ମାଛ ପାଇଁ ଆନ୍ଧ୍ର ମୁହାଁ କୋରାପୁଟର ମାଛ ବେପାରୀ: ଜିଲ୍ଲାରେ ମାଛ ଚାଷ ପାଇଁ ପ୍ରୋତ୍ସାହନ ମିଳୁନଥିବା ଅଭିଯୋଗ

120

କନକ ବ୍ୟୁରୋ: ମାଛ ପାଇଁ ଆନ୍ଧ୍ର ମୁହାଁ କୋରାପୁଟର ମାଛ ବେପାରୀ । ୫୦ ବର୍ଷରୁ ଅଧିକ ହେବ ଆନ୍ଧ୍ରପ୍ରଦେଶର କାକିନାଡ଼ା ଓ ଆମଲାପୁରମ, କୋରାପୁଟ ସହ ରାଜ୍ୟର ଅନ୍ୟ ଜିଲ୍ଳାକୁ ମାଛ ଯୋଗାଉଛି । ଅନ୍ୟ ଦିନରେ ଜିଲ୍ଳାରେ ୧୫୦୦ ରୁ ୨ ହଜାର କେଜିର ମାଛ ଆବଶ୍ୟକତା ରହୁଥିବା ବେଳେ ଛାଡ଼ଖାଇରେ ଅଧିକ ୭ ଶହରୁ ୮ଶହ କେଜି ମାଛ ଦରକାର ବୋଲି କହିଛନ୍ତି ବ୍ୟବସାୟୀ । ଜିଲ୍ଲାରୁ ଆବଶ୍ୟକ ପରିମାଣର ମାଛ ଉତ୍ପାଦନ ହେଉନଥିବାରୁ ଆନ୍ଧ୍ର ଉପରେ ନିର୍ଭର କରିବାକୁ ପଡୁଛି ।

ତେବେ କୋରାପୁଟ ଜିଲ୍ଲାରେ ରୋହି ଭାକୁର ମାଛର ରହିଛି ଚାହିଦା । ଆନ୍ଧ୍ରରୁ କିଲୋ ପିଛା ୧୧୦ ଟଙ୍କାରେ କିଣୁଥିବା ବ୍ୟବସାୟୀ ହୋଲସେଲରେ ୧୪୦ ଟଙ୍କାରେ ବିକ୍ରି କରୁଛନ୍ତି । ଆନ୍ଧ୍ରରୁ କୋରାପୁଟକୁ ମାଛ ଅସିବା ପାଇଁ ଲାଗୁଛି ୧୦ରୁ ୧୨ ଘଂଟା ସମୟ । ଆବଶ୍ୟକତାର ୯୦% ମାଛ ରାଜ୍ୟ ବାହାରୁ ଆସୁଛି । କୋରାପୁଟ ପାଇଁ ବର୍ଷକୁ ୮୫୦୦ ମେଟ୍ରିକ ଟନ୍ ମାଛର ଆବଶ୍ୟକତା ରହିଛି । ଜିଲ୍ଳାରେ ଆଦାୟ ହେଉଛି ମାତ୍ର ୫୫୦୦ ମେଟ୍ରିକ ଟନ୍ । ତାହା ପୁଣି ସବୁ ସମୟରେ ମିଳୁନାହିଁ ।

 

ମାଛ ବ୍ୟବସାୟରେ ଓଡ଼ିଶାରୁ ଆନ୍ଧ୍ର କୋଟି କୋଟି ଟଙ୍କା ଲାଭ ପାଉଛି । ରାଜ୍ୟରେ ମାଛ ଚାଷର ବିକାଶ ପାଇଁ ସରକାର ଅନେକ ଯୋଜନା କରିଛନ୍ତି । କିନ୍ତୁ ବିଧି ବ୍ୟବସ୍ଥା ଭିତରେ ଛନ୍ଦି ହୋଇପଡ଼ୁଥିବା ଚାଷୀ ଏହାର ଲାଭ ଉଠାଇ ପାରୁନାହାନ୍ତି । ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି କୋଟାପୁର ମାଛ ଚାଷୀଙ୍କ ପୋଖରୀ । ମାଛ ଚାଷ ବଦଳରେ ପୋଖରୀରେ ହୋଇଛି ଗାଧୁଆ ତୁଠ । ପ୍ରୋତ୍ସାହନ ଅଭାବରୁ ମାଛ ଚାଷ କରିପାରୁନଥିବା କହିଛନ୍ତି ଚାଷୀ । ସେପଟେ ଜିଲ୍ଲା ମତ୍ସ୍ୟ ବିଭାଗ ଅଧିକାରୀ କହିଛନ୍ତି ମାଛ ଚାଷ ପାଇଁ ଚାଷୀଙ୍କ ଆଗ୍ରହ ନାହିଁ ।