ଅଜବ ବାବାଙ୍କ ଗଜବ କାହାଣୀ ! କୁମ୍ଭମେଳାରେ ହାତ ଟେକା ବାବାଙ୍କୁ ନେଇ ଚର୍ଚ୍ଚା, ବର୍ଷ ବର୍ଷ ଧରି ହାତ ଟେକି କରୁଛନ୍ତି ତପସ୍ୟା ।

166

କନକ ବ୍ୟୁରୋ : ପ୍ରୟାଗରାଜରେ ଚାଲିଥିବା ବିଶ୍ୱପ୍ରସିଦ୍ଧ ମହାକୁମ୍ଭ ମେଳାରେ ଅଜବ ବାବାଙ୍କ ଗଜବ କାହାଣୀ ସବୁ ଦେଖିବାକୁ ମିଳୁଛି । କେଉଁଠି ବାବା ଗୋଟିଏ ହାତ ଉପରକୁ ଟେକି ବର୍ଷ ବର୍ଷ ଧରି ତପସ୍ୟା କରୁଛନ୍ତି ତ ଆଉ କେଉଁଠି ଦେଖିବାକୁ ମିଳୁଛି ପାଇଲଟ ବାବାଙ୍କୁ ।

ଅଜବ ବାବାଙ୍କ ଗଜବ କାହାଣୀ । ହାତ ଟେକା ବାବା ଆଉ ପାଇଲଟ ବାବାଙ୍କ ଅକୁହା କଥା । ପ୍ରୟାଗ ରାଜରେ ସାଧୁସନ୍ଥଙ୍କ ଡେରା । ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ହାତ ଟେକା ବାବା । ୨୦୧୧ ମସିହାରୁ ନିଜର ଡାହାଣ ହାତକୁ ଟେକି ରଖିଛନ୍ତି ବାବା । ବାବାଙ୍କ କହିବା କଥା, ବିଶ୍ୱଶାନ୍ତି ଓ ଜନକଲ୍ୟାଣ ପାଇଁ ସେ ଏଭଳି କରୁଛନ୍ତି । ଦୈନିନ୍ଦିନ କାମ କରିବାରେ ତାଙ୍କୁ କୌଣସି ଅସୁବିଧା ହୁଏନାହିଁ । ଦୀର୍ଘ ୮ ବର୍ଷ ହେଲା ସେ ଏହିପରି ତପସ୍ୟା କରୁଛନ୍ତି ।

ସେହିପରି ଆଉ ଜଣେ ବାବା ହେଉଛନ୍ତି କୁମ୍ଭମେଳାର ପାଇଲଟ୍ ବାବା । ୱିଙ୍ଗ୍ କମାଣ୍ଡରରୁ ସନ୍ୟାସୀ । ବାୟୁସେନାରେ ୱିଙ୍ଗ୍ କମାଣ୍ଡର ଭାବେ କାମ କରିଥିବା କପିଲ ସିଂ ବର୍ତମାନ ପାଇଲଟ ବାବା ଭାବେ ପରିଚିତ୍ । ତିନି ତିନିଟି ଯୁଦ୍ଧରେ ଲଢ଼ି ପାଇଲଟ ଚାକିରୀରୁ ଅବସର ନେବା ପରେ ଅଚାନକ ସନ୍ୟାସୀ ମାର୍ଗରେ ଯାଇଥିଲେ କପିଲ । ବିଶ୍ୱର ପ୍ରାୟ ୧୬୦ଟି ଦେଶରେ ପାଇଲଟ୍ ବାବାଙ୍କର ରହିଛନ୍ତି ଭକ୍ତ । ବାବା କହିଛନ୍ତି ଭକ୍ତି, ପ୍ରେମ ଓ ଭଲପାଇବା ହେଉଛି ଜୀବନର ମୂଳମନ୍ତ୍ର । ଏ ଦୁନିଆ ହେଉଛି କର୍ମଭୂମି ତେଣୁ କର୍ମ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି । କୁମ୍ଭମେଳାରେ ଏହି ଅଜବ ବାବାଙ୍କ ଗଜବ କାହାଣୀକୁ ଦେଖିବା ପାଇଁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ନାହିଁନଥିବା ଉତ୍କଣ୍ଠା ଦେଖିବାକୁ ମିଳୁଛି ।