ନେପାଳରେ ବଡ଼ ଧରଣର ରାଜନୈତିକ ସଂକଟ । କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ବହିଷ୍କାର କରିଛି କମ୍ୟୁନିଷ୍ଟ ପାର୍ଟି

138

କନକ ବ୍ୟୁରୋ: ଚୀନ କଥାରେ ପଡି ଭାରତ ବିରୋଧୀ ପଦକ୍ଷେପ ନେଉଥିବା ନେପାଳର କାମଚଳା ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଶେଷରେ ବିଦା କରିଦେଇଛି ତାଙ୍କରି ଦଳ । ଫଳରେ ନେପାଳରେ ବିରାଟ ରାଜନୈତିକ ସଂକଟ ସୃଷ୍ଟି ହୋଇଛି । ଶାସକ କମ୍ୟୁନିଷ୍ଟ ପାର୍ଟି ନେପାଳର ବର୍ତମାନର ପ୍ରଧାନମନ୍ତ୍ରୀ କେପି, ଓଲିଙ୍କୁ ଦଳରୁ ବହିଷ୍କାର କରିଦେଇଛି । ଏପରିକି ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ହଟାଇ ଦିଆଯାଇଥିବା ଏକ ବିବୃତିରେ କୁହାଯାଇଛି ।

ଗତ କିଛି ମାସ ଧରି କେପି ଶର୍ମା ଓଲିଙ୍କ ବିରୋଧରେ ପ୍ରବଳ ଅସନ୍ତୋଷର ସ୍ୱର ଉଠିଥିଲା । ଏପରିକି ଚୀନ କଥାରେ ପରିଚାଳିତ ହୋଇ ଦୀର୍ଘଦିନର ମିତ୍ର ରାଷ୍ଟ୍ର ଭାରତ ବିରୋଧୀ ପଦକ୍ଷେପ ନେଉଥିବାରୁ ଦଳ ଭିତରେ ବିରୋଧର ସମ୍ମୁଖୀନ ହୋଇଥିଲେ । ସେପଟେ କମ୍ୟୁନିଷ୍ଟ ପାର୍ଟି ଅଧ୍ୟକ୍ଷ ପ୍ରଚଣ୍ଡଙ୍କୁ ବଡ ଝଟକା ଦେଇଛନ୍ତି ନେପାଳ ନିର୍ବାଚନ କମିଶନ । ଦୁଇ ଭାଗ ହୋଇଥିବା କମ୍ୟୁନିଷ୍ଟ ପାର୍ଟିର କୌଣସି ଦଳକୁ ମାନ୍ୟତା ଦେବା ପାଇଁ ମନା କରିଦେଇଛନ୍ତି ନିର୍ବାଚନ କମିଶନ । ରାଜନୈତିକ ଦଳ ଧାରା ୨୦୧୭କୁ ଉଭୟ ଦଳ ମାନିନଥିବା କହିଛନ୍ତି । ଏପରିକି କେପି ଶର୍ମା ଓଲିଙ୍କୁ ପଦରୁ ହଟାଇବା ଓ ଦଳରୁ ବହିଷ୍କାର କରିବାକୁ ମଧ୍ୟ ଖାରଜ କରିଦେଇଛନ୍ତି ।

ଓଲିଙ୍କୁ ଦଳରୁ ବହିଷ୍କାର ପରେ ନେପାଳ କମ୍ୟୁନିଷ୍ଟ ପାର୍ଟିରେ ବଡଧରଣର ବିଭାଜନ ଆଶଙ୍କା ବଢିଯାଇଛି । ଓଲିଙ୍କୁ ସଂସଦୀୟ ଦଳ ନେତା ପଦରୁ ହଟାଇ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କୁ ସଂସଦୀୟ ଦଳ ନେତା ଭାବେ ନିର୍ବାଚିତ କରାଯାଇଛି । ପ୍ରାୟ ୨ ବର୍ଷ ହେଲା କେପି ଓଲି ସରକାର ଚୀନ ଉପରେ ଅଧିକ ନିର୍ଭରଶୀଳ ହୋଇପଡିଥିଲେ । ଫଳରେ ଭାରତ ବିରୋଧୀ ପଦକ୍ଷେପ ସବୁ ନେଉଥିଲେ । ଭାରତୀୟ ଅଂଚଳକୁ ନିଜର ବୋଲି ଦର୍ଶାଇ ନେପାଳ ସଂସଦରେ ଏକ ବିବାଦୀୟ ମାନଚିତ୍ରକୁ ଗୃହୀତ କରାଇଥିଲେ ।