କୋରାପୁଟ : ବୋରିଗୁମ୍ମାରେ ବଜରଙ୍ଗ ଦଳର ରାଲିରେ ବୁଲିଲା ଖଣ୍ଡା, ବନ୍ଧୁକ

40

କନକ ବ୍ୟୁରୋ : ବଜରଙ୍ଗ ଦଳର ରାଲିରେ ବୁଲିଲା ଖଣ୍ଡା, ବନ୍ଧୁକ । କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ ବଜରଙ୍ଗ ଦଳର ରାଲିକୁ ନେଇ ଦେଖା ଦେଇଛି ବିବାଦ । ପ୍ରଶାସନର ବିନା ଅନୁମତିରେ ରାଲି କରୁଥିବା ବଜରଙ୍ଗ ଦଳର କର୍ମୀ ମାନେ ଖଣ୍ଡା, କାତି ସହ ବନ୍ଧୁକ ଦେଖାଇ ରାଲି କରୁଥିବା ଅଭିଯୋଗ ହୋଇଛି । ବୋରିଗୁମ୍ମା ବ୍ଳକର ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଗତ ୫ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ବଜରଙ୍ଗ ଦଳର ସାତ ଦିନିଆ ଶୌର୍ଯ୍ୟ ପ୍ରଶିକ୍ଷଣ ବର୍ଗ ଚାଲିଥିବାବେଳେ ବଜରଙ୍ଗ ଦଳ ପକ୍ଷରୁ ରାଲି ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସଂଯୋଜକ ମନୋଜ ବର୍ମାଙ୍କ ସମେତ ପଶ୍ଚିମ ଓଡ଼ିଶାର ୨୨ ଟି ସାଙ୍ଗଠନିକ ଜିଲ୍ଳାର ଜିଲ୍ଳା ପ୍ରମୁଖ ଓ ବ୍ଳକ ସଂଯୋଜକ ମାନେ ଯୋଗ ଦେଇଥିଲେ । ଶେଷ ଦିନରେ ଦଳ ପକ୍ଷରୁ ଏକ ରାଲି କରାଯାଇ ସହର ପରିକ୍ରମା କରାଯାଇଥିଲା । ଏହି ରାଲିରେ ବଜରଙ୍ଗ ଦଳର ସଦସ୍ୟ ମାନେ ହାତରେ ଖଣ୍ଡା କାତି ଓ ବନ୍ଧୁକ ଧରି ସଂଖ୍ୟାଲଘୁ ସଂମ୍ପ୍ରଦାୟଙ୍କ ବିରୋଧରେ ନାରାବାଜି ଦେଇଥିଲେ । ପରେ ଏହି ରାଲିର ଭିଡିଓ ଭାଇରାଲ ହୋଇଛି । ଯାହାକୁ ନେଇ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟ ।

କୋରାପୁଟ ଜିଲ୍ଳା ଏକ ଭାଇଚାରାର ସହର । ଏଠାରେ ସବୁ ଧର୍ମର ଲୋକ ଏକାଠି ମିଳିମିଶି ରହୁଛନ୍ତି । ଏହି ଶାନ୍ତିପ୍ରିୟ ସ୍ଥାନରେ ଏଭଳି ଆକ୍ଷେପ କରିବା ଠିକ ନୁହେଁ । ଏପରି ରାଲି ଆମ ପ୍ରତି ବିପଦ ସୃଷ୍ଟି କରିଛି ବୋଲି ଜଣାଇଛନ୍ତି ସଂଖ୍ୟାଲଘୁ ବର୍ଗ । ରମଜାନ ମାସରେ ଏହା ଆଦୌ ହେବା କଥା ନୁହେଁ । ଏତି ପ୍ରତି ଆମକୁ ପ୍ରଶାସନ ନ୍ୟାୟ ଦେଉ ବୋଲି ଜଣାଇଛନ୍ତି ।