ନାଲି କାର ଓ ରହସ୍ୟମୟୀ ଯୁବତୀ ! ଭାଇରାଲ ଭିଡ଼ିଓ ଘଟଣାରେ ନୂଆ ମୋଡ

43

କନକ ବ୍ୟୁରୋ : ରହସ୍ୟ ବଢାଇଲା ନାଲି କାର । ଭାଇରାଲ ଭିଡିଓ ଏବଂ ଉନ୍ମୟ ପାଢୀ ହତ୍ୟା ମାମଲାରେ ଘଟଣାସ୍ଥଳରେ ଥିବା ଗୋଟିଏ ନାଲି କାର ଉପରେ ପୋଲିସ ସନ୍ଦେହ କେନ୍ଦ୍ରୀଭୂତ ହୋଇଛି । ଏପରିକି ସେଠାରେ ଜଣେ ଯୁବତୀଙ୍କୁ ଦେଖିଥିବା ସ୍ଥାନୀୟ ଲୋକେ କହିଛନ୍ତି । ପ୍ରଶ୍ନ ଉଠୁଛି ଏହି ରହସ୍ୟମୟ ଯୁବତୀ ଜଣକ କିଏ? ହତ୍ୟାକାଣ୍ଡ ଓ ଅଶ୍ଳୀଳ ଭିଡିଓକୁ ପର୍ଣ୍ଣ ସାଇଟରେ ଛାଡିବା ପଛରେ ଏହି ଯୁବତୀଙ୍କ ଭୂମିକା କଣ, ସେହି ରହସ୍ୟ ଉପରୁ ପରଦା ହଟାଇବାକୁ ତଦନ୍ତ ଚଳାଇଛି କମିଶନରେଟ୍ ପୋଲିସ ।

ତାରିଖ – ୨୦ ମାର୍ଚ୍ଚ ୨୦୧୮ । ସ୍ଥାନ – କୁଆଖାଇ ନଦୀ ପଠା ।ସେଦିନ ରାତିରେ ନଦୀ ବନ୍ଧରେ ଠିଆ ହୋଇଥିଲା ଏକ ନାଲି କାର ଓ ପାଖରେ ଥିଲେ ଜଣେ ଯୁବତୀ । ନିର୍ଜନ ନଦୀ ପଠାରେ ଏମାନଙ୍କର ଉପସ୍ଥିତି ସ୍ଥାନୀୟ ଲୋକଙ୍କ ଭିତରେ ସନ୍ଦେହ ସୃଷ୍ଟି କରିଥିଲା । ବାରମ୍ବାର ଏପଟ ସେପଟ ହେଉଥିଲା ନାଲି କାର । ଏହା ପରେ ପରେ କାର ଓ ଯୁବତୀ ଉଭୟ ଉଭାନ ହୋଇ ଯାଇଥିଲେ । ପରେ ଦେଖିବାକୁ ମିଳିଲା ନଦୀ ପଠାରେ କାଠ ପରି ଜଣେ ଯୁବକ ଜଳୁଛି । ଅବଶ୍ୟ ସେମାନେ ଦେଖିବା ବେଳକୁ ଯୁବକ ଜଣକର ମୃତ୍ୟୁ ହୋଇ ସାରିଥିଲା ଏବଂ କେବଳ ମୃତ ଦେହ ଜଳୁଥିଲା ।

ଉନ୍ମୟ ପାଢୀଙ୍କ ହତ୍ୟା ଘଟଣାରୁ ରହସ୍ୟର ପର୍ଦା ଉଠାଇବା ପାଇଁ ତନାଘନା ଜାରି ରଖିଛି କମିଶନରେଟ ପୁଲିସ । ଭାଇରାଲ ଭିଡିଓରେ ଥିବା ଯୁବତୀ, ତାଙ୍କ ବୟଫ୍ରେଣ୍ଡ ଓ ବୟଫ୍ରେଣ୍ଡଙ୍କ ଭାଇଙ୍କୁ ଅଜ୍ଞାତ ସ୍ଥାନରେ ରଖି ପଚରା ଉଚରା କରାଯାଉଛି । ଯୁବତୀ ଓ ତାଙ୍କ ବୟଫ୍ରେଣ୍ଡ ହିଁ ପୁରା ହତ୍ୟାକାଣ୍ଡର ଗୁମର ଖୋଲି ପାରିବେ ବୋଲି ପୁଲିସ ସନ୍ଦେହ କରୁଛି ।

ଏସବୁ ଭିତରେ ନିର୍ଜନ ନଦୀ ପଠାରେ ହତ୍ୟାକାଣ୍ଡ ସମୟରେ ଜଣେ ଯୁବତୀଙ୍କ ଉପସ୍ଥିତି ନେଇ ସୂଚନା ପୁରା ଘଟଣାକୁ ଆହୁରି ରହସ୍ୟମୟ କରି ଦେଇଛି । ପ୍ରଶ୍ନ ଉଠୁଛି ଏହି ରହସ୍ୟମୟ ଯୁବତୀ ଜଣକ କିଏ? କାର ଭିତରେ ଆଉ କେହି ବ୍ୟକ୍ତି ମହଜୁଦ ଥିଲେ କି ? ଏହି ହତ୍ୟାକାଣ୍ଡ ସହ ଭାଇରାଲ ଭିଡ଼ିଓର ସର୍ମ୍ପକ ଅଛି କି ? ପୁଲିସ ତାର ତଦନ୍ତରେ ଏହି ସୂଚନାକୁ ଗମ୍ଭୀରତାର ସହ ନେଇଛି ।