କୁଳଭୂଷଣ ମାମଲାରେ ଖୋଲୁଛି ପାକିସ୍ତାନର ପୋଲ ! ମିଥ୍ୟା ମାମଲାରେ ବିନା ପ୍ରମାଣରେ କରିଛି ଦୋଷୀ, ଆନ୍ତର୍ଜୀତୀୟ ଅଦାଲତରେ ୪ ଦିନ ଧରି ଚାଲିବ ଶୁଣାଣି ।

379

କନକ ବ୍ୟୁରୋ : ପାକିସ୍ତାନ ଜେଲରେ ଥିବା କୁଳଭୂଷଣ ଯାଦବଙ୍କୁ କୋର୍ଟ ମୃତ୍ୟୁଦଣ୍ଡ ଦେଇଥିବା ବେଳେ ଏହାର ବିରୋଧ କରି ଆନ୍ତର୍ଜାତୀୟ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛି ଭାରତ । ଆଜିଠାରୁ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଛି । କୁଳଭୂଷଣ ମାମଲାରେ ପାକିସ୍ତାନକୁ କଡା ସମାଲୋଚନା କରିଛି ଭାରତ । ପୁଲୱାମା ଘଟଣା ପରେ ପରେ ଏହି ମାମଲା ଅନ୍ତର୍ଜାତୀୟ ନ୍ୟାୟାଳୟରେ ଶୁଣାଣି ହେଉଥିବା ବେଳେ ଏହା ଉପରେ ସମସ୍ତଙ୍କ ନଜର ରହିଛି ।

ଅନ୍ତର୍ଜାତୀୟ ଅଦାଲତରେ ପାକିସ୍ତାନକୁ ସମାଲୋଚନା । କୁଳଭୂଷଣ ମାମଲାରେ ତଥ୍ୟ ରଖିଛି ଭାରତ । ନେଦରଲାଣ୍ଡର ରାଜଧାନୀରେ ସ୍ଥିତ ଅନ୍ତର୍ଜାତୀୟ କୋର୍ଟରେ କୁଳଭୂଷଣଙ୍କ ବିରୋଧରେ ପାକିସ୍ତାନ କୋର୍ଟ ଗୁପ୍ତଚର ଅଭିଯୋଗରେ ଦେଇଥିବା ମୃତ୍ୟୁ ଦଣ୍ଡାଦେଶକୁ ଖାରଜ କରିବାକୁ ଆବେଦନ କରିଛି ଭାରତ ।

ଭାରତ ପକ୍ଷରୁ କାଉନସେଲ୍ ହରିଶ ସଲଭେ କଡା ଭାଷାରେ ପାକିସ୍ତାନର ନିଷ୍ପତିକୁ ସମାଲୋଚନା କରିବା ସହ ଦେଶର ପକ୍ଷ ରଖିଛନ୍ତି ।

– କୁଳଭୂଷଣଙ୍କୁ ମୃତ୍ୟୁଦଣ୍ଡାଦେଶ ମିଥ୍ୟା ମାମଲା ଉପରେ ଆଧାରିତ

– ଭାରତର ଅନୁରୋଧ ପରେ ମଧ୍ୟ ପାକିସ୍ତାନ କୁଳଭୂଷଣଙ୍କୁ ଆଇନଗତ ସହାୟତା ଦେଇନଥିଲା । ଏହା ଜେନେଭା ଚୁକ୍ତିର ଉଲ୍ଲଂଘନ କରୁଛି ।

– ଏନେଇ ୧୩ ଥର ପାକ୍ ସରକାରଙ୍କୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସକରାତ୍ମକ ପ୍ରତିକ୍ରିୟା ମିଳିଲା ନାହିଁ ।

– ପାକିସ୍ତାନ ପାଖରେ କୌଣସି ଯଥାର୍ଥ ଜବାବ ନାହିଁ । କୁଳଭୂଷଣ ବିରୋଧରେ ଆସିଥିବା ଅଭିଯୋଗର ବ୍ୟାଖ୍ୟା ମଧ୍ୟ କରାଯାଇ ନାହିଁ ।

– ପାକିସ୍ତାନ ପକ୍ଷରୁ ଉଠାଯାଇଥିବା ପ୍ରସଙ୍ଗର କୌଣସି ପ୍ରାସଙ୍ଗିକତା ନାହିଁ ।

– ପାକିସ୍ତାନ କେବଳ ବୟାନବାଜିକୁ ଗୁରୁତ୍ୱ ଦେଉଥିବା ବେଳେ ମାମଲାରେ ତଥ୍ୟ ନାହିଁ ।

– ମାମଲା ରୁଜୁ ହେବା ପୂର୍ବରୁ କୁଳଭୂଷଣଙ୍କ ପାଖରୁ ସ୍ୱୀକାରୋକ୍ତି ହାସଲ କରି ନେଇଥିଲା ପାକିସ୍ତାନ ।

– ତଦନ୍ତ ପ୍ରକ୍ରିୟାର କୌଣସି ତଥ୍ୟ ଭାରତକୁ ପ୍ରତିପକ୍ଷ ପ୍ରଦାନ କରି ନାହାନ୍ତି ।

ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଏହି ମାମଲା ନେଇ ଶୁଣାଣି ହେବ । ଉଭୟ ପକ୍ଷ ଶୁଣିବା ପରେ ଅନ୍ତର୍ଜାତୀୟ  ଅଦାଲତ ନିଜର ରାୟ ପ୍ରକାଶ କରିବେ । ଏହା ଭାରତ ପକ୍ଷରେ ଯିବ ବୋଲି ଆଶା ରଖିଛନ୍ତି କୁଳଭୂଷଣଙ୍କ ସମ୍ପର୍କୀୟ । ୨୦୧୭ରେ ଭାରତୀୟ ଗୁପ୍ତଚର ଅଭିଯୋଗରେ ପାକିସ୍ତାନର ସାମରିକ କୋର୍ଟ କୂଳଭୂଷଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲା  । ଏହା ବିରୋଧରେ ଭାରତ ଅନ୍ତର୍ଜାତୀୟ କୋର୍ଟକୁ ଯାଇଥିଲା  । କୋର୍ଟ କୂଳଭୂଷଣଙ୍କ ମୃତ୍ୟୁଦଣ୍ଡ ଉପରେ ରୋକ ଲଗାଇଥିଲେ  ।  ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୂଳଭୂଷଣ ଇରାନ ଯାଇଥିବା ବେଳେ ପାକିସ୍ତାନ ତାଙ୍କୁ ସେଠାରୁ ଅପହରଣ କରିନେଇଥିଲା  ।