ବଙ୍ଗୀୟ ଯୁବତୀଙ୍କୁ ଗଣ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆନ୍ଦୋଳନ । ବିଜେପି ମହିଳା ମୋର୍ଚ୍ଚାର ୧୨ଘଂଟିଆ କୋଣାର୍କ ବନ୍ଦ ଡାକରା

27

କନକ ବ୍ୟୁରୋ: ଆଜି କୋଣାର୍କ ବନ୍ଦ । ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ୧୨ଘଂଟିଆ କୋଣାର୍କ ବନ୍ଦ ଡାକରା ଦେଇଛି ବିଜେପି ମହିଳା ମୋର୍ଚ୍ଚା । ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ କରାଯାଉଛି । ତେଣୁ ସୂର୍ଯ୍ୟ ମନ୍ଦିର ପରିସର ଆଜି ଜନଶୂନ୍ୟ ହୋଇପଡିଛି । ଗତ ୧୭ ତାରିଖରେ କୋଣାର୍କ ଏନଏସି ମାର୍କେଟ୍ କମ୍ପେ୍ଲକ୍ସର ଏକ ବନ୍ଦ ଘରୁ ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣେ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିଥିଲା ପୋଲିସ ।

ଘଟଣାକୁ ୯ ଦିନ ବିତି ଯାଇଥିଲେ ବି ଏଯାଏ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି । ଏହି ଘଟଣାକୁ ନେଇ କୋଣାର୍କରେ ତୀବ୍ର ପ୍ରତିବାଦ ଜାରି ରହିଛି । ତେଣୁ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଆଜି ବିଜେପି ମହିଳା ମୋର୍ଚ୍ଚା ବନ୍ଦ ଡାକରା ଦେଇଛି । ବନ୍ଦ ପାଳନକୁ ସମର୍ଥନ ଜଣାଇବା ପାଇଁ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡାଙ୍କ ନେତୃତ୍ୱରେ ଗତକାଲି ସନ୍ଧ୍ୟାରେ ମାଜିପୁର ଛକରୁ ଏକ ବାଇକ୍ ଶୋଭାଯାତ୍ରା କୋଣାର୍କ ବଜାର ପରିକ୍ରମା କରିଥିଲା ।

ଉଲ୍ଲେଖ ଥାଉ କି, ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିର ନିକଟରେ ଏକ ଏପରି ଘଟଣା ଘଟିଯାଇଛି, ଯାହା ଶୁଣିଲେ ଛାତି ଥରି ଉଠିବ । କୋଣାର୍କ ନିକଟରେ ଜଣେ ବଙ୍ଗିୟ ଯୁବତୀଙ୍କୁ ଏକ ପରିତ୍ୟକ୍ତ ଘର ଭିତରେ ୧୦ଜଣ ଯୁବକ ୪ଦିନ ଧରି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ପ୍ରାୟ ୪ଦିନ ଧରି ଚାଲିଥିଲା ଏହି ବନ୍ଦ ଘରେ ପାଶବିକ ଅତ୍ୟାଚାର । ନିଜ କାମନା ବାସନାର ନିଆଁରେ ଜଣେ ଯୁବତୀର ଜୀବନକୁ ନର୍କ କରିଦେଇଥିଲେ ସଇତାନ । ଘରେ ବନ୍ଦ କରି ଚାଲି ଯାଇଥିବା ବେଳେ କଳେବଳେ କୌଶଳେ ଘରର ଛାତ ଉପରକୁ ଆସି ସହାୟତା ପାଇଁ କାକୁତି ମିନତି ହୋଇଥିଲେ ପୀଡିତା । ଯୁବତୀଙ୍କ ଆକ୍ଳ ଚିତ୍କାର ଶୁଣି ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ ।

ସୂର‌୍ୟ୍ୟମନ୍ଦିର ଠାରୁ ମାତ୍ର ୧ କିଲୋମିଟର ଏବଂ କୋଣାର୍କ ଥାନା ଠାରୁ ମାତ୍ର ୫୦୦ ମିଟର ଦୂରରେ ହୋଇଛି ଏଭଳି ସାଂଘାତିକ ଗଣଦୁଷ୍କର୍ମ । କୋଲକାତାରୁ ଆସିଥିବା ଏହି ଯୁବତୀଙ୍କୁ ଅର୍କକ୍ଷେତ୍ରରେ ଲଗାତାର ୪ଦିନ ଧରି ଚାଲିଥିଲା ନିର‌୍ୟାତନା । ଏହି ଘଟଣା ଏବେ ଚାଂଚଲ୍ୟ ଖେଳାଇ ଦେଇଛି ।