କୋଣାର୍କକୁ ନାହିଁ ବିପଦ: ଉଚ୍ଚ ସ୍ତରୀୟ ସମୀକ୍ଷା ପରେ ମନ୍ଦିର ସୁରକ୍ଷିତ ଥିବା କହିଲେ କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମା

108

କନକ ବ୍ୟୁରୋ: କୋଣାର୍କ ସୁରକ୍ଷା ନେଇ ଭୁବନେଶ୍ୱରରେ ଉଚ୍ଚସ୍ତରୀୟ ବୈଠକ ଶେଷ ହୋଇଛି । ବୈଠକ ପରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ମହେଶ ଶର୍ମା ପ୍ରତିକ୍ରିୟା ଦେଇ କହିଛନ୍ତି, କୋଣାର୍କ ପ୍ରସଙ୍ଗକୁ କେନ୍ଦ୍ର ସରକାର ଗୁରୁତର ସହ ନେଇଛନ୍ତି । ସୂର୍ଯ୍ୟ ମନ୍ଦିର ଏବେ ସୁରକ୍ଷିତ ରହିଛି । କୋଣାର୍କର ସୁରକ୍ଷା ଓ ମନ୍ଦିରରୁ ପଥର ଖସିବା ଘଟଣାର ଯାଂଚ ପାଇଁ ଏକ ମାସ ଭିତରେ ଏକ ବିଶେଷଜ୍ଞ କମିଟି ଗଠନ ହେବ ।

ଯେଉଁଥିରେ ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବିଶେଷଜ୍ଞଙ୍କୁ ସାମିଲ କରାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି କମିଟି କୋର୍ଣାକର ଅନୁଧ୍ୟାନ କରି ରିର୍ପୋଟ ଦେବ । ଏହି ଅବସରରେ ରାଜ୍ୟ ସରକାର ନବଗ୍ରହ ମନ୍ଦିର ଓ କୋର୍ଣାକ ମନ୍ଦିର ଭିତରକୁ ଶନିବାର ଦିନ ଫି ଛାଡ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ରାଜ୍ୟ ଅତିଥି ଭବନରେ ହୋଇଥିବା ବୈଠକରେ କୋଣାର୍କର ସୁରକ୍ଷାକୁ ନେଇ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା ।

ବୈଠକରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା, କେନ୍ଦ୍ର ସଂସ୍କୃତି ସଚିବ ଓ ଏଏସଆଇ ମହାନିର୍ଦ୍ଦେଶକଙ୍କ ସମେତ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, କାକଟପୁର ଓ ନିମାପଡ଼ା ବିଧାୟକ, ସଂସ୍କୃତି ସଚିବ ଓ ନିର୍ଦ୍ଦେଶକ ଉପସ୍ଥିତ ରହିଥିଲେ । ବୈଠକରେ ସୂର୍ଯ୍ୟ ମନ୍ଦିରର ଐତିହାସିକ କୀର୍ତିରାଜିର ସୁରକ୍ଷା ଓ ସଂରକ୍ଷଣ ଉପରେ ଆଲୋଚନା କରାଯାଇଛି ।