କନକ ବ୍ୟୁରୋ: ଖେଳିବା ବୁଲିବା ବୟସରେ ଅନ୍ୟ ଉପରେ ନିର୍ଭର କରି ବଂଚୁଛନ୍ତି ସୂରିୟା କୁମାର । କାରଣ ଚାଲିବା ପାଇଁ ସେ ସମ୍ପୂର୍ଣ୍ଣ ଅସମର୍ଥ । ପିଲାଦିନୁ ତାଙ୍କ ପିଠିରେ ଏକ ମାଂସ ପିଣ୍ଡୁଳା ରହିଥିଲା । ଏହାକୁ ଅସ୍ତ୍ରୋପଚାର କରିବା ପରେ ତାଙ୍କ ଆଣ୍ଠୁ ଠାରୁ ପାଦ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅକାମି ହୋଇଯାଇଛି । ନିଜର ଦୈନ୍ୟନ୍ଦିନ କାମ ପାଇଁ ସେ ତାଙ୍କ ମା’ଙ୍କ ଉପରେ ନିର୍ଭର କରୁଛନ୍ତି । ଅନ୍ୟପଟେ ପୁଅକୁ ଭଲ କରିବା ପାଇଁ ଧାର କରଜ କରି କୋରାପୁଟ ଠାରୁ ଆରମ୍ଭ କରି ବିଶାଖପାଟଣା, କଟକ, ଭୁବନେଶ୍ୱର ସବୁଆଡ଼େ ବୁଲିଯାଇଛନ୍ତି ବାପା ମା’ । ଅର୍ଥ ଅଭାବରୁ ଉତମ ଚିକିତ୍ସା ମଧ୍ୟ ହୋଇପାରୁନାହିଁ । ଅଭାବି ପରିବାରରେ ଅର୍ଥ ଯେଗାଡ଼ କରିବା ମଧ୍ୟ ଅସମ୍ଭବ ହୋଇପଡ଼ିଛି । ଘର ଖଣ୍ଡିଏ ନଥିବାରୁ କୋରାପୁଟ ସହରରେ ଭଡ଼ାରେ ରହୁଛନ୍ତି ପବନ କୁମାରଙ୍କ ପରିବାର । ପରିବାର କହିଲେ ସ୍ୱାମୀ, ସ୍ତ୍ରୀ, ଦୁଇ ପୁଅ ଓ ଝିଅ । ପବନଙ୍କ ସାନ ପୁଅ ହେଉଛନ୍ତି ସୂରିୟା କୁମାର । ବୟସ ପାଖାପାଖି ୧୨ ବର୍ଷ ହେବ । ମୂଲ ମଜୁରୀ ଲାଗିଲେ ପବନଙ୍କ ପରିବାର ଚଳିଥାଏ । ଏଭଳି ସ୍ଥିତିରେ ପୁଅର ଚିକତ୍ସା ପାଇଁ ଅର୍ଥ ଯୋଗାଡ଼ କରିବା ଏମାନଙ୍କ ପକ୍ଷେ କାଠିକର ପାଠ । ଅନ୍ୟପଟେ ସୂରିୟାଙ୍କର ପାଠ ପଢ଼ିବା ପାଇଁ ଇଛା ଥିଲେ ବି କୌଣସି ସୁବିଧା ସୁଯୋଗ ନଥିବାରୁ ସେ ପାଠି ବି ପଢ଼ିପାରୁନାହାନ୍ତି । ତେଣୁ କୌଣସି ସହୃଦୟ ବ୍ୟକ୍ତି ତାଙ୍କୁ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ପରିବାର ।