ଏମିତି ବି ଆସେ ମୃତ୍ୟୁ : ନଦୀରେ ବୁଡି ୨ ଛାତ୍ରଙ୍କ ସଲୀଳ ସମାଧି, ଘରୁ ସ୍କୁଲ ବାହାରି ଅଧା ରାସ୍ତାରେ ଗାଧୋଇବାର ନେଉଥିଲେ ମଜା

51

କନକ ବ୍ୟୁରୋ : ମୃତ୍ୟୁ ଏମିତି ବି ଆସେ । ୬ଜଣ ସ୍କୁଲ ପିଲା ଘରୁ ସିଧା ସ୍କୁଲ ଯିବା କଥା । ହେଲେ ଅଧ ରାସ୍ତାରେ ରୋମାଂଚର ଅନୁଭୂତି ନେବା ପାଇଁ ନଦୀର ଆକର୍ଷଣରେ ଏମିତି ଆଗେଇ ଗଲେ ଯେ, ଆଉ ୨ଜଣ ଫେରି ପାରିଲେ ନାହିଁ । କୁଆଖାଇ ନଦୀରେ ଗାଧୋଇଥିବା ବେଳେ ହଠାତ୍ ପାଣି ସୂଅରେ ଭାସି ଯାଇଥିଲେ ୪ଜଣ । ଅଗ୍ନିଶମ ବିଭାଗର କର୍ମଚାରୀମାନେ ବହୁ ଖୋଜାଖୋଜି କରିବା ପରେ ୨ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତ ଦୁଇଜଣ ଛାତ୍ର ହେଲେ ସଫିକ୍ ଦିଗଲ ଏବଂ ଜଗମୋହନ ସାହୁ । ଏମାନେ ଭୁବନେଶ୍ୱର ୟୁନିଟ୍-୯ ବାଳକ ବିଦ୍ୟାଳୟର ନବମ ଶ୍ରେଶୀ ଛାତ୍ର ।

ସ୍କୁଲ ଯିବେ କହି ବହିବସ୍ତାନୀ ଧରି ବାହାରିଥିଲେ, ହେଲେ ସ୍କୁଲରେ ପହଂଚିବା ପୂର୍ବରୁ ଘଟିଗଲା ଏମିତି ଏକ ଅଘଟଣ, ଯାହା ଦୁଇଟି ପରିବାରର ହସଖୁସି ସଂପୂର୍ଣ୍ଣ ଉଜୁଡିଦେଲା । ବଢ଼ିଲା ପିଲାଙ୍କ ମୃତ ଦେହ ଦେଖିଲା ବେଳକୁ ଜନ୍ମ ଦେଇଥିବା ମା’ର ଛାତି କୋହରେ ଫାଟି ପଡୁଛି । ପରିବାର ଲୋକ ବି କ’ଣ କରିବେ ଭାବି ପାରୁ ନାହାଁନ୍ତି ।

ୟୁନିଟ୍ ୯ ବଏଜ୍ ହାଇସ୍କୁଲରେ ପାଠ ପଢୁଥିବା ୫ ଜଣ ଛାତ୍ର ସାଙ୍ଗ ହୋଇ ସ୍କୁଲ ବାହାରିଥିଲେ । ହେଲେ ସ୍କୁଲକୁ ଯିବା ପରିବର୍ତ୍ତେ ସେମାନେ ପହଂଚିଯାଇଥିଲେ କୁଆଖାଇ ନଦୀ କୁଳରେ । ଆଉ ଖୁସିମଜାରେ ନଦୀରେ ଗାଧୋଉଥିବା ବେଳେ ହଠାତ୍ ବନ୍ୟା ପାଣି ସୂଅରେ ଭାସିଗଲେ । ଚାହୁଁ ଚାହୁଁ ଚାରିଆଡେ ବ୍ୟାପିଗଲା ଖବର । ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହ ଯୁଦ୍ଧକାଳୀନ ବେଗରେ ଉଦ୍ଧାରକାର୍ଯ୍ୟରେ ଲାଗି ପଡ଼ିଲେ ଅଗ୍ନଶମ ବିଭାଗର କର୍ମଚାରୀ । ହେଲେ ସେତେବେଳକୁ ବହୁତ ବିଳମ୍ବ ହୋଇସାରିଥିଲା । ଯେତେ ଚେଷ୍ଟା କଲା ପରେ ବି ସଫିକ୍ ଦିଗଲ ଏବଂ ଜଗମୋହନ ସାହୁଙ୍କୁ ବଂଚାଇବା ସଂଭବ ହୋଇନଥିଲା । ଏପଟେ ପିଲାମାନେ ସ୍କୁଲ ଆସିନଥିବା କହି, ପୁରା ଘଟଣାରୁ ହାତ ଝାଡି ଦେଇଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିବା ବେଳେ ସ୍କୁଲ ଛାଡୁଥିବା ସମସ୍ତ ଅଭିଭାବକଙ୍କ ପାଇଁ ଏକ ବଡ ଆହ୍ୱାନ ସୃଷ୍ଟି କରିଛି ।