ରାଜ୍ୟ ବାହାରେ ମହକିବ କୋରାପୁଟ ଜିଲ୍ଳାର ହଳଦୀ । ଜିଲ୍ଲା ପ୍ରଶାସନ ଓ ଓରମାସ୍ ସହଯୋଗରେ କର୍ଣ୍ଣାଟକରେ ବିକ୍ରି ହେଉଛି ଲକ୍ଷ୍ମୀପୁର ହଳଦି

127

କନକ ବ୍ୟୁରୋ: ଜୀବନ ପରେ ଏବେ ଜୀବିକା କୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ପାହାଡ଼ି ମଣିଷର ଜୀବିକାର ଉନ୍ନତି ପାଇଁ ବାହାରି ରାଜ୍ୟରେ ଖୋଲିଲା ବେପାର । ଅଦା , ତେନ୍ତୁଳି ଓ ଫୁଲ ଝାଡ଼ୁ ପରେ ଏବେ କୋରାପୁଟର ହଳଦୀ କୁ ମିଳିଛି ଆଉ ଏକ ପରିଚୟ । ବେଙ୍ଗାଲୋର ରେ ମହକିବ କୋରାପୁଟ ଜିଲ୍ଳାର ହଳଦୀ ।

ନା ଥିଲା ବଜାର ନା ହେଉଥିଲା ବ୍ୟବସାୟ । ପାହାଡ଼ ଉପରେ ଚାଷ ହେଉଥିବା ଏହି ହଳଦୀର ରଙ୍ଗ ଯେଭଳି ଗୁଣ ମଧ୍ୟ ତାଠୁ ଅଧିକା । ହେଲେ ଏହାର ବ୍ୟବସାୟ କେବଳ ଜିଲ୍ଳା ଭିତରେ ସୀମିତ ଥିଲା । ତାହା ମଧ୍ୟ କିଲୋପିଛା ୨୦ ରୁ ୩୦ ଟଙ୍କା ଦରରେ ହେଉଥିଲା ବିକ୍ରି । ଆଦାୟ ଓ ପାରିଶ୍ରମ ଅନୁଶାରେ କିଛି ଲାଭ ମିଳୁ ନଥିଲା । ଆଉ କରୋନା କାଳରେ ସବୁ କିଛି ଗୋଟିଏ ପ୍ରକାର ବନ୍ଦ ହୋଇ ରହିଥିଲା । ଜିଲ୍ଲା ପ୍ରଶାସନ ଓ ଓରମାସ୍ ର ସହଯୋଗରେ ଏବେ ଏହି ହଳଦୀ ବାହାର ରାଜ୍ୟ କର୍ଣ୍ଣାଟକରେ ବିକ୍ରି ପାଇଁ ବାଟ ଖୋଲିଛି । ଏଥିରେ ଚାଷୀ ଙ୍କୁ କିଲୋ ପିଛା ୯୨ ଟଙ୍କା ମିଳିବା ସହ ଆହୁରି ଅଧିକା ଚାଷ ପାଇଁ ବାଟ ଖୋଲିଛି ।

କୋରାପୁଟ ଜିଲ୍ଳାର ଲକ୍ଷ୍ମୀପୁର, ନାରାୟଣ ପାଟଣା, ବନ୍ଧୁଗାାଁ ପଟାଙ୍ଗୀ, ନନ୍ଦପୁର, ଲମ୍ପତାପୁଟ, ସେମିଳିଗୁଡ଼ା ବ୍ଳକ ସମେତ, କୋଟିଆ ଦଶମନ୍ତପୁରରେ ପ୍ରଚୁର ପରିମାଣରେ ହଳଦୀ ଚାଷ ହେଉଥିବା ବେଳେ ବିଶେଷ କରି ଲକ୍ଷ୍ମୀପୁରରେ ଅଧିକା ପ୍ରଜାତିର ହଳଦୀ ଚାଷ ହୋଇଥାଏ । ଆଦାୟ ଅନୁସାରେ ଚାଷୀଙ୍କୁ ଉଚିତ୍ ମୁଲ୍ୟ ମିଳୁନଥିଲା ଯାହାକୁ ଦେଖି ଓରମାସ୍ ପକ୍ଷରୁ ଏକ ପ୍ରୟାସ ଆରମ୍ବ କରାଯାଇଥିଲା । କର୍ଣ୍ଣାଟକର ଇଫକୋ କିଷାନ ଏହି ହଳଦୀର ଗୁଣ କୁ ଜାଣିବା ପରେ ପ୍ରଥମ ପର୍ଯ୍ୟାୟରେ ଏକ ହଜାର ମେଟ୍ରିକ ଟନର ହଳଦୀ କିଣିବା ପାଇଁ ଜିଲ୍ଳା ପ୍ରଶାସନ ଓ ଓରମାସ କୁ ଜଣାଇଛନ୍ତି । ବର୍ତମାନ ସୁଧା ୨୦ ମେଟ୍ରିକ ଟନ ହଳଦୀ ବେଙ୍ଗାଲୁର ପଠାଯାଇଥିବା ବେଳେ ବକଳା ହଳଦୀ ପାଇଁ ସଂଗ୍ରହ କାମ ଜାରି ରହିଛି । ଏହି ହଳଦୀରେ ଓଷଧିୟ ଗୁଣ ଅଧିକ ଥିବା ଜଣାପଡ଼ିବା ପରେ ଏହାର ଚାହିଦା ବଢ଼ିଛି ।