କୋରାପୁଟ ପଟାଙ୍ଗି ମଣ୍ଡିରୁ ଉଠୁନି ମାଣ୍ଡିଆ : ୪ହଜାର କ୍ୱିଂଟାଲ ମାଣ୍ଡିଆ କିଣିବା ପାଇଁ ଲ୍ୟାମ୍ପ୍ସକୁ  ଦିଆଯାଇଥିଲା ଟାର୍ଗେଟ

୨୭ଶହ କ୍ୱିଂଟାଲ ମାଣ୍ଡିଆ ଉଠାଇବା ପରେ ବନ୍ଦ ହୋଇଗଲା ମଣ୍ଡି; ଚାଷୀଙ୍କ ଭିତରେ ପ୍ରବଳ ଅସନ୍ତୋଷ

38

କନକ ବ୍ୟୁରୋ : ମଣ୍ଡିରୁ ଉଠୁନି ମାଣ୍ଡିଆ । ମଣ୍ଡିରେ ଅବ୍ୟବସ୍ଥା ନେଇ ଚାରିଆଡୁ ଖବର ଭିତରେ କୋରାପୁଟ ଜିଲ୍ଲା ପଟାଙ୍ଗୀରୁ ଆସିଛି ଏହିଭଳି ଖବର । ଚାଷୀଙ୍କଠାରୁ ସରକାରୀ ଦରରେ ମାଣ୍ଡିଆ କିଣିବା ପାଇଁ ଏଠାରେ ଜାନୁଆରୀ ୨୧ ତାରିଖରୁ ମଣ୍ଡି ଖୋଲା ଯାଇଥିଲା । ମଣ୍ଡି ଜିରଆରେ ଚାଷୀଙ୍କଠାରୁ ୪ ହଜାର କ୍ୱିଂଟାଲ ମାଣ୍ଡିଆ କିଣିବା ପାଇଁ ପଟାଙ୍ଗୀ ଲ୍ୟାମ୍ପ୍ସକୁ ଟାର୍ଗେଟ୍ ଦିଆଯାଇଥିଲା । ହେଲେ ଏହାରି ଭିତରେ କେବଳ ୨୭ଶହ କ୍ୱିଂଟାଲ ମାଣ୍ଡିଆ କିଣିବା ପରେ ବନ୍ଦ ହୋଇଯାଇଛି ମଣ୍ଡି ।

ତେଣୁ ମଣ୍ଡି ବାହାରେ ୬ଶହ କ୍ୱିଂଟାଲରୁ ଅଧିକ ମାଣ୍ଡିଆ ଧରି ବସି ରହିଥିବା ଚାଷୀଙ୍କ ଭିତରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି । ଏପରିକି ଚାଷୀ ବିକ୍ରି କରିପାରିନଥିବା ମାଣ୍ଡିଆକୁ ଫେରାଇ ନେବା ପାଇଁ ପଟାଙ୍ଗି ଲ୍ୟାମ୍ପ୍ସର ଏମଡି କହିଥିବା ଅଭିଯୋଗ ହୋଇଛି । ସରକାରୀ ପ୍ରୋତ୍ସାହନରେ ଚାଷୀ ଏଥର ଅଧିକ ମାଣ୍ଡିଆ ଚାଷ କରିଥିବାବେଳେ ମଣ୍ଡିରେ ମାଣ୍ଡିଆ ଉଠୁନି । ଏପରିକି ଖର୍ଚ୍ଚାନ୍ତ ହୋଇ ଚାଷୀ ମାଣ୍ଡିଆ ଧରି ମଣ୍ଡିରେ ପହଂଚିଥିବା ବେଳେ ଏହାକୁ ଫେରାଇ ନେବା ପାଇଁ କୁହାଯାଉଛି ।