କନକ ବ୍ୟୁରୋ : ଏଣିକି କୁଇ ଓ ସ୍ଥାନୀୟ ଭାଷାରେ ପାଠ ପଢିବେ କୋରାପୁଟ ପିଲା । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଜାତୀୟ ଶିକ୍ଷା ନୀତି ଅଣାଯାଇଛି । ଏଥିରେ ମାତୃଭାଷାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଆଗାମୀ ଦିନରେ କୋଟିଆ ଅଞ୍ଚଳରେ ସ୍ଥାନୀୟ କୁଇ ଭାଷା ସମେତ କୋରାପୁଟିଆ ଭାଷାରେ ପିଲାଙ୍କୁ ପଢାଇବାକୁ ଉଦ୍ୟମ କରାଯିବ ।

Advertisment

ବିଶ୍ୱବିଦ୍ୟାଳୟର ବିକାଶ କରିବା ସହ ନୂଆ ବିଭାଗ ଖୋଲିବା ସହ ଅଧିକ ଅଧ୍ୟାପକ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଏବେ ୧୭ ଜଣ ଅଧ୍ୟାପକ ରହିଥିବା ବେଳେ ୧୦୦ ଅଧ୍ୟାପକ ଚଳିତ ମାସ ସୁଦ୍ଧା ନିଯୁକ୍ତ ହେବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ତେବେ କୋରାପୁଟ କଫି ଏବଂ ଷ୍ଟ୍ରବେରୀର ମାର୍କେଟିଂ ପାଇଁ ବିଶ୍ୱବିଦ୍ୟାଳୟ ଦାୟିତ୍ୱ ନେବାକୁ ଅପିଲ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଏହା ସହ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଷ୍ଟାଡିୟମର ଭୂମିପୂଜନ କରିଛନ୍ତି ।