁତର ଅବସ୍ଥାରେ ଅନ୍ୟ କର୍ମଚାରୀ ତାଙ୍କୁ ଉଦ୍ଧାର କରି ଆଇଜିଏଚରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଟାଙ୍ଗରପାଲି ପୁଲିସ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍) ମର୍ଗ ହାଉସରେ ରଖିଛି। ପୁଲିସ ହତ୍ୟାକାରୀ ଠିକା ଶ୍ରମିକ ଲାଠିକଟା ବ୍ଲକ ଅନ୍ତର୍ଗତ କଂସର ଗ୍ରାମର ଅନିଲ ଲୋହାର (୩୮)କୁ ଗିରଫ କରିଛି।\n\n\n