ଆଉଟ ହେଲେ, ପ୍ୟାଭିଲିୟନ ଫେରିଲେ । ଆଉ ଆକାଶକୁ ଅନାଇ କଣ କହିଲେ କୋହଲି, ଯାହାର ଭିଡ଼ିଓ ହେଉଛି ଭାଇରାଲ ।

258

କନକ ବ୍ୟୁରୋ : ଚଳିତ ଆଇପିଏଲରେ କୋହଲିଙ୍କର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି । ବାଙ୍ଗାଲୋରର ଏହି ଷ୍ଟାର ବ୍ୟାଟରଙ୍କ ଉପରେ ଚଳିତ ଆଇପିଏଲରେ ଭାଗ୍ୟଦେବୀ ପ୍ରସନ୍ନ ନଥିବା ଭଳି ମନେ ହେଉଛି । ଆଉ ଚଳିତ ଆଇପିଏଲ କୋହଲିଙ୍କ ପାଇଁ ସବୁଠୁ ଖରାପ ସମୟ ନେଇ ଆସିଛି । ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚରେ ମଧ୍ୟ କୋହଲିଙ୍କ ବ୍ୟାଟରୁ ସେଭଳି ରନ୍ ବାହାରିନାହିଁ, ଯାହାର ଆବଶ୍ୟକତା ବାଙ୍ଗାଲୋର ପାଇଁ ରହିଥିଲା । ମାତ୍ର ୨୦ ରନରେ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ କୋହଲି । ଆଉ କୋହଲି ପ୍ୟାଭିଲିୟନ ଫେରୁଥିବା ସମୟର ଦୃଶ୍ୟ ବାଙ୍ଗାଲୋର କ୍ରିକେଟପ୍ରେମୀଙ୍କ ପାଇଁ ବେଶ କଷ୍ଟ ଦେଇଥିଲା । କାରଣ କୋହଲି ଯେଉଁ ଢଙ୍ଗରେ ପ୍ୟାଭିଲିୟନ ଫେରିଥିଲେ ତାହା ପୂର୍ବରୁ ବୋଧେହୁଏ କେବେ ଦେଖିନଥିଲେ ଆରସିବି ଫ୍ୟାନ୍ ।

ପଞ୍ଜାବ ବିପକ୍ଷ ମ୍ୟାଚରେ ଭଲ ଆରମ୍ଭ କରିଥିଲେ କୋହଲି । ପ୍ରଥମରୁ ଆକ୍ରମଣାତ୍ମକ ଶୈଳୀରେ ଆରମ୍ଭ କରିଥିଲେ ବ୍ୟାଟିଂ । ୨ଟି ଚୌକା ଓ ଗୋଟିଏ ଛକା ସହ ୨୦ ରନ୍ କରି ବାଙ୍ଗାଲୋର ପାଇଁ ନୂଆ ଆଶା ସୃଷ୍ଟି କରିଥିଲେ । ଲାଗୁଥିଲା ଏହି ମ୍ୟାଚରେ କୋହଲିଙ୍କ ବ୍ୟାଟରୁ ବଡ ସ୍କୋର ଦେଖିବାକୁ ମିଳିବ । କିନ୍ତୁ ରବାଡାଙ୍କ ବଲକୁ ଖେଳିବାକୁ ଯାଇ ରାହୁଲ ଚହରଙ୍କ ହାତରେ କ୍ୟାଚ୍ ଆଉଟ ହୋଇଥିଲେ କୋହଲି । କିଛି ସମୟ ପାଇଁ ଏହା ଆଉଟ ନଥିବା ଭଳି ଲାଗିଥିଲା କିନ୍ତୁ ଥାର୍ଡ ଅମ୍ପାୟର ଏହାକୁ ଯାଞ୍ଚ କରିବା ପରେ କୋହଲିଙ୍କୁ ପ୍ୟାଭିଲିୟନ ଫେରିବାକୁ ପଡିଥିଲା । ଏଭଳି ଅପ୍ରତ୍ୟାଶିତ ଭାବେ ଆଉଟ ହୋଇ କୋହଲି ମଧ୍ୟ ବେଶ ନିରାଶ ହୋଇଥିଲେ । ଯାହା ତାଙ୍କର ଭାବଭଙ୍ଗୀରୁ ଦେଖିବାକୁ ମିଳିଥିଲା । ପ୍ୟାଭିଲିୟନ ଫେରୁଥିବା ବେଳେ କୋହଲି ଆକାଶକୁ ଅନାଇ କିଛି କହିଥିଲେ । ଦୁଇ ହାତକୁ ଉପରକୁ ଟେକି ବିରାଟ କିଛି କହୁଥିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଲାଗୁଛି , ଏପରି କାହିଁକି ହେଉଛି ବୋଲି କୋହଲି ଭଗବାନଙ୍କୁ ପ୍ରଶ୍ନ କରୁଛନ୍ତି । ଏପରିକି ପଞ୍ଜାବ କିଙ୍ଗସ ମଧ୍ୟ ଏକ ଟ୍ୱିଟ୍ କରି ଲେଖିଛି, ଆମେ ଏହାର ଆନନ୍ଦ ନେଲୁ, କିନ୍ତୁ ଆଶା କରୁଛୁ ଖୁବଶୀଘ୍ର ଭାଗ୍ୟ ତୁମକୁ ସାଥ୍ ଦେବ ।

ଏହାଛଡା ବାଙ୍ଗାଲୋର ଟିମର ଅଧିନାୟକ ଫାପ୍ ଡୁପ୍ଲେସିସ କହିଛନ୍ତି, କ୍ରିକେଟରେ ବିଭିନ୍ନ ଉପାୟରେ ଆଉଟ ହୋଇଥାନ୍ତି ଖେଳାଳୀ, ଆଉ କୋହଲିଙ୍କ ସହ ଏବେ ସେମିତି କିଛି ହେଉଛି । ଏ ଖେଳ ହିଁ ସେମିତି । ଯେତେବେଳେ ବି ଜଣେ ଖେଳାଳୀ ଚାପରେ ରହିଥାଏ ସେତେବେଳେ ଏହି ଖେଳ ଖେଳାଳୀଙ୍କୁ ଆହୁରି ଚାପଗ୍ରସ୍ତ କରିଥାଏ । କିନ୍ତୁ କଠିନ ପରିଶ୍ରମ ଦ୍ୱାରା ପୁଣିଥରେ କମବ୍ୟାକ କରିହେବ । ଆମ ସମସ୍ତଙ୍କ କ୍ରିକେଟ କ୍ୟାରିୟରରେ ଏଭଳି ସମୟ ଆସିଥାଏ, ଯାହା ବେଶ କଷ୍ଟଦାୟକ । କିନ୍ତୁ କୋହଲି ଏହାକୁ ବେଶ ଭଲ ଭାବେ ସମ୍ଭାଳିଛନ୍ତି ।

ଚଳିତ ଆଇପିଏଲରେ କୋହଲି ୩ ଥର ଶୂନରେ ଆଉଟ ହୋଇଥିବା ବେଳେ ସେଭଳି ବଡ ସ୍କୋର କରିବାରେ ବିଫଳ ହୋଇଛନ୍ତି । ତେଣୁ ଗୁଜୁରାଟ ବିପକ୍ଷ ମ୍ୟାଚରେ ବିରାଟଙ୍କ ଠାରୁ ବଡ ଇନିଂସର ଆଶା ରଖିଛନ୍ତି ବାଙ୍ଗାଲୋର ଫ୍ୟାନ୍ । ଆଉ ଏହା ଦ୍ୱାରା ପୁଣିଥରେ ଯେପରି ପ୍ଲେ-ଅଫ ଦୌଡରେ ସାମିଲ ହୋଇପାରିବ ବାଙ୍ଗାଲୋର ।